ଓକିଲଙ୍କୁ ଆନ୍ଦୋଳନ ମନା, ନମାନିଲେ ଲାଇସେନ୍ସ ସସ୍ପେଣ୍ଡ ସହ ଗିରଫ ନେଇ ଏସିଙ୍କ ନିର୍ଦ୍ଦେଶ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଅନେକ ସମୟରେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥାନ୍ତି ଓକିଲମାନେ । ଏଥିପାଇଁ କୋର୍ଟ ଚାଲିବାରେ ମଧ୍ୟ ବାଧା ଉପୁଜୁଛି । ଆଉ ବହୁ ଲୋକ ନିରାଶ ହୋଇ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି । ପୂର୍ବରୁ ଅନେକ ଥର ସେମାନଙ୍କୁ କଡ଼ା ଚେତାବନୀ ଦିଆଯାଇଥିବା ବେଳେ ନମାନିବାରୁ ଶେଷରେ କଡ଼ା ଆଭିମୁଖ୍ୟ ନେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟର ଓକିଲ ମାନଙ୍କ ବିରୋଧରେ କଡ଼ା ନିଷ୍ପତ୍ତି ନେଇ ଲାଇସେନ୍ସ ସସ୍ପେଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ଦେଶର ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ କୋର୍ଟ ଚାଲିବା ପରିବର୍ତ୍ତେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନ୍ୟାୟ ପାଇଁ ବହୁ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । ସେମାନଙ୍କର ସୁବିଧା ଦୃଷ୍ଟିରୁ ଯାହା ବି ଆଇନଗତ ଅସ୍ତ୍ର ଅଛି, ସେସବୁକୁ ପ୍ରୟୋଗ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ଦୋଳନକୁ ରୋକାଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୟ କିଶାନ କାଉଲ୍ ଏବଂ ଜଷ୍ଟିସ ଅଭୟ ଏସ୍. ଓକା । ସାଧାରଣତଃ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ଓକିଲ ସଂଘ । ଏଭଳି ଆନ୍ଦୋଳନ ଭିତରେ ବଡ଼ମ୍ବା, ଟାଙ୍ଗୀ, ତାଳଚେର ଓ ପାଲଲହଡ଼ା ଓକିଲ ସଂଘ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଜିଦ୍ରେ ଅଟଳ ରହିଥିଲେ ।
କଟକରୁ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ସହ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ପ୍ରତି ମାସ ଶେଷ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି । ସେହିପରି ମାସର ଶେଷ ୩ କାର୍ଯ୍ୟ ଦିବସରେ ଆନ୍ଦୋଳନ କରିଥିବା ସମ୍ବଲପୁର ଓକିଲ ସଂଘ ଗତ ୨ ମାସ ହେବ ପ୍ରତି ବୁଧବାର ଆନ୍ଦୋଳନ କରୁଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ କୁହାଯାଉଛି, କାଲି ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ । ସେପଟେ ହାଇକୋର୍ଟ ଓକିଲ ସଂଘ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।