ସୁନାବେଶ ଦର୍ଶନ କଲେ ୧୩ ଲକ୍ଷରୁ ଉର୍ଦ୍ଧ ଭକ୍ତ ; ଆଜି ରଥ ଉପରେ ଅଧରପଣା ନୀତି 

ସୁନାବେଶରେ ଶ୍ରୀଜୀଉ

ସୁନାବେଶରେ ଶ୍ରୀଜୀଉ

  • Share this:
News 18 Odia Digital

ପୁରୀ;  ମଥା, କମର, ହସ୍ତରେ ସୁସଜ୍ଜିତ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ରଥ ଉପରେ ତିନି ଦିଅଁ ଭକ୍ତଙ୍କୁ ସୁନାବେଶର ଦର୍ଶନ ଦେଇଛନ୍ତି । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ସୁସଜ୍ଜିତ ଦର୍ଶନ ପାଇଁ ପୁରୀରେ ଭିଡ଼ ଜମାଇଥିଲେ । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ସମ୍ମୁଖକୁ ଭକ୍ତକଙ୍କର ସୁଅ ଛୁଟିଥିଲା । ଜୟ,ଜଗନ୍ନାଥ ନମ ସହ ଘଣ୍ଟ,ଘଣ୍ଟା, ହରିବୋଲ ଓ ହୁଳହୁଳି ଶବ୍ଦରେ ବଡ଼ଦାଣ୍ଡ ଉଛୁଳି ପଡୁଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ଭାବବିହ୍ୟୁଳ ହୋଇପଡ଼ିଥିଲେ ଭକ୍ତ । ୨ବର୍ଷ ପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନର ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହୁଁନଥିଲେ ।



ସନ୍ଧ୍ୟା ଆଳତି ସରିବା ପରେ ଅପରାହ୍ଣ ୪ଟା ପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ଆରମ୍ଭ ହୋଇଥିଲା । ସିଂହଦ୍ୱାର ପଟେ ରତ୍ନ ଭଣ୍ଡାରରୁ ତିନି ରଥ ଉପରକୁ ସ୍ୱର୍ଣ୍ଣ ଅଳଙ୍କାର ଆସିବା ପରେ ଶ୍ରୀଜୀଉଙ୍କୁ ସୁନାରେ ସୁସଜ୍ଜିତ କରାଯାଇଥିଲା ।



ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କୁ ଶ୍ରୀଅଙ୍ଗ ଅଳଙ୍କାର ଲଗାଯିବା ପରେ ମହାପ୍ରଭୁ ଜଗନ୍ନାଥ ଓ ମାଆ ସୁଭଦ୍ରାଙ୍କ ଠାରେ ସ୍ୱର୍ଣ୍ଣ ଅଳଙ୍କାର ଲାଗିଥିଲା । ବିଗତ ଦୁଇବର୍ଷ ଶୀଘ୍ର ହୋଇଥିବା ବେଳେ ଚଳିତବର୍ଷ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଭକ୍ତଙ୍କ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ପ୍ରଶାସନ ମଧ୍ୟ ଭକ୍ତଙ୍କ ଶୃଙ୍ଗଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା ।



ରଥ ଉପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥାରୁଢ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ । ତେବେ ପୂର୍ବରୁ ୧୨ ହାଣ୍ଡି ଅଧରପଣା ହେଉଥିବା ବେଳେ ଏବେ ୯ ହାଣ୍ଡି ହେଉଛି । ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇଥାନ୍ତି । ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଛାଚି, ଗୋଲମରିିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖନ୍ତି । ପ୍ରତି ଠାକୁରଙ୍କ ସମ୍ମୁଖରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକାର ମାଟି ନିର୍ମିତ ତିନିଗୋଟି ହାଣ୍ଡି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ ।

ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆରମାନେ ଭିତରଚ୍ଛ, ତଳିଚ୍ଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏ ଧଳା କରିଆ (ଜାଲି କନା) ପକାଯାଏ । ପବିତ୍ର ଜଳକୁ ଛାଣିବା ଉଦ୍ଦେଶ୍ୟରେ ଏହା ପକାଯାଇଥାଏ । ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାକୁ ପତ୍ରୀବଡୁ, ସୁଆରବଡ଼ୁ, ଗରାବଡ଼ୁ ପାଳିଆ ସେବକ ତିନିରଥ ଉପରେ ପୂଜାର୍ଚ୍ଚନା କରନ୍ତି। ଏହାପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ଲଗାଇଥାନ୍ତି । ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ପ୍ରପାନକପୂର୍ଣ୍ଣ ଏହି ପାତ୍ରମାନଙ୍କୁ ଭାଙ୍ଗି ଦିଆଯାଏ। ଲୋକକଥା ରହିଛି କି ତିନିରଥ ଉପରେ ଠାକୁରମାନଙ୍କୁ ଅର୍ପିତ ଅଧରପଣା ଭୋଗ ରଥର ପାର୍ଶ୍ୱ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ବିଧାନ ବହୁ ପ୍ରାଚୀନ କାଳରୁ ରହିଆସିଛି । ଏଥିପାଇଁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ଆସନ୍ତାକାଲି ଅର୍ଥାତ ୧୨ ତାରିଖରେ ନିଳାଦ୍ରି ବିଜେ । ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ କ୍ରୋଧିତ ଅଛନ୍ତି ମହାମାୟୀ । ମା' ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ନୀଳାଦ୍ରି ବିଜେ କରିବେ ମହାପ୍ରଭୁ । ପରଦିନ ବାହାରିବ ନିଳାଚଳ ଅବଢ଼ା । ଏନେଇ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।
Published by:Soubhagya Mishra
First published: