ଆଦିତ୍ୟ ଦାଶଙ୍କ ଡାଏରୀ: ‘‘ନିଶାମୁକ୍ତ ସମାଜ ପାଇଁ ଲାଗିଥିଲି, ସରକାର ଶୁଣିଲେନି, ମୁଁ ହାରି ଯାଇଛି’’

ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଯୁବ ସ୍ୱେଚ୍ଛାସେବୀ ଆଦିତ୍ୟଙ୍କ ପତ୍ନୀ କହିଛନ୍ତି ସେ କେବେ ବି ଆତ୍ମହତ୍ୟା କରି ନ ଥିବେ । ହେଲେ ତାଙ୍କ ଡାଏରୀରେ ନିଶାମୁକ୍ତ ସମାଜ ଗଠନ ପାଇଁ ତାଙ୍କ ଚେଷ୍ଟା ବିଷୟରେ ଲେଖାଅଛି ବୋଲି ସେ କହିଛନ୍ତି ।

ଆଦତ୍ୟ ଦାଶ (ବାମ); ପୋଲିସ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ପଚରାଉଚରା କରୁଛି ।

ଆଦତ୍ୟ ଦାଶ (ବାମ); ପୋଲିସ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ପଚରାଉଚରା କରୁଛି ।

  • Share this:
News18 Odia Digital

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଉପରୁ ପରଦା ହଟିନି । ଯଦିଓ ପୋଲିସର ପ୍ରାଥମିକ ତଦନ୍ତ କହୁଛି ଏହା ଆତ୍ମହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ରେଳବାଇ ପୋଲିସ । ଆଜି ତିନୋଟି ସ୍ଥାନ ଯଥା ଆଦିତ୍ୟଙ୍କ ମର ଶରୀର ଯେଉଁଠି ପଡିଥିଲା ଲିଙ୍ଗରାଜ ଷ୍ଟେସନ, ସୁନ୍ଦରପଦାର ତ୍ରିଲୋଚନ ପୁରରେ ଥିବା ଆଦିତ୍ୟଙ୍କ ଜରାଶ୍ରମ ଓ ଏକାମ୍ର ବିହାରରେ ଥିବା ତାଙ୍କ ଘରକୁ ଯାଇ ତଦନ୍ତ କରିବା ସହ ବୟାନ ରେକର୍ଡ କରିଛି । ହେଲେ ତଦନ୍ତ ପରେ  ରେଳବାଇ ଏସପି ଅଶୋକ ବିଶ୍ୱାଳ ଯେଉଁ କଥା କହିଛନ୍ତି ତାହା ତଦନ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚାଇଛି।

ଘଟଣା ଘଟିବା ଦିନ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ବୋଲି ପୋଲିସ ସୂଚନା ପାଇଛି । ଆଦିତ୍ୟ ଚାହୁଁଥିଲେ ତାଙ୍କ ପତ୍ନୀ ଚାକିରୀ ନ କରନ୍ତୁ । ଖାଲି ସେତିକି ନୁହେଁ, ଆଦିତ୍ୟ ତାଙ୍କ ଡାଏରିରେ ଅନେକ କିଛି ଲେଖିଛନ୍ତି । ପ୍ରକୃତରେ ତାହା ତାଙ୍କ ହାତଲେଖା କି ନୁହେଁ, ସବୁ ଅକ୍ଷର ସହ ମ୍ୟାଚ କରୁଛି କି ନାହିଁ, ତାହା ଉପରେ ତଦନ୍ତ ଜାରି ରହିଛି ବୋଲି ରେଳବାଇ ପୋଲିସ କହିଛି ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ‘‘ଆମ ଦୁଇ ଜଣଙ୍କ ଭିତରେ ଭଲ ବୁଝାବଣା ଥିଲା । କିଛି ପାଟିତୁଣ୍ଡ ହୋଇ ନ ଥିଲା । ସେ କେବେ ବି ଆତ୍ମହତ୍ୟା କରି ନ ଥିବେ । କିନ୍ତୁ ଯଦି କରିଥାନ୍ତି, ଯାହା ତାଙ୍କ ଡାଏରିରେ ଲେଖା ଯାଇଛି ତାହା ବଳିଷ୍ଠ ପ୍ରମାଣ । ତାଙ୍କ ଡାଏରିରେ ଲେଖା ଯାଇଛି ଯେ ବହୁତ ସମସ୍ୟା ରହିଛି । ନିଶାମୁକ୍ତ ସମାଜ ଗଠନ ପାଇଁ ଲାଗିଥିଲି । ସରକାର ଶୁଣିଲେନି । ତାହା ମୋ’ ଦ୍ୱାରା ସମ୍ଭବ ହେଲାନି । ତେଣୁ ମୁ ହାରି ଯାଇଛି ।’’

ଆଦିତ୍ୟ ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ ମାସେ ତଳେ ପ୍ରେମ ବିବାହ କରିଥିଲେ ।


ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ନିଜ ଫେସବୁକ ପୋଷ୍ଟରେ ସମୀର ଲେଖିଛନ୍ତି: ‘‘ଆଦିତ୍ୟଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ସନ୍ଦେହ ପ୍ରକଟ କରିଛନ୍ତି । ମୁଁ କଟକ ରେଳବାଇ ଆରକ୍ଷୀ ଅଧିକ୍ଷକ ଅଶୋକ ବିଶ୍ୱାଳଙ୍କ ସହ କଥା ହୋଇଛି । ଠିକଣା ତଦନ୍ତ କରି ରାଜ୍ୟବାସୀଙ୍କ ପାଖରେ ସତ୍ୟ ପ୍ରକାଶ ହେଉ ।’’

‘‘ପ୍ରାଥମିକ ତଦନ୍ତ କହୁଛି ଏହା ଏକ ଆତ୍ମହତ୍ୟା । କିନ୍ତୁ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ତାଙ୍କର କଲ୍‌ ରେକର୍ଡ଼ ଯାଞ୍ଚ କରାଯାଉଛି । ଅନ୍ତେବାସୀଙ୍କ ମତ ନେଇଛୁ । ଯେହେତୁ ସେ ନିଶା ନିବାରଣ ସଙ୍ଗଠନ କରିଥିଲେ, ସେଥି ପାଇଁ କିଛି ଧମକ ଚମକ ହୋଇଥିଲା କି ନାହିଁ, ସେ ନେଇ ତାଙ୍କ ସହକର୍ମୀଙ୍କ ସହ ପଚରାଉଚୁରା କରାଯାଉଛି । ଖାଲି ସେତିକି ନୁହେଁ ଘଟଣା ଘଟିବା ଦିନ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା । ହେଲେ ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ କିଛି କଥା ଲେଖା ଯାଇଛି, ଯାହାକୁ ଆଧାର କରି ତଦନ୍ତ ଆଗକୁ ଯିବ,’’ କହିଛନ୍ତି ରେଳବାଇ ଜିଆରପି ଏସ୍‌.ପି. ଅଶୋକ ବିଶ୍ବାଳ ।

ଦୁଃଖରେ ଭାଙ୍ଗି ପଡିଛନ୍ତି ଆଦିତ୍ୟଙ୍କ ଦ୍ୱାରା ସୁନ୍ଦରପଦାରେ ପ୍ରତିଷ୍ଠା ହୋଇଥିବା ଜରାଶ୍ରମର ଅନ୍ତେବାସୀମାନେ । ‘ପିପୁଲ ଫର ସେବା’ ସଙ୍ଗଠନ ପକ୍ଷରୁ ଏହା ପରିଚାଳିତ ହେଉଥିଲା । ଆଦିତ୍ୟ ଯିବା ପରେ ଏହା କେମିତି ଚାଲିବ ତାକୁ ନେଇ ପ୍ରଶ୍ନ ଉଠିଛି ।

‘‘ଏ ଘର ମୁରବୀ ଶୂନ୍ୟ ହୋଇଗଲା । ଘରର ବଡ଼ ପୁଅ ଚାଲିଗଲା । କିଏ ଆଉ ଆହା ପଦେ କରିବ? କିଏ ଆଉ ପେଟକୁ ଦାନା ଦେବ?’’ ଅତି ଭାବ ବିହ୍ୱଳ ହୋଇ କହିଛନ୍ତି ମାନି ମାଉସୀ ବୋଲି ଜଣାଶୁଣା ଜଣେ ଅନ୍ତେବାସୀ ।
Published by:Anand Shankar Thankur Das
First published: