ଉପନିର୍ବାଚନରେ BJDର ବାଜିମାତ ପରେ BJP କହିଲା ଆଗକୁ ହେବ ଦ୍ୱିପାକ୍ଷିକ ଲଢ଼େଇ

ସାଧାରଣ ନିର୍ବାଚନ ପରେ ଚାରି ଚାରିଟି ଉପନିର୍ବାଚନରେ ବାଜିମାତ କରି ନିଜ ନିର୍ବାଚନୀ ସଫଳତା ବଜାୟ ରଖିଛି BJD । ଦିବଙ୍ଗତ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରି ଉଭୟ BJP ଓ BJD ଅନୁକମ୍ପା ସାଉଁଟିବାକୁ ଉଦ୍ୟମ କରିଥିଲେ ବି ଏହା BJP ପାଇଁ କାମ ଦେଲା ନାହିଁ ।

ଉପନିର୍ବାଚନରେ BJDର ବାଜିମାତ ପରେ BJP କହିଲା ଆଗକୁ ହେବ ଦ୍ୱିପାକ୍ଷିକ ଲଢ଼େଇ
ଦୁଇଟି ଆସନ ହାସଲ କରିବା ପରେ ବିଧାନସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି ।
  • News18 Odia
  • Last Updated: November 12, 2020, 11:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଶାସକ ଦଳ ବିଜେଡି ବାଜିମାତ କରିବା ପରେ ବିଜେପି ପରାଜୟକୁ ଭୁଲି ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଓ କଂଗ୍ରେସ ଆତ୍ମସମୀକ୍ଷା ଆରମ୍ଭ କରିଛି । ଏହି ଦୁଇଟି ଆସନରେ ବିଜେଡିର ସଫଳତା ମୁଖ୍ୟ ମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଏବେ ବି ଲୋକଙ୍କ ସମର୍ଥନ ଅତୁଟ ଥିବା ସ୍ପଷ୍ଟ କରିଛି ।

ଉପନିର୍ବାଚନରେ ବିଜେଡି ତିର୍ତ୍ତୋଲ ଆସନ ବଜାୟ ରଖିବା ସହ ବାଲେଶ୍ୱରକୁ ନିଜ ଖାତାକୁ ଫେରାଇ ଆଣିବାରେ ସଫଳ ହୋଇଛି । ଦୀର୍ଘ ବର୍ଷ ପରେ ବାଲେଶ୍ୱର ଆସନକୁ ଫେରିପାଇଥିବା ବିଜେପି ହାତରୁ ଏହି ଆସନ ପୁଣି ଖସିଯାଇଛି । ଏହି ଦୁଇଟି ଆସନରେ ବିଜେଡିର ବିଜୟ ସହ ବିଧାନସଭାରେ ଦଳମାନଙ୍କ ସଂଖ୍ୟା ବଳ ବଦଳିଯାଇଛି । ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଥିବା ବେଳେ ବିଜେପି ଗୋଟେ ଆସନ ଖସି ୨୨ରେ ପହଞ୍ଚିଛି । ସାଧାରଣ ନିର୍ବାଚନ ତୁଳନାରେ ଏହି ଦୁଇଟି ଆସନରେ ଅଧିକ ବିଜୟ ବ୍ୟବଧାନ ପାଇଛି ଶଙ୍ଖ ଦଳ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ସାଧାରଣ ନିର୍ବାଚନରେ ବିଜେଡି ତିର୍ତ୍ତୋଲରୁ ୯୩,୯୬୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୫୩,୫୮୧ ଖଣ୍ଡ ଭୋଟ୍‌ । ୪୦,୩୮୬ ଖଣ୍ଡ ଭୋଟରେ ଜିତିଥିବା ବିଜେଡିର ଉପନିର୍ବାଚନ ଭୋଟ ବ୍ୟବଧାନ ହୋଇଛି ପ୍ରାୟ ୪୨,୦୦୦ । ସେହି ପରି ଦୀର୍ଘ ବର୍ଷ ପରେ ବାଲେଶ୍ୱର ସଦର ଆସନକୁ ହାତେଇ ପୁଣି ହାତଛଡା କରିଥିବା ବିଜେପିକୁ ସାଧାରଣ ନିର୍ବାଚନରେ ଏଠାରୁ ୭୪,୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକପ ମିଳିଥିଲା ୬୧,୪୦୯ ଖଣ୍ଡ ଭୋଟ୍‌ ।

ତିର୍ତ୍ତୋଲରେ ଏକ ବୁଥରେ ଧାଡ଼ି ବାନ୍ଧିଥିବା ମହିଳା ଭୋଟରମାନେ


ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡିର ଦୁଇଟି ପରସ୍ପର-ବିରୋଧୀ ଗୋଷ୍ଠୀ ସକ୍ରିୟ ହେବା ଓ ଅସନ୍ତୋଷ ଝାଡ଼ିବା ଭଳି ବିଭିନ୍ନ ପ୍ରସଙ୍ଗକୁ କଣ୍ଟ୍ରୋଲ କରି ଦୁଇଟି ଯାକ ଆସନରେ ଜିତାପଟ କଲା ଦଳ । ନବୀନଙ୍କ ଭାବମୂର୍ତ୍ତି, ବିକାଶ ଓ ସୁଶାସନକୁ ପୁଞ୍ଜି କରି ଦଳ ସଫଳ ହୋଇଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

‘‘ଏହି ବିଜୟର କେବଳ ଗୋଟିଏ ମନ୍ତ୍ର, ତାହା ହେଉଛି ନବୀନ ମନ୍ତ୍ର । ବିକାଶ ଓ ସୁଶାସନ ଭୋଟରେ ପ୍ରତିଫଳିତ ହୋଇଛି,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

ତିର୍ତ୍ତୋଲ ସହ ବାଲେଶ୍ୱର ସିଟ ହରେଇବା ପରେ ଆଗାମୀ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ତିଆରି କରୁଛି ବିଜେପି । କୋଭିଡ ପରିଚାଳନା, ମୋଦିଙ୍କ ସହାୟତା ଲୋକଙ୍କ ନିକଟରେ ନ ପହଞ୍ଚିବା ଓ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଭଳି ପ୍ରସଙ୍ଗକୁ ପ୍ରଚାରରେ ପ୍ରାଧାନ୍ୟ ଦେବା ସତ୍ତ୍ୱେ ଦଳ ସଫଳ ହୋଇ ନ ଥିଲେ ବି ସେହି ସମାନ ପ୍ରସଙ୍ଗକୁ ଧରି ବୁଥ ସ୍ଥରକୁ ଯିବ ବୋଲି କହିଛି । ନିର୍ବାଚନ ଫଳାଫଳରୁ ଦ୍ୱିପାକ୍ଷିକ ଲଢେଇର ବାସ୍ନା ବାରିଥିବା ବିଜେପି ଆଗାମୀ ନିର୍ବାଚନରେ ‘‘ସଫଳତମ ଦଳ’’ ଭାବେ ଉଭା ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

ବାଲେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ପ୍ରଚାର କରୁଛନ୍ତି ।


‘‘ଆମେ ଉପନିର୍ବାଚନର ଫଳାଫଳକୁ ସମ୍ମାନ ଜଣାଉଛୁ । ଭୋଟରଙ୍କ ସହ ଦଳୀୟ କର୍ମକର୍ତ୍ତା ଧନ୍ୟବାଦର ପାତ୍ର । ବିଜେପି ଏଥର ପ୍ରସଙ୍ଗଭିତ୍ତିକ ନିର୍ବାଚନ ଲଢ଼ିଥିଲା । କରୋନା ପରିଚାଳନାରେ ବ୍ୟାପକ ଅନିୟମିତତା, ପ୍ରଧାନ ମନ୍ତ୍ରୀ ମୋଦି ଦେଇଥିବା ସହାୟତା ଲୋକଙ୍କ ପାଖରେ ପହଞ୍ଚି ନ ପାରିବା ଓ ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧା ଦେବା କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇଥିଲୁ । ସେସବୁ ପ୍ରସଙ୍ଗ ଆଜି ମଧ୍ୟ ଅଛି । ଏସବୁ ପ୍ରସଙ୍ଗ ନେଇ ଆମେ ସଙ୍ଗଠନକୁ ବୁଥ ସ୍ତରରେ ଆହୁରି ସୁଦୃଢ଼ କରିବୁ । ଉପନିର୍ବାଚନରୁ ଏ କଥା ସ୍ପଷ୍ଟ ଯେ ଆଗକୁ ରାଜ୍ୟ ନିର୍ବାଚନରେ ଦ୍ୱିପାକ୍ଷିକ ଲଢ଼େଇ ହେବ । କଂଗ୍ରେସ ଏବେ ଶକ୍ତିହୀନ ହୋଇପଡିଛି । କଂଗ୍ରେସ ଯେଭଳି ଲୋକଙ୍କୁ ବିଭ୍ରାନ୍ତ ସୃଷ୍ଟି କରିଥିଲା ତା’ର ପ୍ରଭାବ ଭୋଗିଲା କଂଗ୍ରେସ,’’ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘କଂଗ୍ରେସ ହାରିଛି ନିଶ୍ଚୟ । ଆମେ ତର୍ଜମା କରିବୁ, ସମୀକ୍ଷା କରିବୁ । ଗତ ଥର ହାରି ସମୀକ୍ଷା କରିନୁ କି ପରାଜୟର କାରଣ ଜାଣିପାରିନୁ । ପ୍ରଚାର ଓ ସଭା ସବୁ ଭଲ ହୋଇକି ବି ଆମେ ଜିତି ପାରିଲୁନି । ବିଜେପି ଓ ବିଜେଡି ଯେପରି ଅର୍ଥ ଖର୍ଚ୍ଚ କରିଛନ୍ତି ଆମେ କରିପାରିଲୁନି । ଆମ ନେତା ସେଠାରେ ରହିପାରିଲେନି । ସେମାନେ ଡେରା ପକାଇଲେ । ନିର୍ବାଚନ ପାଇଁ ଅଧିକ ସମୟ ଦେଇପାରିଲେନି ଆମ ନେତା । ଦଳ ଅଧିକ ଅର୍ଥ ଖର୍ଚ୍ଚ ବି କରିପାରିଲାନି । ଆମ ପ୍ରାର୍ଥୀ ହାରିବ ବୋଲି ଜାଣି ଲୋକେ ଭୋଟ ଦେଲେନି ।’’

ଅନ୍ତର୍ଘାତି କାର୍ଯ୍ୟ ପାଇଁ କଂଗ୍ରେସ ପରାଜୟ ଭୋଗିଲା କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘‘ଅନ୍ତର୍ଘାତି କାମ ନ ହୋଇଥିଲେ ଦଳ ହରିଥାନ୍ତା କି? ବିଜେପି ବିକ୍ରି ହୋଇ ତାଙ୍କ ନେତାଙ୍କୁ ହରାଇଲା । ୨୦୨୪ରେ କଂଗ୍ରେସ ବଦଳିବ ।’’



ସାଧାରଣ ନିର୍ବାଚନ ପରେ ଚାରି-ଚାରିଟି ଉପନିର୍ବାଚନରେ ବାଜିମାତ କରି ନିଜ ନିର୍ବାଚନୀ ସଫଳତା ବଜାୟ ରଖିଛି ବିଜେଡି । ଏ ଥର ଦୁଇଟି ଯାକ ଆସନରେ ଦିବଙ୍ଗତ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରି ଉଭୟ ବିଜେପି ଓ ବିଜେଡି ଅନୁକମ୍ପା ସାଉଁଟିବାକୁ ଉଦ୍ୟମ କରିଥିଲେ ବି ଏହା ବିଜେପି ପାଇଁ କାମ ଦେଇ ନ ଥିବା ଏହି ଫଳାଫଳରୁ ସ୍ପଷ୍ଟ ହୋଇଛି ।
Published by: Anand Shankar Thankur Das
First published: November 12, 2020, 11:45 PM IST
corona virus btn
corona virus btn
Loading