News18 Odia Digital
ଭୁବନେଶ୍ୱର: ଆଠ ଦିନ ବିତିଗଲା, କିନ୍ତୁ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ହଟି ପାରିଲାନି ପରଦା । ତଦନ୍ତ କରୁଥିବା ରେଳବାଇ ପୋଲିସ ନିଷ୍କର୍ଷରେ ପହଞ୍ଚି ପାରିନି। ଏହାକୁ ନେଇ ବିଭିନ୍ନ ମହଲରୁ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ କଥିତ ‘‘ସୁଇସାଇଡ଼ ନୋଟ’’ ପଠାଇଛି ସରକାରୀ ରେଳବାଇ ଥାନା ବା ଜିଆରପି।
ମୋବାଇଲ ଫୋନର କଲ୍ ରେକର୍ଡ଼ ବି ଯାଞ୍ଚ କରୁଛି ପୋଲିସ । ହ୍ୟାଣ୍ଡରାଇଟିଂ ବ୍ୟୁରୋର ନିଷ୍କର୍ଷ ଓ କଲ ରୋକର୍ଡ଼ର ବିଶ୍ଳେଷଣ ଓ ତଦନ୍ତରୁ ମୋଟିଭେସେନାଲ ସ୍ପିକର ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ସାତ ଦିନ ହେବ ଚାଲିଥିବା ତଦନ୍ତ ପରେ କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନ ଥିବା ଜିଆରପି ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲକୁ ସିଜ କରିବା ସହ ଷ୍ଟେଟ ଫରେନ୍ସିକ ଲ୍ୟାବରେ ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଦେଇଛି କଥିତ ସୁଇସାଇଡ଼ ନୋଟ ।
ଚାରି ପୃଷ୍ଠାର ଏହି ‘‘ସୁଇସାଇଡ଼ ନୋଟ’’ ଆଦିତ୍ୟ ନିଜେ ଲେଖିଛନ୍ତି ନା ଆଉ କିଏ ଲେଖିଛି ତାକୁ ନେଇ ଯାଞ୍ଚ କରିବ ହ୍ୟାଣ୍ଡରାଇଟିଂ ବ୍ୟୁରୋର ସାତଜଣିଆ ବିଶେଷଜ୍ଞଙ୍କ ଟିମ୍ । କେବଳ ଏତିକି ଭିତରେ ସୀମିତ ନାହିଁ ‘‘ମାନବ ପ୍ରେମୀ ଆଦିତ୍ୟ ଦାସ’’ ନାମରେ ଜଣାଶୁଣା ଏହି ସମାଜସେବୀଙ୍କ ମୃତ୍ୟୁର ତଦନ୍ତ । ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ପ୍ରୀତମଙ୍କ ସମେତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ମା’ ଓ ବିକାଶର ଭଉଣୀକୁ ବି ଜେରା କରିବ ଜିଆରପି ।

ଏହି ମୃତ୍ୟୁ ଘଟଣାର ତଦନ୍ତ କରୁଛି ଭୁବନେଶ୍ୱର ଜି.ଆର.ପି.
ଘଟଣା ଘଟିବା ଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ଟା ମଧ୍ୟରେ ଲିଙ୍ଗରାଜ ଷ୍ଟେସନ ଦେଇ ଯାତାୟତ କରିଥିବା ଟ୍ରେନ ପାଇଲଟଙ୍କ ତାଲିକା ମଧ୍ୟ ପାଇସାରିଛି ଜିଆରପି । ସେ ନେଇ ପାଇଲଟଙ୍କୁ ମଧ୍ୟ ପଚରାଉଚୁରା କରିବ ରେଳବାଇ ପୋଲିସ । ଏ ନେଇ ରେଳବାଇ ଏସପି ଅଶୋକ ବିଶ୍ୱାଳ କହିଛନ୍ତି, ‘‘ଠିକଣା ଦିଗରେ ତଦନ୍ତ ହେଉଛି। ପ୍ରାଥମିକ ତଦନ୍ତ କହୁଛି ଏହା ଆତ୍ମହତ୍ୟା। ହେଲେ ବିଭିନ୍ନ ଦିଗକୁ ଭିତ୍ତି କରି ରେଳବାଇ ପୋଲିସ ତଦନ୍ତ କରୁଥିବାରୁ ସମସ୍ତେ ସହଯୋଗ ବି କରୁଛନ୍ତି। ଘଟଣା ଘଟିବା ଦିନ ରେଳ ଗାଡ଼ି ଯେଉଁ ସମୟରେ ଲିଙ୍ଗରାଜ ଷ୍ଟେସନ ପାସ କରିଛି ତାହାର ତାଲିକା ମଧ୍ୟ ମଗା ଯାଇଛି। ସେ ତାଲିକା ଆମର ହସ୍ତଗତ ହୋଇଛି । ତଦନ୍ତ ପରେ ସ୍ପଷ୍ଟ ହେବ ଆଦିତ୍ୟ ମୃତ୍ୟୁର ପ୍ରକୃତ କାରଣ କ’ଣ।’’
ମାନବ ପ୍ରେମୀ ଭାବେ ସୋସିଆଲ ମିଡ଼ିଆରେ ପରିଚିତ ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ l ଗତ ମଙ୍ଗଳବାର (ଜୁଲାଇ ୬) ସକାଳୁ ସକାଳୁ ଲିଙ୍ଗରାଜ ଷ୍ଟେଶନ ନିକଟରେ ଟ୍ରେନ ଲାଇନ କଡ଼ରୁ ମିଳିଥିଲା ତାଙ୍କ ରକ୍ତାକ୍ତ ଶରୀର l ଆଦିତ୍ୟଙ୍କ ମୁଣ୍ଡରେ ଆଘାତ ଲାଗିଥିଲା l ଜିଆରପି ଥାନା ପୋଲିସ ମୃତ ଶରୀରକୁ ଜବତ କରି ତଦନ୍ତ ଆରମ୍ଭ କରିଛି l ୨୦୨୦ ଜୁନ ୯ରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା l ବିଦ୍ୟାଶ୍ରୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା l ତେବେ ବିବାହର ଗୋଟିଏ ମାସ ନ ପୁରୁଣୁ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଲାଗି ରହିଛି ସସପେନ୍ସ l
ଏହା ବି ପଢ଼ନ୍ତୁ:
କ’ଣ ଲେଖାଥିଲା ଆଦିତ୍ୟ ଦାଶଙ୍କ ‘ସୁଇସାଇଡ୍ ନୋଟ୍’ରେ: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’ମାନବ ପ୍ରେମୀଙ୍କ ମୃତ୍ୟୁର ସତାସତ୍ୟ ପାଇଁ ଚାଲିଥିବା ତଦନ୍ତ ଯେତିକି ବିଳମ୍ବ ହେଉଛି, ସନ୍ଦେହ ସେତିକି ବଢୁଛି। ପୋଲିସ ଆଠ ଦିନ ହେବ ଅନ୍ଧାରରେ ବାଡ଼ି ବୁଲାଉଛି ବୋଲି କହିବା ଆରମ୍ଭ କଲେଣି ଆଦିତ୍ୟଙ୍କ ଅନେକ ଶୁଭେଚ୍ଛୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।