ଦଫା ୩୦୭କୁ ନେଇ ପୁଣି ବିବାଦରେ କମିଶନରେଟ ପୋଲିସ: ବିବାଦ ବଢ଼ିବାରୁ ପାର୍ବତୀ ଓ ଦମୟନ୍ତୀଙ୍କୁ ଉପରୁ ୩୦୭ ଉଠାଇଲା ପୋଲିସ

ଏନେଇ ଶୁଭଶ୍ରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ଦୁଇ ଭଉଣୀଙ୍କ ନାମରେ ଥାନାରେ ୩୦୭ ସହ ୯ଟି ସଙ୍ଗୀନ ଦଫା ଲଗାଇ ସେମାନଙ୍କୁ କୋର୍ଟ ଚାଲଣ କରିଥିଲା ।

ଦଫା ୩୦୭କୁ ନେଇ ପୁଣି ବିବାଦରେ କମିଶନରେଟ ପୋଲିସ: ବିବାଦ ବଢ଼ିବାରୁ ପାର୍ବତୀ ଓ ଦମୟନ୍ତୀଙ୍କୁ ଉପରୁ ୩୦୭ ଉଠାଇଲା ପୋଲିସ
କଟକ-ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ
  • News18 Odia
  • Last Updated: January 29, 2020, 12:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ କମିଶନରେଟ ପୋଲିସକୁ ଗତ କିଛି ଦିନ ପୂର୍ବରୁ ପଞ୍ଜାବୀ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କ ଘଟଣାରେ ଅପରାଧୀଙ୍କ ଉପରେ ଦଫା ୩୦୭ ନଲାଗଇବା ନେଇ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା । ଏବେ ପୁଣି ଦଫା ୩୦୭ ନେଇ ବିବାଦ ଦେଖାଦେଇଛି । ଗଣତନ୍ତ୍ର ଦିବସ ଅବସରରେ କୋରାପୁଟର ଦୁଇ ଭଉଣୀ ପାର୍ବତୀ ଏବଂ ଦମୟନ୍ତୀ  ଗଣତନ୍ତ୍ର ଦିବସରେ ରାସ୍ତାରେ ଶୋଇରହି ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କ ଉପରେ ୩୦୭ ଲଗାଇଥିଲା । ଏହି ଘଟଣାକୁ ନେଇ ଲୋକମାନେ ଟୁଇଟରରେ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ କମିଶନରେଟ ପୋଲିସକୁ କଟାକ୍ଷ କରିଥିଲେ । ପରେ ପୋଲିସ ଦୁଇ ଭଉଣୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରି ସେମାନଙ୍କ ଉପରୁ ୩୦୭ ଉଠାଇଥିଲା ।

କୋରାପୁଟର ପାର୍ବତୀ ଏବଂ ଦମୟନ୍ତୀ ମାଝୀଙ୍କର ବାପା ବୃନ୍ଦାବନ ମାଝୀଙ୍କର ୨୦୧୬ରେ ଦେହାନ୍ତ ହୋଇଥିଲା । ମାତ୍ର ଗ୍ରାମର  କେତେକ ଲୋକେ ଦୁଇ ଭଉଣୀ ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ସେମାନଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ସେମାନଙ୍କୁ ଘରୁ ବାହାର କରିଦେଇଥିଲେ । ଏଭଳି ଅତ୍ୟାଚାରର ଶିକାର ହୋଇ ନ୍ୟାୟ ପାଇଁ ଦୁଇ ଭଉଣୀ ଲୋୟର ପିଏମଜିରେ ଦୀର୍ଘଦିନ ଧରି ଧାରଣା ଦେଇଆସୁଥିଲେ । ତେବେ ଗଣତନ୍ତ୍ର ଦିବସ ଦିନ ଦୁଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଆସିବା ପୂର୍ବରୁ ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ । ସେମାନଙ୍କୁ ସେଠାରୁ ଉଠାଇବାକୁ ଯାଇ ଜଣେ ମହିଳା ଇନସ୍ପେକ୍ଟର ଶୁଭଶ୍ରୀ ପଣ୍ଡା ଆହତ ହୋଇଥିଲେ । ଏନେଇ ଶୁଭଶ୍ରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ଦୁଇ ଭଉଣୀଙ୍କ ନାମରେ ଥାନାରେ ୩୦୭ ସହ ୯ଟି ସଙ୍ଗୀନ ଦଫା ଲଗାଇ ସେମାନଙ୍କୁ କୋର୍ଟ ଚାଲଣ କରିଥିଲା । ପରେ ଏହାକୁ ନେଇ ଲୋକେ କମିଶନରଙ୍କୁ ଟୁଇଟରରେ ନାନା ପ୍ରଶ୍ନ କରିଥିଲେ । ଏନେଇ ବରିଷ୍ଠ ପୋଲିସ ଅଧିକାରୀ ରଞ୍ଜନ ଗଡ଼ନାୟକ ତଦନ୍ତ କରିବା ପରେ ୩୦୭ ପ୍ରଯୁଜ୍ୟ ନୁହେଁ ବୋଲି କହିବା ସହ ଏହାକୁ ଉଠାଇ ଦେବାକୁ କ୍ୟାପିଟାଲ ଥାନା ଇନସ୍ପେକ୍ଟରଙ୍କୁ କହିଥିଲେ । ନିର୍ଦ୍ଦେଶ ପାଇବା ପରେ ଥାନାଧିକାରୀ ଦଫା ଉଠାଇବା ନେଇ କୋର୍ଟକୁ ଆବେଦନ କରିଥିଲେ ।

ତେବେ ଟୁଇଟରରେ ସକ୍ରିୟ ରହୁଥିବା କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଏ ସମ୍ପର୍କରେ ଲୋକେ ନାନା ପ୍ରଶ୍ନ କରିଛନ୍ତି । ଜଣେ ବ୍ୟବହାର କାରୀ ଲେଖିଛନ୍ତି ଯେ, ‘‘ ସାର ପଥରରେ ମୁଣ୍ଡକୁ ଓ ମୁହଁକୁ ଛେଚିଲେ ୩୦୭ ଲାଗେନି କି ! ନା ନିଜ ଘର ଉପରେ ବିପଦ ପଡ଼ିଲା ବୋଲି ୩୦୭ ଦଫା ଲାଗିଲା‘‘ । ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ‘‘ଯଦି ଗୋଡ଼ ଭାଙ୍ଗିବା ଜୀବନ ପ୍ରତି ବିପଦ ତାହାଲେ ଆଖି ପାଖାପାଖି ନଷ୍ଟ ହୋଇଯିବାକୁ କଣ କୁହାଯିବ‘‘ । ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ‘‘ ସେଠାରେ ଏମିତି କିଛି ଘଟିନଥିଲା ଯାହାଫଳରେ ଗୋଡ଼ ଭାଙ୍ଗିଯିବ । ଆପଣଙ୍କ ପାଖରେ କ୍ଷମତା ଅଛି ବୋଲି.....‘‘ ।
First published: January 29, 2020, 12:12 PM IST
corona virus btn
corona virus btn
Loading