ହାତୀ ନରସିଂହା ତ ଅକାଳରେ ମଲା, ଏବେ କପିଳାସରେ ଥିବା ହାତୀର ସେହି ଦଶା ହେବ କି?
କପିଳାସର ହାତୀ ରେସ୍କ୍ୟୁ ସେଣ୍ଟରରେ ଥିବା ମାରଣା ଦନ୍ତାର ଗୋଡ଼ରେ ବି ଲୁହାର ବେଡ଼ି ପଡ଼ିଛି । ତା’ ଗୋଡ଼ ସହ ଶରୀର ବି ଖଣ୍ଡିଆ ଖବରା ହୋଇଛି । ହେଲେ ବନ ବିଭାଗ ଏସବୁକୁ ଅଣଦେଖା କରିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।

ଯାଜପୁରରେ ଜାନୁଆରୀରେ ଧରା ପଡ଼ିବା ପରେ ଦନ୍ତା ହାତୀ ନରସିଂହା (ଫାଇଲ୍ ଫଟୋ)
- News18 Odia
- Last Updated: March 14, 2020, 2:15 PM IST
ଭୁବନେଶ୍ବର: ଦନ୍ତା ହାତୀ ନରସିଂହାର ଅକାଳ ମୃତ୍ୟୁ ପରେ କପିଳାସରେ ଥିବା ମାରଣା ଦନ୍ତା ବି ସଙ୍କଟରେ । ତା’ ଦେହ ଭଲ ନାହିଁ ଓ ସେ ଦିନକୁ ଦିନ ଦୁର୍ବଳ ହୋଇଚ଼ାଲିଥିବାରୁ ତା’ର ନରସିଂହା ଭଳି ଦଶା ହୋଇପାରେ ବୋଲି କହି ବନ ବିଭାଗକୁ ଘେରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ବନ ବିଭାଗର ଅଧିକାରୀ ଓ କିଛି ପରିବେଶବିଦ୍ ।
ଅନୁଗୁଳରେ ଆତଙ୍କ ସାଜିବା ପରେ କପିଳାସରେ ରଖାଯାଇଥିବା ହାତୀଟି ଅନେକ ଦିନ ଧରି ନରସିଂହା ଭଳି ଦଶା ଭୋଗୁଛି । ତା’ ଗୋଡ଼ରେ ଲୁହା ଶିକୁଳି ପଡିଥିବା ଯୋଗୁଁ ଚ଼ାରିଟି ଘା’ ହୋଇଛି । ତିନି ଥର ଟ୍ରାଙ୍କୁଲାଇଜ୍ କରାଯାଇଥିବାରୁ ଧୀରେ ଧୀରେ ଦୁର୍ବଳ ହୋଇଚ଼ାଲିଛି ସେ । ଟ୍ରେଞ୍ଚ ଖୋଳାଯାଇ ରଖାଯାଇଥିଲେ ବି ହାତୀର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁନି । ବିଶେଷଜ୍ଞଙ୍କ ପରାମର୍ଶକୁ ମଧ୍ୟ ଗ୍ରହଣ କରୁନି ବନ ବିଭାଗ ।
‘‘କାଠ ଖୁଆଡ଼ରେ ହାତୀକୁ ରଖାଯିବା ଉଚ଼ିତ । ଲୁହା ଶିକୁଳିରେ ବନ୍ଦୀ ନ କରାଯାଇ ବୁଲାବୁଲି କରିବା ପାଇଁ ସୁଯୋଗ ଦେଲେ ସ୍ବାଭାବିକ ଭାବରେ ହାତୀର ଆଚ଼ରଣ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ,’’ କହିଛନ୍ତି ପୂର୍ବତନ ଡିଏଫଓ କମଳ ଲୋଚନ ପୁରୋହିତ ।
ବିଧାନ ସଭାର ଶୂନ୍ୟକାଳରେ ନରହନ୍ତା ଦନ୍ତା ନରସିଂହାର ମୃତ୍ୟୁ ପ୍ରସଙ୍ଗ ଉଠିଥିଲା । ଏହି ପ୍ରସଙ୍ଗ ଉଠାଇ ବନ ବିଭାଗକୁ ଘେରିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
‘‘ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟିରେ ହାତୀକୁ ଖାଇବାକୁ ଦିଆଗଲା ନାହିଁ । ତା’ର ସଠିକ୍ ଯତ୍ନ ନିଆଗଲା ନାହିଁ । ଚିକତ୍ସା ବି ଠିକ ହେଲା ନାହିଁ । ହାତୀ ଗୋଡ଼ରେ ଶିକୁଳି ପକାଇ କାହିଁକି ରଖାଗଲା? କାହିଁକି ମଲା ନରସିଂହା?,’’ ବିଧାନ ସଭାର ଶୂନ୍ୟକାଳରେ ନରହନ୍ତା ଦନ୍ତା ନରସିଂହାର ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଭଗୀୟ ମନ୍ତ୍ରୀଙ୍କୁ ଶାଣିତ ପ୍ରଶ୍ନ କରିଥିଲେ ରାଉତରାୟ । ବନ ବିଭାଗର ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସେ ।
ନରସିଂହାର ମୃତ୍ୟୁ ପରେ ବନ ବିଭାଗ ଏବେ କାଠଗଡ଼ାରେ । ପି.ସି.ସି.ଏଫ.ଙ୍କ ଠାରୁ ଆରମ୍ଭ କରି ଡି.ଏଫ.ଓ., ରେଞ୍ଜର , ଫରେଷ୍ଟର ଓ ମାହୁନ୍ତଙ୍କ ଭୂମିକା ଏବେ ସନ୍ଦେହ ଘେରରେ । ହେଲେ ବନ ବିଭାଗ ନିଜ ହେଫାଜତରେ ଥିବା ହାତୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ବିସ୍ତୃତ ଓ ଯୁକ୍ତିଯୁକ୍ତ ସୂଚ଼ନା ଦେଉନାହିଁ ।