News18 Odia Digital
ପୁରୀ: ସରିଛି ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା। ପ୍ରବଳ ପ୍ରତାପୀ କଂସଙ୍କର ବଦ୍ଧ ପରେ ଏବେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଏବେ ପ୍ରାୟଶ୍ଚିତ ପାଇଁ ପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ।
ମହୋଦଧିରେ ସ୍ନାନ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିବା ସହ ଅଭିନୟରେ ହିନ୍ଦୁ ଦେବାଦେବୀଙ୍କୁ ଅନେକ କିଛି କଟୁ ମନ୍ତବ୍ୟ ଦେଇଥିବାରୁ ଧର୍ମଗୁରୁ କ୍ଷମା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ ସେ। ସେପଟେ ଜଗଦଗୁରୁଙ୍କ ଠାରୁ ଆଶୀର୍ବାଦ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୃଷିକେଶ ଭୋଇ।
ଶେଷ ହୋଇଛି ବରଗଡ ଧନୁଯାତ୍ରାର ୧୧ ଦିନର ଉତ୍ସବ। କୃଷ୍ଣ ବଳରାମ ମାମୁଁଙ୍କୁ ବଦ୍ଧ କରିବା ପରେ ସରିଛି ପ୍ରବଳ ପ୍ରତାପୀ କଂସର ରାଜୁତି। ଆଉ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ପୁରୀରେ ପହଞ୍ଚିବା ପରେ ପ୍ରାୟଶ୍ଚିତ କରିଛନ୍ତି।
ଶନିବାର ପୁରୀରେ ପହଞ୍ଚି ସିଧାସଳଖ ଯାଇଥିଲେ ଗୋବର୍ଦ୍ଧନ ପୀଠ। ମଠରେ ସ୍ନାନ କରିବା ପରେ ଗୁରୁଜୀଙ୍କ ଦର୍ଶନ କରିବା ପାଇଁ ବାହାରିଥିଲେ ସେ। ସେଠାରେ ଭଜନ କୀର୍ତ୍ତନ କରିବା ପରେ ଜଗଦଗୁରୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା ସହ ମୋକ୍ଷ ପ୍ରାପ୍ତି ପାଇଁ ଗୁହାରୀ କରିଥିଲେ।

ହୃଷିକେଶ ଭୋଇ ଏବେ ପ୍ରାୟଶ୍ଚିତ ପାଇଁ ପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ
ଯେଭଳି କଂସ ଅଭିନୟରେ କୃଷ୍ଣ ବଳରାମ ସମେତ ଅନେକ ହିନ୍ଦୁ ଦେବାଦେବୀମାନଙ୍କ ଉଦ୍ଦେଶ୍ୟରେ କଟୁ ମନ୍ତବ୍ୟ କରିଥିଲେ। ତେଣୁ ସେଥିପାଇଁ ଏବେ କଂସ ବଦ୍ଧ ହୋଇସାରିବା ପରେ ସାଧାରଣ ଲୋକ ଭାବେ ହୃଷିକେଶ ନିଜର ପ୍ରାୟଶ୍ଚିତ ପାଇଁ ଧର୍ମଗୁରୁଙ୍କ ନିକଟରେ କ୍ଷମା ଭିକ୍ଷା କରିଛନ୍ତି।
ଗୁରୁଜୀ ତାଙ୍କୁ ମାଳ ପକାଇ ଆଶୀର୍ବାଦ ଦେବା ସହ ସବୁବେଳେ ଧର୍ମର ରକ୍ଷା ପାଇଁ କାର୍ଯ୍ୟ କରିବା ଦରକାର ବୋଲି ଉପଦେଶ ଦେଇଛନ୍ତି। ତେବେ ତାଙ୍କର ଅଭିନୟ ପରେ ସେ ନିଜର କଂସ ଭାବନାକୁ ଦୂରେଇବା ସହ ମନରେ ଜଗନ୍ନାଥଙ୍କ ଶରଣ ହିଁ ତାଙ୍କୁ ସୁମାର୍ଗ ଦେଖାଇବ ବୋଲି କହିଛନ୍ତି ଗୋବର୍ଦ୍ଧନ ପୀଠ ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ।
ବରଗଡ ଧନୁଯାତ୍ରାରେ ତୃତୀୟ ଥର ପାଇଁ କଂସ ହେବାର ସୁଯୋଗ ମିଳିଥିଲା ହୃଷିକେଶ ଭୋଇଙ୍କୁ। ଆଉ ପ୍ରତିବର୍ଷ ଭଳି କଂସ ବଦ୍ଧ ହେବା ପରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ପୁରୀ ଆସି ପ୍ରାୟଶ୍ଚିତ କରିଥାନ୍ତି। ସେହି ଅନୁସାରେ ଶନିବାର କଂସ ଅଭିନେତା ହୃଷିକେଶ ଭୋଇ ସପରିବାର ପୁରୀ ଆସି ମହୋଦଧିରେ ସ୍ନାନ କରି ସଂକଳ୍ପ କରି ପିନ୍ଧିଥିବା ପଇତାକୁ ମହୋଦଧିରେ ବିସର୍ଜନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଅଧର୍ମର ନାଶ ସହ ଧର୍ମର ଜୟ ହେଉ ବୋଲି ପ୍ରାର୍ଥନା କରିଥିଲେ।
ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନିଜର କଂସର ଭାବନା ଓ ପ୍ରକୃତିକୁ ନେଇ କରିଥିବା ଅଭିନୟରେ ଯାହା କିଛି ହୋଇଛି ଜଗନ୍ନାଥଙ୍କ ଦର୍ଶନ ପରେ ପ୍ରାୟଶ୍ଚିତ କରିଛନ୍ତି। ତେବେ ସେ ପୁଣି ସାଧାରଣ ଜୀବନ ଯାପନ ଓ କୃଷ୍ଣଙ୍କ ଆରାଧନା ତାଙ୍କର ଏକମାତ୍ର ଲକ୍ଷ ବୋଲି କହିଛନ୍ତି କଂସ ଅଭିନେତା
ହୃଷିକେଶ ଭୋଇ।
ଦିନକୁ ଦିନ ବରଗଡର ଧନୁଯାତ୍ରାର ଲୋକପ୍ରିୟା ବଢୁଥିବା ବେଳେ ତାହାର ଚରିତ୍ରମାନଙ୍କର ମଧ୍ୟ ଚୟନ କରାଯାଉଛି। ଆଉ ଏଥର ଅନେକ କଂସ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ହୃଷିକେଶ ଭୋଇ। ତେବେ ଏହା ସବୁ ଭଗବାନ କୃଷ୍ଣ ବଳରାମ ଓ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି ହୃଷିକେଶ ଓ ତାଙ୍କ ସହ ଆସିଥିବା ପାରିଷଦମାନେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।