News18 Odia Digital
ଭୁବନେଶ୍ବର: ପର ଘରୁ କାମ ସାରି ଫେରୁଥିବା ବେଳେ ଆକ୍ରମଣ କଲା ଷଣ୍ଢ। ସେଥିରେ ଗୁରୁତର ଆହତ ହୋଇ ବିଛଣାରେ ପଡିଛନ୍ତି ସୌଦାମିନୀ ଦାସ। ୩ଦିନ ହେବ ରାଜଧାନୀରେ ଆତଙ୍କ ମଚାଇଥିବା ଷଣ୍ଢ ଆକ୍ରମଣର ଶିକାର ହୋଇଥିବା ସୌଦାମିନୀ ନ୍ୟୁଜ୧୮ କ୍ୟାମେରା ଆଗରେ ବଖାଣିଛନ୍ତି ପୂରା ଘଟଣା।
ରାଜଧାନୀରେ ଷଣ୍ଢ ଆତଙ୍କ। ଷଣ୍ଢ ଆକ୍ରମଣରେ ଜଣଙ୍କ ମୃତ ହେବା ସହ ଅନ୍ୟ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପଟିଆ ପଦ୍ମକେଶର ପୁରରେ ନାଲିଆ ଷଣ୍ଢ ଆତଙ୍କରେ ଗତ ୩ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ଷଣ୍ଢଟି ଶୁକ୍ରବାର ରାତିରେ ଜଣେ ବୃଦ୍ଧଙ୍କୁ ଆକ୍ରମଣକରି ମାରିଦେଇଥିବା ବେଳେ ଶନିବାର ଜଣେ ମହିଳାଙ୍କୁ ଗୋଡ଼େଇ ପ୍ରାଣାନ୍ତକ ଆକ୍ରମଣ କରିଛି।
ସୂଚନା ଅନୁଯାୟୀ ଗୁରୁବାର ଦିନ ସଂଧ୍ୟାରେ କସରା ଷଣ୍ଢ ଓ ଏକ କଳା ରଙ୍ଗର ଷଣ୍ଢ ମଧ୍ୟରେ ଲଢ଼େଇ ହୋଇଥିଲା। ପରେ କସରା ଷଣ୍ଢ କଳା ଷଣ୍ଢକୁ ଗୁରୁତର କରି ପଦ୍ମକେଶରପୁର ଦିଗକୁ ପଳାଇଥିଲା। ସେଠାରେ ଶୁକ୍ରବାର ସକାଳେ ସଦାଶିବ ଶବର ନାମକ ଜଣେ ବୃଦ୍ଧଙ୍କୁ ସକାଳେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ହସ୍ପିଟାଲ ନେଉଥିଲା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ହୋଇଥିଲା। ଷଣ୍ଢକୁ କୁକୁର କାମୁଡିବା ପରେ ସେ ପାଗଲା ହୋଇଯାଇଛି।
ସେହିଭଳି ସୌଦାମିନୀ ଦାସ ଶନିବାର ଦିନ ଜଣେ ବାବୁଙ୍କ ଘର କାମ ସାରି ଫେରୁଥିବା ବେଳେ ପଟିଆ ବଜାରରେ ଷଣ୍ଢ ତାଙ୍କୁ ଆକ୍ରମଣ କରି ମୁଣ୍ଡ ଓ ଗାଲକୁ କ୍ଷତାକ୍ତ କରିଥିଲା। ଏ ଲଢେଇ ଭିତରେ ଷଣ୍ଢ ପେଟରେ ଶିଙ୍ଘ ଭୁସି ଅନ୍ତ ବାହାର କରିଦେଇଥିଲା। କାଲି ରାତିରେ ଷଣ୍ଢଟି ପୁଣିଥରେ ଲୋକଙ୍କୁ ଗୋଡ଼ାଇ ଆକ୍ରମଣ କରୁଥିଲା ଦେଖି ଲୋକମାନେ ଷଣ୍ଢକୁ କାବୁକରି କାଞ୍ଜିଆ ହୁଦାକୁ ନେବାପାଇଁ ବିଏମସି ଓ ପଶୁ ବିଭାଗର କର୍ମଚାରୀଙ୍କୁ ସୂଚନା ଦେଇଛନ୍ତି। ପରେ ଷଣ୍ଢକୁ କାବୁ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।