News18 Odia Digital
ଭୁବନେଶ୍ୱର: ସ୍ଥଳ ଭାଗ ମୁହାଁ ହୋଇଛି ଲଘୁଚାପ। ଏହାରି ପ୍ରଭାବରେ ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି ହୋଇଛି। ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ।
ଆଜି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ଓ ୭ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି ହୋଇଛି । ଆସନ୍ତାକାଲିଠୁ କମିବ ବର୍ଷା। ଆଜି ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ୪୦ ରୁ ୫୦ କିମି ରହିବ। ମତ୍ସ୍ୟଜୀବୀମାନଙ୍କୁ ସେଥିପାଇଁ ସମୁଦ୍ର ଯିବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମନା ହୋଇଛି। ସେପଟେ ଆସନ୍ତା ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ।
ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର l ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 5.8କିମି ଯାଏଁ ଲମ୍ବିଛି l ଏହା ଆଗାମୀ ଦୁଅ ଦିନ ଯାଏଁ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି l
ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫% ଅଧିକ। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି (୫୧ ପ୍ରତିଶତ ଅଧିକ ) ଓ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି (୧୮ ପ୍ରତିଶତ କମ ) ବର୍ଷା ରେକର୍ଡ ହୋଇଛି। ଏହି ସମୟ ପରିଧିରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଓ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।