ଶ୍ରୀମନ୍ଦିର; ଆସନ୍ତା ସପ୍ତାହରେ ଏସ.ଓ.ପି. ସମୀକ୍ଷା ବୈଠକ ପରେ ଦର୍ଶନ ବ୍ୟବସ୍ଥାର କୋହଳ ଉପରେ ନିଆଯିବ ନିଷ୍ପତ୍ତି
ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଛି ନୂଆ କୋଭିଡ ଗାଇଡଲାଇନ, ହେଲେ ଶ୍ରୀମନ୍ଦିର ପ୍ରଶାସନ ଏସ.ଓ.ପି. ଅନୁଯାୟୀ ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।
ଶ୍ରୀମନ୍ଦିର ଦର୍ଶନ ପ୍ରସଙ୍ଗ ଉପରେ ନିଆଯିବ ନିଷ୍ପତ୍ତି
- News18 Odia
- Last Updated: September 2, 2021, 5:50 PM IST
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ କୁହାଯାଇଛି, "ଗତ ସପ୍ତାହରେ ଦୀର୍ଘ ତିନି ଦିନ ପରେ ମଙ୍ଗଳବାର ଠାରୁ ପୁଣି ସ୍ୱଭାବିକ ହୋଇଛି ସର୍ବସାଧାରଣ ଦର୍ଶନ। ବନକଲାଗି ନିତି ଆଉ ରାହୁରେଖା ଲାଗି ନିତି ପାଇଁ ସର୍ବସାଧାରଣ ଦର୍ଶନକୁ ଆଂଶିକ ବନ୍ଦ କରାଯାଇଥିବା ବେଳେ ସପ୍ତାହନ୍ତ ସଟଡାଉନ ଓ ଜନ୍ମାଷ୍ଟମୀ ଯୋଗୁଁ ଶ୍ରୀମନ୍ଦିର ବନ୍ଦ ରହିଥିଲା। କୋଭିଡର ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଅଗଷ୍ଟ ୨୩ରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଖୋଲିଥିଲା। ଖୋଲିବାର ନଅ ଦିନ ଭିତରେ ଦୁଇ ଦିନ ଆଂଶିକ ଓ ତିନି ଦିନ ସମ୍ପୂର୍ଣ୍ଣ ଦର୍ଶନ ପ୍ରଭାବିତ ହୋଇଛି । ହେଲେ ଆଜି ଠାରୁ ସର୍ବସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ଭକ୍ତଙ୍କ ସୁବିଧା ଲାଗି କିଓସ୍କ କାଉଣ୍ଟର ବ୍ୟାରିକେଡକୁ ରାଜନହର ଆଡ଼କୁ ବଢ଼ାଇ ଦିଆଯାଇଛି। ଫଳରେ ଖରା ପାଇଁ ଭକ୍ତ ଜୋତାଷ୍ଟାଣ୍ଡ ନିକଟରେ ଆଶ୍ରୟ ନେଉଥିଲେ। ଏବେ ଏହି ବ୍ୟାରିକେଡରେ ଆଶ୍ରୟ ନେଉଛନ୍ତି । ସକାଳ ସାତଟା ପୂର୍ବରୁ ଦର୍ଶନ ଆରମ୍ଭ ହୋଇଯାଉଛି । ଭକ୍ତମାନେ ଆବଶ୍ୟକୀୟ ଆର.ଟି.ପି.ସି.ଆର. ଟେଷ୍ଟ ନେଗେଟିଭ ପ୍ରମାଣପତ୍ର କିମ୍ବା ଦୁଇଟି ଡୋଜ୍ ସମ୍ପୂର୍ଣ୍ଣ ଟିକାକରଣର ପ୍ରମାଣପତ୍ର ଯାଞ୍ଚ କରାଇ ପ୍ରବେଶ କରୁଛନ୍ତି। ଅଫଲାଇନ ପ୍ରମାଣପତ୍ର ପାଇଁ ଡିଜିଟାଲ ପ୍ରିଣ୍ଟର ବ୍ୟବସ୍ଥା ଯୋଗୁଁ ଅନଲାଇନରୁ ଭକ୍ତମାନେ ପ୍ରୀଣ୍ଟ ବାହାର କରି କିଓସ୍କରେ ଯାଞ୍ଚ କରୁଛନ୍ତି । ଯାହା ପାଖରେ ହାର୍ଡକପି ନାହିଁ ତ ସେମାନେ ମୋବାଇଲ ଜରିଆରେ ସିଧାସଳଖ କିଓସ୍କରେ ଯାଞ୍ଚ କରି ପ୍ରବେଶ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଆସିଥିଲେ ସୁଦ୍ଧା ଶ୍ରୀମନ୍ଦିର ପାଇଁ ଏସ.ଓ.ପି. ଅନୁସାରେ ଦର୍ଶନ ବ୍ୟବସ୍ଥା ରହିବ।’’

ଆସନ୍ତା ସପ୍ତାହରେ ହେବ ଏସ.ଓ.ପି. ସମୀକ୍ଷା ବୈଠକ
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୁଚନା ଅନୁସାରେ, "ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ନେଇ କରାଯାଇଥିବା ଏସ.ଓ.ପି. ବା ମାର୍ଗଦର୍ଶିକା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହି ଅନୁସାରେ ଦେଖିଲେ ସପ୍ତାହନ୍ତ ସଟଡାଉନ ସହରରୁ ଉଠିଗଲେ ସୁଦ୍ଧା ଶ୍ରୀମନ୍ଦିର ଏସ.ଓ.ପି. ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରଖାଯିବା ସହ ଅଗ୍ନିଶମ ସେବା ଦ୍ୱାରା ବିଶୋଧନ କରାଯିବ । ତା ସହିତ ପର୍ବପର୍ବାଣୀ ଅର୍ଥାତ୍ ଜନ୍ମାଷ୍ଟମୀରେ ଯେଭଳି ଦର୍ଶନ ବନ୍ଦ ରହିଥିଲା ସେହିଭଳି ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଦ୍ଧଶୀରେ ବି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ମନା । ତେଣୁ ଆଗାମୀ ସପ୍ତାହରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ସଦସ୍ୟଙ୍କୁ ନେଇ ବସିବ ଏସ.ଓ.ପି. ସମୀକ୍ଷା ବୈଠକ । ଆଉ ସେଥିରେ ଯାହା ନିଷ୍ପତ୍ତି ଆସିବ ତାହା କାର୍ଯ୍ୟକାରୀ କରାଯିବ । "
ପୁରୀ ବ୍ୟବସାୟୀ ସଙ୍ଘର ଆବାହକ ଜଗନ୍ନାଥ ଦେଓ କହିଛନ୍ତି, "ତୃତୀୟ ଲହରର ଭୟ ଦେଖାଇ ପୁଣି ସବୁ କିଛି ସ୍ୱାଭାବିକ କରୁଛନ୍ତି ସରକାର । ହେଲେ ମନ୍ଦିରକୁ କାହିଁକି ସପ୍ତାହନ୍ତ ବନ୍ଦ ରଖାଯିବ । କାରଣ ଏହି ଦୁଇ ଦିନ ମନ୍ଦିରକୁ ଲକ୍ଷାଧିକ ଭକ୍ତ ଆସିଲେ ପୁରୀର ଅର୍ଥନୀତି ଚଳଚଞ୍ଚଳ ହେବ । ପୁଣି ଦୁଇ ଦିନ ଛୁଟି ପଡୁଥିବାରୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବି ଭିଡ଼ ହେବ । ହେଲେ ମନ୍ଦିର ବନ୍ଦ ରହିଲେ କିଏ ଆସିବ । ତେଣୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ପୁନର୍ବିଚାର କରୁ କରନ୍ତୁ ବୋଲି ଅନୁରୋଧ କରୁଛି ।’’
ଗତ ୨୮ ତାରିଖରେ ମଧ୍ୟ ପ୍ରଦେଶର ଦୁଇଜଣ ଦର୍ଶନାର୍ଥୀ ନକଲି କୋଭିଡ୍ ଆର.ଟି.ପି.ସି.ଆର. ନେଗେଟିଭ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଆଉ ନକଲି କୋଭିଡ୍ ଆର.ଟି.ପି.ସି.ଆର. ନେଗେଟିଭ ପ୍ରମାଣପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ ସମୟରେ ଧରା ପଡ଼ିଥିଲେ ଦୁଇ ଦର୍ଶନାର୍ଥୀ । ନକଲି ପ୍ରମାଣପତ୍ର ଯୋଗାଇ ଥିବା ଦୁଇ ଯାତ୍ରୀ ଗୁମାସ୍ତାଙ୍କ ମଧ୍ୟ ଖୁଲାସା ହୋଇଛି । ମହାରାଷ୍ଟ୍ରରୁ ଆସିଥିବା ଦୁଇଜଣ ଦର୍ଶନାର୍ଥୀ ମନିଷ ଅଗ୍ରୱାଲ ଓ ସ୍ନେହା ଅଗ୍ରୱାଲଙ୍କର ଆବଶ୍ୟକୀୟ ପ୍ରମାଣପତ୍ର ନଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇ ପାରିନଥିଲେ। ମାତ୍ର ପ୍ରମାଣପତ୍ର ଯୋଗାଡ଼ କରିବାକୁ ପୁରୀର ଦୁଇଜଣ ଯାତ୍ରୀ ଗୁମାସ୍ତା ବଳଭଦ୍ର ଖୁଣ୍ଟିଆ ଓ ଦିପକ ପାତ୍ରଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏମାନେ ସେମାନଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କୁ ମନ୍ଦିରକୁ ନେଇ ଯାଉଥିଲେ।
ମାତ୍ର ଯାଞ୍ଚ ବେଳେ ଏମାନଙ୍କର ଜାଲିଆତି ଧରାପଡ଼ି ଯାଇଥିଲା। ସିଂହଦ୍ଵାର ଥାନା ପୋଲିସ ନକଲି କାଗଜପତ୍ର ଜବତ କରିବା ସହ ଏମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଦୁଇ ଦର୍ଶନାର୍ଥୀ ଓ ଦୁଇ ଯାତ୍ରୀ ଗୁମାସ୍ତାଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ କେଶ୍ ନମ୍ବର ୬୦/୨୧ ଦଫା ୪୬୫,୪୭୧,୧୨୦(ବି) , ୩୪ ଆଇ.ପି.ସି.ରେ ରୁଜୁ ହୋଇଥିଲା ମାମଲା।
ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ନୋଟିସ ଦିଆଯାଇ ଥାନାରୁ ଜାମିନ ଦିଆଯାଇଛି । ଏହି ମାମଲାରେ ଆଉ ଜଣେ ବ୍ୟକ୍ତି ସଂପୃକ୍ତି ଅଛନ୍ତି । ସଂପୃକ୍ତ ବ୍ୟକ୍ତି ଆଶୁତୋଷ ସାମନ୍ତରାୟ ବର୍ତ୍ତମାନ ଫେରାର ଅଛନ୍ତି । ଦୁଇଟି ଫେକ୍ ପ୍ରମାଣପତ୍ର ଜବତ କରିବା ସହ ଘଟଣାର ଛାନବିନ୍ କରୁଛି ପୋଲିସ । ତାକୁ ନଜରରେ ରଖି କେହି ବି ଯେପରି ଏମିତି ଅସାଧୁ ଉପାୟ ଅବଲମ୍ବନ ନକରିବାକୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ସଚେତନ କରାଯାଇଛି ।






