News18 Odia Digital
ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କ୍ରମରେ ତାଙ୍କ ଧର୍ମପତ୍ନୀ ବିଦ୍ୟାଶ୍ରୀଙ୍କୁ ଲାଇ ଡିଟେକକ୍ଟର୍ ଟେଷ୍ଟ (lie detector test)ର ସାମନା କରିବାକୁ ପଡ଼ିପାରେ l ଏହି ମାମଲାର ଏବେ ତଦନ୍ତକରୁଥିବା କ୍ରାଇମ୍ ବ୍ରାଞ୍ଚ ଟିମକୁ ବିଦ୍ୟାଶ୍ରୀ ଅନେକ କଥା ଲୁଚାଉଥିବା ଓ ମୂଳ ପ୍ରସଙ୍ଗରୁ ବାରମ୍ବାର ଓହରି ଅନ୍ୟମାନଙ୍କ ଉପରେ ଦୋଷ ଲଦୁଥିବା ସନ୍ଦେହ ହେଉଥିବାର ସୂଚନା ମିଳିଛି l
ସୂତ୍ରଙ୍କ ଅନୁସାରେ ବୟାନରେ ବିଦ୍ୟାଶ୍ରୀଙ୍କର ତାଳମେଳ ରହୁନାହିଁ l ତାଙ୍କ ଉପରେ ଏଭଳି କିଛି ସନ୍ଦେହ ବଢ଼ିବା ପରେ ତାଙ୍କର ଲାଏଡିଟେକ୍ଟର୍ ଟେଷ୍ଟ କରିବାକୁ ଯୋଜନା କରିଛି କ୍ରାଇମ୍ ବ୍ରାଞ୍ଚ l
କ୍ରାଇମ ବ୍ରାଞ୍ଚ ଟିମ ଜୁଲାଇ ୩୧ ତାରିଖରେ ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲା l ଖୁବ୍ ଶୀଘ୍ର ଆଉ ଥରେ ତାଙ୍କୁ ଜେରା କରାଯିବ l ତାଙ୍କର ଲାଇ ଡିଟେକ୍ଟର୍ ଟେଷ୍ଟ ଏହି ଦ୍ୱିତୀୟ ଥର ଜେରା ପରେ କରାଯିବ ବୋଲି ଜଣାପଡ଼ିଛି l ଏଥି ପାଇଁ ପକ୍ରିୟା ମଧ୍ଯ ଆରମ୍ଭ ହୋଇଥିବା ନିଜ ନାମ ଗୋପନ ରଖି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି l

କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ରେଳ ଧାରଣାରେ ଆଦିତ୍ୟଙ୍କ ଶବ ପଡ଼ିଥିବା ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିସାରିଛି ।
ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ ଦିନ, ଅର୍ଥାତ ଜୁଲାଇ ୬ରେ, ପତି-ପତ୍ନୀଙ୍କ ମଧ୍ୟରେ କ’ଣ ପାଇଁ ଝଗଡ଼ା ହୋଇଥିଲା ଓ କାହିଁକି ବିଦ୍ୟାଶ୍ରୀଙ୍କୁ ଘରୁ ବାହାରି ଯିବାକୁ ଆଦିତ୍ୟ କହିଥିଲେ ସେହି ପ୍ରଶ୍ନ ଉପରେ ବିଦ୍ୟାଶ୍ରୀଙ୍କ ଉତ୍ତର କ୍ରାଇମ୍ ବ୍ରାଞ୍ଚ୍ ଟିମକୁ ସନ୍ତୋଷଜନକ ଲାଗି ନ ଥିବା ଜଣାପଡ଼ିଛି l ବିଦ୍ୟାଶ୍ରୀ ଘରୁ ବାହାରିଯିବା ପରେ ଆଦିତ୍ୟ ତାଙ୍କୁ କାହିଁକି ଖୋଜାଖୋଜି କରି ନ ଥିଲେ ଓ ବିଦ୍ୟାଶ୍ରୀ କାହିଁକି ଏ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ କିମ୍ୱା ନିଜ ଶାଶୁଶ୍ୱଶୁରଙ୍କୁ ଜଣାଇ ନ ଥିଲେ ତାହା ବି ରହସ୍ୟମୟ ହୋଇ ରହିଛି l ଅନେକ ପ୍ରଶ୍ନର ଉତ୍ତର ବିଦ୍ୟାଶ୍ରୀ କ୍ରାଇମ ବ୍ରାଞ୍ଚ ଆଗରେ ରଖିଛନ୍ତି ସତ, ହେଲେ ସେଥିରେ କ୍ରାଇମ ବ୍ରାଞ୍ଚ ଟିମ ସନ୍ତୁଷ୍ଟ ନ ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି l
ଆରମ୍ଭରୁ ବିଦ୍ୟାଶ୍ରୀ ସମସ୍ତ ଦୋଷ ଆଦିତ୍ୟଙ୍କ ସମାଜସେବା ସଙ୍ଗଠନ ‘ପିପୁଲ ଫର ସେବା’ ଉପରେ ଲଦି ଚାଲିଛନ୍ତି l ‘ପିପୁଲ ଫର ସେବା’ର ଆର୍ଥିକ କାରବାରରେ ହୋଇଥିବା କ୍ଷତି ପାଇଁ ଆଦିତ୍ୟଙ୍କ ସହଯୋଗୀ ତଥା ବନ୍ଧୁ ପପୁ ଓ ବିକାଶଙ୍କୁ ତାଙ୍କ ମୃତ୍ୟୁ ପାଇଁ ଅଧିକ ଦାୟୀ କରିଛନ୍ତି ବିଦ୍ୟାଶ୍ରୀ l
‘‘ସତ୍ୟ ପଦାକୁ ଆସୁ l ସେଥି ପାଇଁ ଆରମ୍ଭରୁ ହିଁ ମୁଁ ଲାଇ ଡିଟେକ୍ଟର୍ ଟେଷ୍ଟ କରିବାକୁ ଦାବି କରୁଥିଲି l କ୍ରାଇମ ବ୍ରାଞ୍ଚର ସବୁ ପ୍ରକାର ତଦନ୍ତକୁ ମୁଁ ସ୍ଵାଗତ କରୁଛି,’’ କହିଛନ୍ତି ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ବିବାହକୁ ଗୋଟିଏ ମାସ ବି ପୂରି ନ ଥିଲା ଆଦିତ୍ୟଙ୍କ ମୃତ୍ୟୁ ହେଲା ।

ସମାଜସେବୀ ଆଦିତ୍ୟ ଦାଶ
ଆଦିତ୍ୟ ତ୍ରିଲୋଚନ ନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ l ସେ ମଦ ଓ ନିଶା ବିରୋଧୀ ଅଭିଯାନରେ ଏକ ପ୍ରମୁଖ ଯୋଦ୍ଧା ଥିଲେ । ସୋସିଆଲ ମିଡ଼ିଆରେ ମଦ ବିକ୍ରୀ ବିରୋଧରେ ସେ ଅନେକ ଶାଣିତ ଓ ବିପ୍ଳବାତ୍ମକ କଥା ଓ କବିତା ଶୁଣାଉଥିଲେ । ଅନେକ ପ୍ରେରଣାତ୍ମକ ଭିଡ଼ିଓ ସେ ଅପଲୋଡ଼ କରୁଥିଲେ l
ଏହି ମୃତ୍ୟୁ ମାମଲାର ତଦନ୍ତରେ ବିଶେଷଜ୍ଞଙ୍କ ମତ ଲୋଡ଼ିଛି କ୍ରାଇମ ବ୍ରାଞ୍ଚ l ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ତର୍ଜମା କରିବାକୁ କଟକ ଏସ.ସି.ବି. ମେଡିକାଲ କଲେଜର ଫରେନସିକ ମେଡିସିନ ଟକ୍ସିକୋଲୋଜି (ଏଫ.ଏମ.ଟି.) ବିଭାଗର ବିଶେଷଜ୍ଞଙ୍କ ମତ ଲୋଡ଼ାଯାଇଛି l ସେଦିନ ଟ୍ରେନ ଧକ୍କାରେ କୌଣସି ଲୋକର ମୃତ୍ୟୁ ହୋଇ ନ ଥିବା ତିନିଟି ଟ୍ରେନର ଲୋକୋ ପାଇଲଟ ବୟାନ ଦେବା ପରେ ଆଦିତ୍ୟଙ୍କ ମୁଣ୍ଡ ଓ ଶରୀରର ବହୁତ ଅଂଶରେ କେମିତି ଅନେକ ଆଘାତ ଲାଗିଲା ତାହା ଜାଣିବାକୁ ଏଫ.ଏମ.ଟି.ର ମତ ଲୋଡ଼ିଛି କ୍ରାଇମ୍ ବ୍ରାଞ୍ଚ l
ଆଦିତ୍ୟ ମୃତ୍ୟୁ ପୂର୍ବରୁ ଲେଖିଥିବା ଚାରି ପୃଷ୍ଠା ସମ୍ବଳିତ ଚିଠି ଉପରେ ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟରେ କୁହାଯାଇଥିଲା ଯେ ସେହି ଚିଠି ଆଦିତ୍ୟଙ୍କ ନିଜ ହାତରେ ଲେଖା ହୋଇଛି । ହେଲେ ତା’ ଉପରେ ବି ପୁଣି ଥରେ ତର୍ଜମା କରୁଛି କ୍ରାଇମ ବ୍ରାଞ୍ଚ l ଚିଠିଟି ଆଦିତ୍ୟ ଚାପରେ ଆସି ଲେଖିଛନ୍ତି ନା ନିଜ ଇଛାରେ ଲେଖିଛନ୍ତି ତାହା ଜାଣିବା ପାଇଁ ଟେକନିକାଲ ବିଶେଷଜ୍ଞଙ୍କ ମତକୁ ଅପେକ୍ଷା କରାଯାଇଛି l
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ଅସରନ୍ତି ATM; ଇଡି ବି ତଦନ୍ତ କରୁଛିଏହା ବି ପଢ଼ନ୍ତୁ | ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ‘‘ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କ୍ରାଇମ ବ୍ରାଞ୍ଚ ରିପୋର୍ଟଗୁଡିକୁ ପୁନଃ ସମୀକ୍ଷା କରିପାରିବ l ଅନେକ ସମୟରେ ମିଡ଼ିଆ ଚାପରେ ଓ ତରବରିଆ ଭାବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରିଥାଆନ୍ତି ଡାକ୍ତର l ତେଣୁ ରିପୋର୍ଟଗୁଡ଼ିକର ପୁନଃ ସମୀକ୍ଷା ହେଲେ ନୂଆ ତଥ୍ୟ ମିଳିବାର ସମ୍ଭାବନା ଥାଏ,’’ କହିଛନ୍ତି ପୂର୍ବତନ ପୋଲିସ ଡିଜିପି ବିପିନ ମିଶ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।