News18 Odia Digital
କେଉଁଝର: ଫୁଲକୋବି ପରେ ଟମାଟୋର ଅଭାବୀ ବିକ୍ରି। ଯାହାକୁ ନେଇ ଚିନ୍ତାରେ ନେଇ ଚାଷୀ। କେଉଁଝରରେ ବିଲାତି କିଲୋ ୨ ଟଙ୍କାରେ ବିକ୍ରି ହେଉଛି ।
ବଜାରରେ ଟମାଟୋ କେଜି ୧୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଚାଷୀଙ୍କ ପାଖରୁ ବେପାରୀମାନେ କେଜି ପିଛା ଦେଢ଼ରୁ ଦୁଇଟଙ୍କାରେ କିଣୁଛନ୍ତି। ୩୦ କେଜି ଓଜନର ଟମାଟୋ ଟ୍ରେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି, ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛି ଚାଷୀ।
ସେଠରେ ବିଲାତିର ଅଭାବ ବିକ୍ରି ଦେଖା ଦେଇଛି। ବିଲାତି କିଲୋ ୨ଟଙ୍କା ହିସାବରେ ବିକ୍ରି ହେଉଛି। ଚାଷୀଙ୍କ ପରିଶ୍ରମର ମୂଲ୍ୟ ମଧ୍ୟ ଉଠୁ ନାହିଁ। ତେଣୁ ଚାଷୀମାନେ ବିଲାତି ତୋଳିବା ବନ୍ଦ କରିଦେଇଛନ୍ତି। ବିଲରେ ପଡି ପଡି ନଷ୍ଟ ହେଉଛି କିଲୋ କିଲୋ। ଏବେ ଟମାଟୋ ଫିଙ୍ଗା ଫୋପଡ଼ା ହେଉଛି।
କେନ୍ଦୁଝର ଟିକରପଡ଼ା ଗାଁରେ ପରିବା ଚାଷ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଟମାଟୋର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ବି ଆଶାନୁରୂପ ମୂଲ୍ୟ ପାଇ ପାରି ନାହିଁ ଚାଷୀ। ଚାଷ ଆରମ୍ଭରୁ ଆଶା ବାନ୍ଧି ବସିଥିବା ଚାଷୀ ଆଜି ନିରାଶା ହୋଇଯାଇଛି। ଭଲ ଫଳ ଦେଖି ରୋଜଗାର ହେବ ବୋଲି ଆଶା କରିଥିବା ଚାଷୀଙ୍କ ଅମଳ କରି ବିକିବା ବେଳକୁ ସବୁ ଆଶା ମଉଳିଯାଇଛି।
ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲାଭ ପାଇବା ତ ଦୂରର କଥା ମୂଳ ଟଙ୍କା ପାଉନି ଚାଷୀ। କେନ୍ଦୁଝରରେ ଶୀତଳଭଣ୍ଡାର ନାହିଁ। ତେଣୁ ଚାଷୀ ଯାହା ଅମଳ କରୁଛି ପଚିଯିବା ଭୟରେ ଦେଢ଼ଟଙ୍କାରୁ ଦୁଇଟଙ୍କା ଦରରେ ବିକ୍ରି କରିଦେଉଛି। ଟମାଟୋର ଅଭାବୀ ବିକ୍ରି ଚାଷୀର ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଭୁଲ ହେବ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।