ବନ୍ଦ ହୋଇଯିବ ବିଜୁ ପକ୍କାଘର ଯୋଜନା; ତାକୁ ନେଇ ରାଜ୍ୟରେ ରାଜନୀତି ପୁଣି ଗରମ

ରାଜ୍ୟ ସରକାର ତାଙ୍କ ନିଜସ୍ବ ସ୍କିମ୍‌ ବିଜୁ ପକ୍କା ଘର ଯୋଜନା ବନ୍ଦ କରି ଏହାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସହ କନଭରଜେନ୍ସ୍‌ କରାଇଛନ୍ତି । ଏହାର ପ୍ରମାଣ ହେଲା ଚ଼ଳିତ ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଅତିରିକ୍ତ ବଜେଟ୍‌ରେ ବିଜୁ ପକ୍କା ଘର ଯୋଜନା ପାଇଁ ଟଙ୍କାଟିଏ ବ୍ୟୟ ବରାଦ ନ ହେବା ।

ସରକାରୀ ଯୋଜନାରେ ନିର୍ମାଣ ହେଉଥିବା ପ୍ରତି ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଜୁ ପକ୍କାଘର ଯୋଜନାର ଲୋଗୋ ବି ରହିବ

ସରକାରୀ ଯୋଜନାରେ ନିର୍ମାଣ ହେଉଥିବା ପ୍ରତି ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଜୁ ପକ୍କାଘର ଯୋଜନାର ଲୋଗୋ ବି ରହିବ

  • Share this:
ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ରର ଦୁଇଟି କୃଷି ଯୋଜନା (କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି) ମିଶିଯିବା ପରେ ଏବେ ମିଶ୍ରଣ ଘଟିଛି ରାଜ୍ୟ ଓ କେନ୍ଦ୍ର ଦ୍ୱାରା ପରିଚାଳିତ ଦୁଇଟି ବାସଗୃହ ଯୋଜନାର (ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା) । ଏହାକୁ ନେଇ ରାଜ୍ୟ ରାଜନୀତିରେ ଉଠିଛି ଆଉ ଏକ ଝଡ଼ ।

ରାଜ୍ୟ ସରକାର ତାଙ୍କ ନିଜସ୍ବ ସ୍କିମ୍‌ ବିଜୁ ପକ୍କା ଘର ଯୋଜନା ବନ୍ଦ କରି ଏହାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସହ କନଭରଜେନ୍ସ୍‌ କରାଇଛନ୍ତି । ଏହାର ପ୍ରମାଣ ହେଲା ଚ଼ଳିତ ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଅତିରିକ୍ତ ବଜେଟ୍‌ରେ ବିଜୁ ପକ୍କା ଘର ଯୋଜନା ପାଇଁ ଟଙ୍କାଟିଏ ବ୍ୟୟ ବରାଦ ନ ହେବା ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି କିନ୍ତୁ ଏହାକୁ ମାନିବାକୁ ରାଜି ନୁହେଁ । ଦଳ କହିଛି ବିଜୁ ପକ୍କା ଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଯୋଜନା କରାଯିବା ନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଜଣାଇ ନାହାନ୍ତି ।

ବିଜେପିର ଅଭିଯୋଗ ଯେ ରାଜ୍ୟ ସରକାର ଚଞ୍ଚକତା କରି ଏଭଳି କରିଛନ୍ତି । ଯଦି ବଜେଟରେ ବ୍ୟୟ ବରାଦ ହୋଇନାହିଁ ବୋଲି ସରକାର କହୁଛନ୍ତି, ତେବେ ଡିଆର୍‌ଡିଏମାନେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଥିବା ଟାଇଲ୍ ସପ୍ଲାଏ ପାଇଁ ସପ୍ଲାଏର୍ସମାନଙ୍କୁ କେମିତି ନିର୍ଦ୍ଦେଶ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏ ମାମଲାରେ ବିଜେପିକୁ କଂଗ୍ରେସ ବି ସମର୍ଥନ କରିଛି ।

‘‘ବିଜୁ ପକ୍କାଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ କନ୍‌ଭରଜେନ୍ସ୍‌ କରିବା ନେଇ କୌଣସି ସରକାରୀ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସରକାରଙ୍କ ଜ୍ଞାତସାରରେ ନାହିଁ । ରାଜ୍ୟ ସରକାର ଚଞ୍ଚକତା କରୁଛନ୍ତି । ବିଜୁ ପକ୍କାଘର ପାଇଁ ବଜେଟରେ କୌଣସି ବ୍ୟୟବରାଦ କରିନଥିବା ବେଳେ ବିଜୁ ପକ୍କାଘର ସ୍କିମ୍‌ର ଲୋଗୋ ରହିଥିବା ଟାଇଲ୍‌ ପ୍ରିଣ୍ଟ୍‌ କରିବା ପାଇଁ ଡିଆର୍‌ଡିଏମାନେ ନିର୍ଦ୍ଦେଶ ଦେଉଛନ୍ତି କେମିତି? ଗରିବ ଲୋକଙ୍କୁ ଘର ଦେବାରେ ରାଜ୍ୟ ସରକାର ଯେମିତି ଭାବେ ବ୍ୟବସ୍ଥାରେ ମିଛ କହୁଛନ୍ତି ତାହା ଦୁର୍ଭାଗ୍ୟଜନକ,’’ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି: ‘‘ରାଜ୍ୟ ସରକାରଙ୍କ ସବୁ ସ୍କିମ୍‌ ପଛରେ ଶଠତା ରହିଛି । ପାଖରେ ଯେହେତୁ ଅର୍ଥ ନାହି, ଯୋଜନାକୁ କାଣ୍ଟଛାଣ୍ଟ କରୁଛନ୍ତି ।’’

ରାଜ୍ୟ ସରକାର ଘର ଯୋଜନାରେ ମିଛ କହୁଛନ୍ତି ବୋଲି କହିଛି ବିଜେପି ।


ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି । ହେଲେ ଦୁଇଟି ବାସଗୃହ ଯୋଜନାର ମିଶ୍ରଣ ପାଇଁ ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କେନ୍ଦ୍ର ସରକାରଙ୍କୁ ଦାୟି କରିଛନ୍ତି ।

‘‘୨୦୧୪ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ଅନୁଦାନ ଦେଉଥିଲେ । ହେଲେ ମୋଦି ସରକାର ଆସିବା ପରେ ଏ ଯୋଜନାରେ କେନ୍ଦ୍ର ଦେଉଛି ୬୦ ପ୍ରତିଶତ ଓ ରାଜ୍ୟ ଦେଉଛି ୪୦ ପ୍ରତିଶତ ଅର୍ଥ । ଏ ବାବଦରେ ରାଜ୍ୟ ସରକାର ବହନ କରୁଛନ୍ତି ବାର୍ଷିକ ୬ ହଜାର କୋଟି ଟଙ୍କା । ଯେହେତୁ ରାଜ୍ୟର ୪୦ ପ୍ରତିଶତ ଭାଗିଦାରୀ ରହୁଛି, ତେଣୁ ଦୁଇ ଯୋଜନାକୁ କନଭରଜେନ୍ସ କରାଯାଇଛି,’’ କହିଛନ୍ତି ମିଶ୍ର ।

ରାଜ୍ୟରେ ସରକାରୀ ଯୋଜନାରେ ନିର୍ମାଣ ହେଉଥିବା ପ୍ରତି ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଜୁ ପକ୍କାଘର ଯୋଜନାର ଲୋଗୋ ବି ରହିବ ବୋଲି କହିଛନ୍ତି ମିଶ୍ର ।

ରାଜ୍ୟର ନବୀନ ପଟ୍ଟନାୟକ ସରକାର ୨୦୧୪ ରେ ବିଜୁ ପକ୍କା ଘର ଯୋଜନାର ଶୁଭାରମ୍ଭ  କରିଥିଲେ । ଗ୍ରାମାଞ୍ଚଳର କଚ୍ଚା ଘରେ ରହୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ପକ୍କା ଘର ପାଇଁ ଏହି ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିଲା ୭୦ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଛି ୧ ଲକ୍ଷ ୨୫ ହଜାର ଟଙ୍କା ।
First published: