News 18 Odia Digital
ପୁରୀ; ହ୍ୟାଣ୍ଡ୍ବଲ୍ରେ ( handball ) ଭାରତକୁ ପ୍ରତିନିଧିତ୍ୱ କରି ଦିନେ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ । ନା ଭିତ୍ତିଭୂମି ଥିଲା, ନା ପ୍ରୋତ୍ସାହନ। ତଥାପି ସବୁ ପ୍ରତିକୂଳ ପରିସ୍ଥିତିକୁ ଏଡ଼େଇ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ଶ୍ରୀକ୍ଷେତ୍ର ମାଟିର ସନ୍ତାନ ଆକାଶ ପଟ୍ଟନାୟକ । ଯେବେ ରୌପ୍ୟ ପଦକ ନେଇ ଉଜ୍ବେକିସ୍ତାନରୁ ଲେଉଟିଲେ ପ୍ରଶଂସାର ସୁଅ ଛୁଟିଥିଲା। ମାତ୍ର ଏ ଖୁସି ଆକାଶଙ୍କ ପାଇଁ ବେଶିଦିନ ରହିନଥିଲା। ହ୍ୟାଣ୍ଡ୍ବଲ୍ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ ମଧ୍ୟ ପରିବାରର ବୋଝ ତାଙ୍କୁ ସିକ୍ୟୁରିଟି ଗାର୍ଡ ( security guard ) ସଜେଇ ଦେଲା। ଯେଉଁ ହାତ ବଲ୍ରେ ଚକ୍ମା ଦେଖାଇ ଦିନେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲା, ସେ ହାତରେ ଏବେ ରହିଛି ସୁରକ୍ଷାକର୍ମୀଙ୍କ ଲାଠି। ତାଙ୍କର ପ୍ରତିଭା ନୁହେଁ ଏବେ ତାଙ୍କୁ ଜଣେ ସାଧାରଣ ସିକ୍ୟୁରିଟି ଗାର୍ଡ ଭାବେ ଦେଖାଯାଉଛି। ଅନିଚ୍ଛା ସତ୍ତ୍ୱେ କେଇଟଙ୍କାର ମୂଲ ପାଇଁ ସୁରକ୍ଷାର ବାଡ଼ି ଧରି ବାଟ ଓଗାଳିବା କାର୍ଯ୍ୟ କରୁଛନ୍ତି ଆକାଶ। କ୍ରୀଡା ପ୍ରତି ମୁହଁ ଫେରାଇଥିବା ଆକାଶଙ୍କ ଆଖି ଆଗରେ ଦୁଇବର୍ଷର ପୁଅ, ସ୍ତ୍ରୀ ଆଉ ପରିବାର (Family)।
ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ ଅଫର ଆସିଥିଲେ ବି ଛୁଟିରେ ଯିବାକୁ ଚାହିଁଲେ ନାହିଁ ଆକାଶ। କାରଣ ଛୁଟି ନେଲେ ମଜୁରି କଟିବ ଏ କଥା ଜାଣି ସେ ଖେଳରୁ ଦୂରେଇ ଯାଇଥିଲେ। କ୍ରୀଡ଼ା ପାଇଁ ସରକାର ଭିତ୍ତିଭୂମି ସଜାଡ଼ିବାରେ ମାତିଛନ୍ତି, ଏଣେ କ୍ରୀଡ଼ା ପ୍ରତିଭାମାନେ ପେଟ ପାଇଁ ସଂଘର୍ଷ କରୁଥିଲେ ବି ଏହା ସରକାରଙ୍କ ଦୃଷ୍ଟିରେ ପଡ଼ୁନାହିଁ ।
ଯେବେ ପିଲାମାନେ କ୍ରିକେଟ କିମ୍ବା ଫୁଟ୍ବଲ ପଛରେ ଅନ୍ଧ ଭଳି ଧାଉଁଥିଲେ, ସେତେବେଳେ ହ୍ୟାଣ୍ଡ୍ବଲ୍ ପ୍ରେମରେ ପଡ଼ିଥିଲେ ଆକାଶ। ୨୦୧୨ ମସିହାରେ ସେ ବିଧିବଦ୍ଧ ଭାବେ ହ୍ୟାଣ୍ଡ୍ବଲ୍ ଅଭ୍ୟାସ ଆରମ୍ଭ କରିଥିଲେ। ୫ ଫୁଟ ୧୧ ଇଞ୍ଚ ଉଚ୍ଚତା ଶରୀରଧାରୀ ଆକାଶଙ୍କ ପ୍ରତିଭା ଦେଖି କୋଚ୍ ଜିତେନ୍ଦ୍ର ନାଥ ଦାଶ ଆକର୍ଷିତ ହୋଇଥିଲେ। ଜିଲ୍ଲା ଓ ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କଲେ। ଶେଷରେ ୨୦୧୯ ମସିହାରେ ଓଡ଼ିଶାରୁ ୩ ଜଣ ଭାରତୀୟ ଦଳରେ ସ୍ଥାନ ପାଇବା ଥିଲା ଓଡ଼ିଶା କ୍ରୀଡ଼ା ଇତିହାସର ଏକ ଅନନ୍ୟ ଘଟଣା। ସେଥିରେ ପୁରୀର ଅନ୍ୟତମ ଖେଳାଳି ରଂଜିତ ମହାନ୍ତି ଓ ଭୁବନେଶ୍ୱରର ଆର୍ଯ୍ୟନ ବ୍ରାହ୍ମିନଙ୍କ ସହ ଆକାଶ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଲକ୍ଷ୍ନୌ ଶିବିରରେ ଭଲ ପ୍ରଦର୍ଶନ କରି ସେ ଏହି ସୁଯୋଗ ପାଇଥିଲେ। ୨୦୧୯ ମସିହା ସେପ୍ଟେମ୍ବରରେ ଉଜ୍ବେକିସ୍ତାନରେ ଆୟୋଜିତ ଇଣ୍ଡେପେଣ୍ଡେନ୍ସ କପ୍ ଅନ୍ତର୍ଜାତୀୟ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଜ୍ବେକିସ୍ତାନରେ ଆୟୋଜିତ ସମସ୍ତ ମ୍ୟାଚ୍ ଖେଳି ସେଣ୍ଟର୍ ବ୍ୟାକ୍ ଓ ଲେଫ୍ଟ ୱିଙ୍ଗରେ ଉନ୍ନତ ପ୍ରଦର୍ଶନ କରି ମନ ଜିଣିଥିଲେ। ସେଠାରୁ ଫେରିବା ପରେ ସାଧାରଣତନ୍ତ୍ର ଦିବସ ପରେଡ୍ ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାତ୍ର ଏହି ଅଭାବୀ କ୍ରୀଡ଼ା ପ୍ରତିଭାଙ୍କ ଭବିଷ୍ୟତ ନେଇ କୌଣସି ପ୍ରଶାସକ ଆଗ୍ରହ ଦେଖାଇନଥିଲେ। ଉଜ୍ବେକିସ୍ତାନରୁ ପଦକ ନେଇ ଲେଉଟିବା ପରେ ଆକାଶ କେବଳ ଗୋଟିଏ କଥା ପ୍ରତିବେଦନ ରଖିଥିଲେ। ପ୍ରଶଂସକ ଓ ପ୍ରଶାସନ ଉଦ୍ଦେଶ୍ୟରେ କହିଥିଲେ, ମୁଁ ଦେଶ ପାଇଁ ଆହୁରି ଖେଳିବି, କେବଳ ମୋ ପରିବାରର ପେଟ ଚାଖଣ୍ଡକୁ ଚାହିଁଥିବେ। ମାତ୍ର ତାଙ୍କର ଏହି ଦରଦଭରା ଅଭିବ୍ୟକ୍ତି ଯେମିତି କାହା ପାଇଁ କିଛି ମାନେ ରଖିନଥିଲା। ପରିବାର ସଦସ୍ୟଙ୍କ ମୁହଁରେ ଦୁଇ ଓଳା ଆହାର ଦେବା ପାଇଁ ସେ କିଛି ବ୍ୟକ୍ତିଙ୍କ ଜରିଆରେ ପ୍ରଶାସନକୁ ନିଜର ଦୁଃଖ ଜଣାଇଛନ୍ତି। ମାତ୍ର କିଛି ଉପାୟ ନପାଇ ଶେଷରେ ସିକ୍ୟୁରିଟି ଗାର୍ଡ ସାଜିଲେ। ଏପରିକି ମହଙ୍ଗା ଯୁଗରେ ପରିବାର ଚଳାଇବା ପାଇଁ ଅର୍ଥ ଅଣ୍ଟୁନଥିବାରୁ ସେ ଓଭରଡ୍ୟୁଟି ମଧ୍ୟ କରୁଛନ୍ତି।
ଆକାଶ ଉଜ୍ବେକିସ୍ତାନରୁ ଖେଳି ପହଞ୍ଚିବା ପରେ ଯେଉଁ ସାଙ୍ଗମାନେ ଆକାଶଙ୍କ ପ୍ରଶଂସା କରିଥିଲେ, ଆଜି ସେମାନେ ଥଟ୍ଟା କରୁଛନ୍ତି। ତେଣୁ ସେ ଯେ କେବେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ଏହା ଭୁଲିଯିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିମାନରେ କହିଛନ୍ତି। ମାତ୍ର ଅଭିମାନ ସିନା ଅଛି, କିନ୍ତୁ ଆଜି ବି ସେ ହ୍ୟାଣ୍ଡ୍ବଲ୍ ଶିଖିବା ଓ ଶିଖାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ୪ ଘଣ୍ଟା ସମୟ ଦିଅନ୍ତି। ତାଙ୍କ ନିକଟରେ ଏବେ ବି ୨୫ ଜଣ ଯୁବକ ହ୍ୟାଣ୍ଡ୍ବଲ୍ ଅଭ୍ୟାସ କରୁଛନ୍ତି। ମାତ୍ର ଆକାଶଙ୍କ ଅବସ୍ଥା ଦେଖି ତାଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିବା ଯୁବବର୍ଗ ବି ବେଳେ ବେଳେ ନିରାଶ ହୁଅନ୍ତି। ଏହା ଆକାଶଙ୍କୁ ମଧ୍ୟ କଷ୍ଟ ଦିଏ । ଚାକିରିଟିଏ ପାଇଁ ଇଚ୍ଛା ଅଛି, କିନ୍ତୁ ମୁହଁ ଖୋଲି ତାଙ୍କ ପ୍ରତିଭା ବାବଦରେ ପ୍ରଶାସନ ପାଖରେ କହିବାକୁ ତାଙ୍କ ସ୍ୱାଭିମାନୀ ବ୍ୟକ୍ତିତ୍ୱ ପଛକୁ ଟାଣିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।