ନଡ୍ଡା ଦାୟିତ୍ୱ ନେବା ପରେ ବିଜେପିର ଫୋକସରେ ଓଡ଼ିଶା, ହେଲେ ଦଳର ଚ଼େଷ୍ଟା ଫଳପ୍ରଦ ହେବ ତ?

ଅମିତ ଶାହା ରାଷ୍ଟ୍ରୀୟ ସଭାପତି ଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ସର୍ବଦା ଶାଣିତ ଥିବା ସ୍ବର ସାଧାରଣ ନିର୍ବାଚନ ପରେ ବେଶ୍ ନରମି ଯାଇଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ନଡ୍ଡା କେଉଁ ଭୂମିକା ନିଭେଇବେ ତାହା ଦେଖିବାକୁ ସବୁ ଦଳ ଅପେକ୍ଷା କରି ରହିଛନ୍ତି ।

ନଡ୍ଡା ଦାୟିତ୍ୱ ନେବା ପରେ ବିଜେପିର ଫୋକସରେ ଓଡ଼ିଶା, ହେଲେ ଦଳର ଚ଼େଷ୍ଟା ଫଳପ୍ରଦ ହେବ ତ?
ଦୂରକୁ ଦୃଷ୍ଟି, ନିକଟରେ ବାଧା: ବିଜେପି ସଭାପତି ଜେ.ପି. ନଡ୍ଡା
  • News18 Odia
  • Last Updated: January 23, 2020, 10:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଜେ.ପି. ନଡ୍ଡା ବିଜେପିର ରାଷ୍ଟ୍ରୀୟ ସଭାପତି ହେବା ପରେ ଅଣବିଜେପି ଶାସନରେ ଥିବା ରାଜ୍ୟଗୁଡିକୁ ଦଳ ଶୀଘ୍ର ନିଜ ଦଖଲକୁ ନେବ ବୋଲି କହିଥିବାରୁ ଓଡିଶାର ମୁଖ୍ୟ ବିରୋଧୀ ଦଳ ଥିବା ବିଜେପିରେ ନୂଆ ଉତ୍ସାହର ଲହରୀ ଖେଳି ଯାଇଛି ।

ନଡ୍ଡାଙ୍କ ଏଭଳି ଦମ୍ଭୋକ୍ତି ପରେ ଏ କଥା ଆଗ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି ଯେ ବିଜେପିର ଫୋକସରେ ରହିଛି ଓଡିଶା । ହେଲେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ନଡ୍ଡାଙ୍କ ଘୋଷଣାରେ କେତେ ଦମ୍‌ ଅଛି?  ଦଳର ରାଷ୍ଟ୍ରୀୟ ସଭାପତି ରୂପେ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଓଡିଶାରେ ନିଜ ସ୍ଥିତିକୁ କ୍ରମାଗତଭାବେ ସୁଦୃଢ କରିପାରିବ ତ?

ଅମିତ ଶାହା ରାଷ୍ଟ୍ରୀୟ ସଭାପତି ଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ସର୍ବଦା ଶାଣିତ ଥିବା ସ୍ବର ସାଧାରଣ ନିର୍ବାଚନ ପରେ ବେଶ୍‌ ନରମି ଯାଇଥିବାର ଦେଖିବାକୁ ମିଳୁଛି । ସଭାପତି ଥିବା ବେଳେ ଶାହା ବିଜେଡି ସରକାରକୁ ‘‘ପୋଡା ଟ୍ରାନ୍ସଫରମର୍‌, ଉଖାଡ କେ ଫେଙ୍କ୍‌ ଦୋ’’ ଭଳି ବାକ୍ୟ ଉଚ୍ଚାରଣ କରି ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷୁଥିଲେ । ଏମିତିକି ସେ ବିଜେପିକୁ  ଓଡ଼ିଶାରେ ‘ମିସନ ୧୨୦’ର ସ୍ବପ୍ନ ଦେଖାଇଥିଲେ । ସେ ମିସନ ଯଦିଓ ପୂରଣ ହେଲାନି, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପି ଉଭାହେଲା । ହେଲେ ନିର୍ବାଚନ ପରେ ରାଜନୈତିକ ଚିତ୍ର ଅନେକଟା ବଦିଳିଗଲା ।

ନବୀନ ପଟ୍ଟନାୟକ ସରକାରଙ୍କ ବିରୋଧରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଶାଣିତ ସ୍ବର କ୍ରମଶଃ ନରମିଗଲା । ବିଜେପିର ଜଣେ ରାଜ୍ୟ ସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ବିଜେଡି-ବିଜେପି ସମ୍ପର୍କର ଘନିଷ୍ଠତାକୁ ନେଇ ଚ଼ାଲିଥିବା ଚର୍ଚ୍ଚା ଏବେ ବି ଲାଗି ରହିଛି । ଏଭଳି ସ୍ଥିତିରେ ନଡ୍ଡା କେଉଁ ଭୂମିକା ନିଭେଇବେ ତାହା ଦେଖିବାକୁ ସବୁ ଦଳ ଅପେକ୍ଷା କରି ରହିଛନ୍ତି ।

‘‘ଅତୀତରେ ଅମିତ ଶାହା ରାଷ୍ଟ୍ରୀୟ ସଭାପତି ସହ ଗୃହ ମନ୍ତ୍ରୀ ପଦବୀରେ ରହି ଦଳକୁ ମାର୍ଗ ଦର୍ଶନ ଦେଇଛନ୍ତି । ଅମିତ ଶାହାଙ୍କ ଭାଷଣ ଯୋଗୁଁ ବିଜେପି ଓଡ଼ିଶାରେ କ୍ରମାଗତଭାବେ ମଜବୁତ ହୋଇଚ଼ାଲିଥିଲା । ଦଳର ସେ ସ୍ବର ନଡ୍ଡାଙ୍କ ନେତୃତ୍ୱରେ ଆହୁରି ଶାଣିତ ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବ । ପହଞ୍ଚୁ ନ ଥିବା କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ,’’ କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ବିଜେପି ସାଲିସ କରୁଥିବା ଅଭିଯୋଗକୁ ସେ ଖାରଜ କରିଛନ୍ତି । ବିରୋଧୀ ଦଳ ହିସାବରେ ସବୁ ପ୍ରସଙ୍ଗ ଉଠାଇ ବିଜେପି ସରକାରଙ୍କୁ ଘେରିଛି ବୋଲି କହିଛନ୍ତି ମହାପାତ୍ର ।

ବିଜେପିର ଫୋକସରେ ଓଡିଶା ଅଛି ବୋଲି ଉଠିଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶାସକ ଦଳ ବିଜେଡିର ନେତାମାନେ କହିଛନ୍ତି ଯେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ନିଜ ‘‘କର୍ତ୍ତବ୍ୟନିଷ୍ଠତା ଓ ଜନମଙ୍ଗଳକାରୀ ଭାବନା’’ ଯୋଗୁଁ ଲୋକମାନଙ୍କର ଏତେ ପ୍ରିୟ ଯେ ରାଜ୍ୟ ସରକାରଙ୍କର ଓ ବିଜେଡି ଦଳର ସ୍ଥିତି ଆଗକୁ କେବଳ ଅଧିକ ମଜବୁତ ହିଁ ହେବ ।

‘‘ବିଜେପିର ଫୋକସ ଯଦି ରାଜ୍ୟର ବିକାଶ କରିବାରେ ଅଛି, ତାହେଲେ ଓଡିଶାର ଯାହା ସବୁ ଦାବି ଅଛି ତା‘ ଉପରେ କେନ୍ଦ୍ର ସରକାର ଫଳପ୍ରଦ ନିଷ୍ପତ୍ତି ନିଅନ୍ତୁ । ଯଦି ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଉପରେ ଫୋକସ କରୁଥା’ନ୍ତି, ତାହା କେବେ ଫଳପ୍ରଦ ହେବ ନାହିଁ କାରଣ ନବୀନବାବୁଙ୍କୁ ଲୋକେ ବାରମ୍ବାର ନିର୍ବାଚିତ କରି ପ୍ରମାଣ କରିସାରିଛନ୍ତି ଯେ କୌଣସି ଦଳକୁ ସରକାରକୁ ଆସିବାକୁ ହେଲେ ଆଗ ଲୋକଙ୍କ ମନ ଜିଣିବା ଦରକାର,’’ କହିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ।

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି: ‘‘ବିଜେପି ଅଣବିଜେପି ରାଜ୍ୟଗୁଡିକର ବିକାଶ ନୁହେଁ ବିନାଶ କଥା ଚିନ୍ତା କରିଥାଏ । ସାମ୍ବିଧାନିକ ବ୍ୟବସ୍ଥାକୁ ଯଦି ବିଜେପି ଆଖି ବୁଜି ନଷ୍ଟ କରିବା କଥା ଭାବୁଛି, ତା’ର ମୁକାବିଲା ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି ।’’

ତେବେ ଆଗକୁ ରହିଛି ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ । ଏହି ଦୁଇଟି ନିର୍ବାଚନରେ ନବ ନିର୍ବାଚିତ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ନୂଆ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟଧାରାର ଶୈଳୀ ଓ ସଫଳତା ପରିଲକ୍ଷିତ ହେବ ।
First published: January 23, 2020, 10:52 AM IST
corona virus btn
corona virus btn
Loading