ସ୍ମାର୍ଟ ସିଟିରେ ନମ୍ବର ୱାନ୍ ମାତ୍ର ସ୍ବଚ୍ଛତା ସର୍ବେକ୍ଷଣରେ ୨୮୮; ବ୍ରହ୍ମପୁର ମହାନଗରଠାରୁ ମଧ୍ୟ ପଛରେ ପଡ଼ିଲା ଭୁବନେଶ୍ବର

ସ୍ମାର୍ଟ ସିଟି ତାଲିକାରେ ନମ୍ବର-୧ ଭୁବନେଶ୍ବର । ମାତ୍ର ସର୍ବଭାରତୀୟ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ସ୍ଥାନ ୨୮୮ । ଏପରିକି ବ୍ରହ୍ମପୁର ମହାନଗରଠାରୁ ମଧ୍ୟ ଢେର୍ ପଛରେ । ବ୍ରହ୍ମପୁରର ରାଙ୍କ୍‌ ରହିଛି ୨୧୬ । ରାସ୍ତା ଘାଟ ବିପର୍ଯ୍ୟସ୍ତ । ସବୁଠି କୁଢ଼ କୁଢ଼ ଅଳିଆ । ସୁଧୁରୁନି ଅବସ୍ଥା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଧାନୀବାସୀ ।

ସ୍ମାର୍ଟ ସିଟିରେ ନମ୍ବର ୱାନ୍ ମାତ୍ର ସ୍ବଚ୍ଛତା ସର୍ବେକ୍ଷଣରେ ୨୮୮; ବ୍ରହ୍ମପୁର ମହାନଗରଠାରୁ ମଧ୍ୟ ପଛରେ ପଡ଼ିଲା ଭୁବନେଶ୍ବର
ସ୍ମାର୍ଟ ସିଟି ଭୁବନେଶ୍ବରର ପ୍ରତିକାତ୍ମକ ଚିତ୍ର
  • News18 Odia
  • Last Updated: January 4, 2020, 5:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଛି ଆମ ରାଜଧାନୀ ଭୁବନେଶ୍ବର । ମାତ୍ର ସ୍ବଚ୍ଛତା ସର୍ବେକ୍ଷଣ ତାଲିକାରେ ବ୍ରହ୍ମପୁରଠୁ ପଛରେ । ସାମଗ୍ରିକ ଭାବେ ସ୍ବଚ୍ଛତା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୭ ନମ୍ବରରେ ଥିବା ବେଲେ ତାଲିକାରେ ଅଛନ୍ତି ରାଜ୍ୟର ୯ଟି ସହର ।

ସ୍ବଚ୍ଛତା ସର୍ବେକ୍ଷଣରେ ୨୮୮ ନମ୍ବର ସ୍ଥାନରେ ରହିଛି ଭୁବନେଶ୍ବର । ସର୍ବେକ୍ଷଣ ତାଲିକାରେ ବ୍ରହ୍ମପୁର ମହାନଗରଠାରୁ ପଛରେ ପଡ଼ିଯାଇଛି ରାଜଧାନୀ । ସଦ୍ୟ ପ୍ରକାଶିତ ଜାତୀୟ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଏହା ହେଉଛି ସ୍ମାର୍ଟ ସିଟି ଭୁବନେଶ୍ବରର ବାସ୍ତବ ଚିତ୍ର ।

ରାଜଧାନୀ ରାସ୍ତାରେ ନର୍ଦମା ପାଣିର ପ୍ରତିକାତ୍ମକ ଚିତ୍ର


ଜାତୀୟ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ଅନୁସାରେ , ସାମଗ୍ରିକଭାବେ ସ୍ବଚ୍ଛତା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୭ ନମ୍ବର ।  ରାଜ୍ୟର ୯ଟି ସହର ଏହି ତାଲିକା ଭିତରେ ଅଛି । ସେ ଭିତରେ ବ୍ରହ୍ମପୁର, ଭୁବନେଶ୍ବର , ବାଲେଶ୍ବର ଟାଉନ୍‌, ବାରିପଦା ଟାଉନ୍‌, ସମ୍ବଲପୁର ଟାଉନ୍‌, ପୁରୀ, ରାଉରକେଲା, କଟକ ଓ ଭଦ୍ରକ । ରାଜ୍ୟରେ ସବୁଠାରୁ ଉପରେ ଅଛି ବ୍ରହ୍ମପୁର ସହର, ତାଲିକାର ତଳେ ଅଛି ବାଲେଶ୍ବର ଟାଉନ୍‌ । ବ୍ରହ୍ମପୁର ଓ ଭୁବନେଶ୍ବର ଯଥାକ୍ରମେ ପ୍ରଥମ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦେଶରେ ବ୍ରହ୍ମପୁର ୨୧୬ ନମ୍ବର ରାଙ୍କ୍‌ ପାଇଥିବା ବେଳେ ଭୁବନେଶ୍ବରର ରଙ୍କ୍‌ ହେଉଛି ୨୮୮ । ରାଜ୍ୟରେ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଟାଉନର ସର୍ବଭାରତୀୟ ରାଙ୍କ୍‌ ହେଲା ୨୮୯  । ୩୧୬ ରାଙ୍କିଙ୍ଗ ସହ ଚତୁର୍ଥ ସ୍ଥାନରେ ବାରିପଦା, ୩୨୩ ନମ୍ବର ସ୍ଥାନରେ ସମ୍ବଲପୁର ଓ ୩୮୯ ସ୍ଥାନରେ ରହିଛି ପୁରୀ । ସେହିଭଳି ତାଲିକାରେ ଥିବା ଅନ୍ୟ କିଛି ରାଜ୍ୟ ସହର ଭିତରେ ଅଛନ୍ତି ୩୫୩ ନମ୍ବରରେ ରାଉରକେଲା, ୩୭୩ ନମ୍ବରରେ କଟକ ଓ ୪୧୮ ନମ୍ବରରେ ରହିଛି ଭଦ୍ରକ ସହର ।

ଜାତୀୟ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ, ରାଜଧାନୀ ଭୁବନେଶ୍ବର ପାଇଥିବା ସ୍ମାର୍ଟ ସିଟି ରାଙ୍କିଙ୍ଗର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀ ବାସିନ୍ଦା । ‘‘ଏହା ହେଉଛି ଭୁବନେଶ୍ବର ସହରର ବାସ୍ତବରେ ସ୍ବଚ୍ଛତାର ପ୍ରମାଣ । ହୁଏତ ଭୋଟିଂ ଆଧାରରେ ଭୁବନେଶ୍ବରକୁ ମିଳିଯାଇଛି ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା । ହେଲେ ବାସ୍ତବତା କିଛି ଅଲଗା । କାରଣ ଏଠି ରାସ୍ତାଘାଟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମାର ଅବସ୍ଥା ଠିକ୍‌ ନାହିଁ । ସବୁଠି କୁଢ଼ କୁଢ଼ ଅଳିଆ । ଅଳିଆ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା, ଅଧିକାରୀ ନିଜ କାମ ଠିକ୍‌ ଭାବେ କରୁନାହାନ୍ତି ’’ ଏକଥା କହିଛନ୍ତି ରାଜଧାନୀ ବାସିନ୍ଦା ଦେବାଶିଷ ତ୍ରିପାଠୀ  ।

ଭୁବନେଶ୍ବର ସହର ମଧ୍ୟରେ ଅଳିଆ ଗଦା ହୋଇଥିବାର ଫାଇଲ ଫୋଟ


ଟାଉନ୍‌ ପ୍ଲାନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ମତରେ, ‘‘ସ୍ମାର୍ଟ ସିଟି କେବଳ କାଗଜ କଲମରେ, କିନ୍ତୁ ତାହା ବାସ୍ତବରେ ପ୍ରତିଫଳନ ହେବା ଦରକାର । ହେଲେ ସ୍ମାର୍ଟ ସିଟି ଭୁବନେଶ୍ବର ଏହି ବାସ୍ତବତାଠାରୁ ବହୁ ଦୂରରେ । ଏଠି ଗୋଟିଏ କାମ ପାଇଁ ବାରମ୍ବାର ରାସ୍ତା ଖୋଳାଯାଏ । ଲୋକଙ୍କ ଅସୁବିଧା ପ୍ରତି କେହି ସମ୍ବେଦନଶୀଳ ନୁହନ୍ତି”।

ରାଜଧାନୀର ବୁଦ୍ଧିଜୀବୀଙ୍କ ମତରେ କେବଳ କାଗଜ, କଲମରେ ନୁହେଁ, ବାସ୍ତବରେ ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ । ଏ ନେଇ ଜନ ଜାଗରଣ ମଧ୍ୟ ଜରୁରୀ । ତେବେ ଏ ନେଇ ବିଏମସି କିମ୍ବା ସ୍ମାର୍ଟ ସିଟିର ଅଧିକାରୀ କିଛି ପକ୍ଷ ରଖିନାହାନ୍ତି ।
Published by: Sibanava Panda
First published: January 4, 2020, 4:46 PM IST
corona virus btn
corona virus btn
Loading