ମହିଳା ବ୍ୟବସାୟୀଙ୍କୁ ଏସିଡ ମାଡ଼ ଘଟଣା; ଅଭିଯୋଗ ନେଇ ବଢୁଛି ସଂଶୟ

ସୁଧ ଓ ଧାର ଟଙ୍କା ପାଇଁ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସୁଧ ଟଙ୍କା ଦେଇ ପାରୁ ନଥିବା ଜଣେ ମହିଳାଙ୍କ ଘରୁ ପୂର୍ବରୁ ଲୁଟପାଟ୍ ହୋଇଥିବା ବେଳେ ଏବେ ତାଙ୍କ ଉପରକୁ ଏସିଡ୍ ଫିଙ୍ଗାଯାଇଛି।

 ମହିଳା ବ୍ୟବସାୟୀଙ୍କୁ ଏସିଡ ମାଡ଼ ଘଟଣା

ମହିଳା ବ୍ୟବସାୟୀଙ୍କୁ ଏସିଡ ମାଡ଼ ଘଟଣା

  • Share this:
News18 Odia Digital

କଟକ: ଘର ଭିତରେ ପଶି ମହିଳାଙ୍କୁ ଏସିଡ ମାଡ଼। ତାହା ପୁଣି ସୁଧ ଟଙ୍କା ଅସୁଲ କରିବାକୁ ନେଇ। ଏହି ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗାଁରେ। ଏସିଡ ମାଡ଼ରେ ଆହତ ହୋଇ ୩୬ ବର୍ଷୀୟା ମହିଳା ରୀନା ସାହୁଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଆରମ୍ଭ ଚାଲିଛି।

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳରେ ଷ୍ଟେସନାରୀ ଦୋକାନ କରିଥିବା ରୀନା ସାହୁ କିଛି ଲୋକଙ୍କ ଠାରୁ ଧାର ସୂତ୍ରରେ ମୋଟା ଅଙ୍କର ଅର୍ଥ ଆଣିଥିଲେ। ସେହି ଟଙ୍କା ଦିଆନିଆକୁ ନେଇ କରଜ ଦେଇଥିବା ବ୍ୟକ୍ତି ଓ ରୀନାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏପରି କି କରଜ ଦେଇଥିବା ଲୋକେ କିଛି ଦିନ ତଳେ ରୀନାଙ୍କ ଘର ଭିତରକୁ ମଧ୍ୟ ପଶିଥିଲେ । ଏହି ଏସିଡ ମାଡ଼ ସେହି କରଜ ଟଙ୍କା ପାଇଁ ହୋଇଥିବା ଅଭିଯୋଗ ହେଉଛି।

ବୁଧବାର ଦିନ ଭୋରୁ ଭୋରୁ ରୀନାଙ୍କ ଉପରେ ଏସିଡ ମାଡ଼ ହୋଇଥିବା କୁହାଯାଉଛି। ଏନେଇ ଏକ ସିସିଟିଭି ଫୁଟେଜ ମଧ୍ୟ ଗଣମାଧ୍ୟମ ହାତରେ ଲାଗିଛି। ଯେଉଁଥିରେ କି ଏସିଡ ପଡ଼ିବା ପରେ ରୀନା ଜୀବନ ବିକଳରେ ରାସ୍ତାରେ ଦୌଡଥିବା ଦେଖିବାକୁ ମିଳିଛି।

"ସେମାନେ ମୋତେ ପୂର୍ବରୁ ଧମକ ଦେଇଥିଲେ। ମୋ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ ମୁଁ ପୋଲିସର ଦ୍ବାରସ୍ଥ ହୋଇଥିଲି। ହେଲେ କେହି ମୋତେ ସୁରକ୍ଷା ଦେଲେ ନାହିଁ। ମୁଁ ଭୋରୁ ଉଠି ଘର ସଫା କରୁଥିଲି। ଏହି ସମୟରେ ନିଜ ମୁହଁକୁ ଢାଙ୍କିଥିବା ଦୁଇ ଜଣ କାନ୍ଥ କଡ଼ ଦେଇ ଆସି ମୋ ଉପରେ ଏସିଡ ଢାଳି ଦେଇ ଚାଲି ଗଲେ," କହିଛନ୍ତି ଆହତ ରୀନା ସାହୁ।

ସେପଟେ ଏସିଡ ପଡ଼ିବା ଯୋଗୁଁ ଆହତ ହୋଇଥିବା ରୀନାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏସସିବିରେ ଭର୍ତ୍ତି କରାଯାଇଛି। ଏସିଡ ଯୋଗୁଁ ରୀନାଙ୍କ ବେକ ଓ ପିଠି କ୍ଷତିଗ୍ରସ୍ତ ହୋଇଛି।

"ରୀନା ସାହୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଶରୀରର ବହୁତ କମ ସ୍ଥାନରେ ଏସିଡ ପଡ଼ିଛି। ତାଙ୍କ ଚିକିତ୍ସା ପାଇଁ ସର୍ଜରୀ ବିଭାଗରେ ଏକ ସ୍ବତନ୍ତ୍ର କ୍ୟାବିନର ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ।

ଏହାରି ଭିତରେ ଏହି ଏସିଡ ମାଡ଼ ଅଭିଯୋଗ ଘଟଣା ସମଗ୍ର ତିଗିରିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେପଟେ ଏସମ୍ପର୍କରେ ନ୍ୟୁଜ୧୮ ଡିଜିଟାଲ ପକ୍ଷରୁ ତିଗିରିଆ ଥାନାଧିକାରୀ ସୁଚିତ୍ରା ଜେନାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ‘‘ଏହି ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ଘଟଣା ତଦନ୍ତ କରାଯିବ। ଯଦି ଅଭିଯୋଗକାରୀ ଗୁରୁବାର ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ ଦାଖଲ ନ କରନ୍ତି ତେବେ ପୋଲିସ ଏସସିବି ଯାଇ ତାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବ।’’
Published by:Lipina Das
First published: