ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ସିଏମ ନବୀନଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି ଜେପି ନଡ୍ଡା, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନେକ ନେତା,ମନ୍ତ୍ରୀ

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ।

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ।

  • Share this:
News 18 Odia Digital

ଭୁବନେଶ୍ୱର; ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହି ଦିନ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ।
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ । ଶପଥ ସମାରୋହ ପରଦିନ ଅର୍ଥାତ୍ ୨୬ ତାରିଖରେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ତୃତୀୟ ରାଉଣ୍ଡରେ ବହୁ ଭୋଟ୍ ବ୍ୟବଧାନରେ ଜିତି ଥିବାରୁ ଏକପ୍ରକାର ନିଶ୍ଚିତ ହୋଇ ସାରିଛି । ମ୍ୟାଜିକ ନମ୍ବର ଅତିକ୍ରମ କରିଛନ୍ତି ଶ୍ରୀମତୀ ମୁର୍ମୁ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବୃହତ ବିଜୟ ହୋଇଛି । ତୃତୀୟ ରାଉଣ୍ଡରେ ଦ୍ରୌପଦୀଙ୍କୁ ୨୧୬୧ ଭୋଟ ଯଶୱନ୍ତ ସିହ୍ନାଙ୍କୁ ୧୦୫୮ ଭୋଟ ଦ୍ରୌପଦୀଙ୍କ ଭୋଟର ମୂଲ୍ୟ-୫,୭୭.୭୭୭ ଓ ଯଶୱନ୍ତଙ୍କ ଭୋଟର ମୂଲ୍ୟ-୨,୬୧.୦୬୨ ରହିଛି । ସେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଓଡ଼ିଶାରେ ପ୍ରଚାରର ମଙ୍ଗ ବିଜେଡି ସମ୍ଭାଳିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କୁ ମଧ୍ୟ ଶପଥ ସମାରୋହରେ ସାମିଲ ହେବା ନେଇ ନିମନ୍ତ୍ରଣ ମିଳିଛି ।

ସେପଟେ, ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଷ୍ପଗୁଚ୍ଛ ଦେଇ ଜଣାଇଲେ ଶୁଭେଚ୍ଛା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ  ୧୫ ତମ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
Published by:Soubhagya Mishra
First published: