News18 Odia Digital
କଟକ: ଆକର୍ଷଣୀୟ କରିବା ଆଳରେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କଟକରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ଶୈଳୀକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚିରାଚରିତ ବା ପାରମ୍ପପରିକ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ।
ପୋଲିସ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୂଳ ମାମଲାରେ ପୁରୀ ଘାଟ ଥାନା ଅଧିକାରୀ ସ୍ଥାନୀୟ ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରୀଗରଙ୍କୁ ନେଇ ଆଲୋଚନା କରିବେ ଓ ପରବର୍ତ୍ତୀ ସମୟରେ ଯେପରି କାରୀଗରମାନେ ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନ କରିବେ,ସେନେଇ ସେମାନଙ୍କୁ ଉପଦେଶ ଦେବେ ବୋଲି ମଧ୍ୟ କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
"ଧର୍ମୀୟ ଭାବନା କିମ୍ବା ଭାବାବେଗକୁ ଆଘାତ ଦେବା ଭଳି ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ନିର୍ମାଣ ନ କରିବା ଓ ଏପରି ମୂର୍ତ୍ତି ମଣ୍ଡପରେ ରଖି ପୂଜା ନ କରିବାକୁ ପୋଲିସ ସବୁବେଳେ ଲୋକଙ୍କୁ ପାଇଁ ଅନୁରୋଧ କରି ଆସିଛି । ଏବଂ ଏଥିରେ ବ୍ୟତିକ୍ରମ ଦେଖା ଦେଲେ ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,"କହିଛନ୍ତି କଟକ ଡିସିପି ପିନାକ ମିଶ୍ର।
ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ସେ ନିଜ ମାମଲାରେ ଦର୍ଶାଇ ଥିଲେ । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ। ଏହି ମାମଲାରେ ରାଜ୍ୟ ଗୃହ ସଚିବ,ପୋଲିସ ମହାନିର୍ଦେଶକ, କଟକ ଡିସିପି,ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପୋଲିସକୁ ନିଜ ପକ୍ଷ ରଖିବା ପାଇଁ କହିଥିଲେ । ପୋଲିସ ମଧ୍ୟ କୋର୍ଟରେ ନିଜ ପକ୍ଷ ରଖିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।