ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ
News 18 Odia Digital
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ଦିନିଆ ବିଦେଶ ଗସ୍ତ ସମାପ୍ତ କରି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଗୁରୁବାର ରାତିରେ ଭୁବନେଶ୍ୱର ଫେରିଛନ୍ତି । ଆଜି ପୁରୀ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ସହ ଆଶୀର୍ବାଦ ଲୋଡ଼ିବେ । ଜୁନ୍ ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ। ଇଟାଲିର ରୋମ୍ରେ ଡବ୍ଲୁଏଫ୍ପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପୋପ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ସେଠାରୁ ସେ ଦୁବାଇ ଫେରି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଉଭୟ ରୋମ୍ ଓ ଦୁବାଇରେ ସେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ ।
ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୯,୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ କଂପାନି ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ୨୦୨୨ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।