ରିମାଣ୍ଡ ସରିବା ପରେ ପୁଣି ଜେଲ୍ ଗଲେ ପାଠକ ବାପ-ପୁଅ; କହୁଛନ୍ତି, ‘‘ଆମେ ନିର୍ଦୋଷ’’
ଭିଜିଲାନ୍ସ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପାଠକ ବାପ-ପୁଅଙ୍କ ପାଖରେ ନିଜକୁ ନିର୍ଦୋଷ ପ୍ରମାଣିତ କରିବାର କୌଣସି ପ୍ରମାଣ ନାହିଁ କିମ୍ବା ସେମାନେ କୋର୍ଟଙ୍କ ଆଗରେ କୌଣସି ପ୍ରମାଣ ଉପସ୍ଥାପିତ କରିପାରିନାହାନ୍ତି ।

ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ (ଫାଇଲ୍ ଫଟୋ)
- News18 Odia
- Last Updated: December 5, 2020, 10:00 PM IST
ଭୁବନେଶ୍ୱର: କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟ ଚଳାଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ପାଠକ ବାପ-ପୁଅଙ୍କ ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ ପୁଣି ଝାରପଡ଼ା ଜେଲ୍ ପଠାଇଦିଆଯାଇଛି । ଶନିବାର ମଧ୍ୟାହ୍ନରେ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ହାଜିର କରାଯାଇଥିଲା ।
କୋର୍ଟରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ନିର୍ଦୋଷ ବୋଲି ସେମାନଙ୍କ ଓକିଲ ଆବେଦନ କରିଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ଏହାକୁ ନାକଚ କରି ଦେଇଥିଲେ । ଭିଜିଲାନ୍ସ ଆଉ ସାନି ରିମାଣ୍ଡ ଆବେଦନ କରି ନ ଥିବା କାରଣରୁ ପୁଣି ଥରେ ବିଚାର ବିଭାଗୀୟ ହଜାତକୁ ବାପପୁଅଙ୍କୁ ପଠାଯାଇଥିଲା ।
ଏହା ବି ପଢ଼ନ୍ତୁ | ୬ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ଭୁବନେଶ୍ୱରରେ ଥିବା ଭିଜିଲାନ୍ସର ଅଫିସ୍
କୋର୍ଟରୁ ବାହାରିବା ସମୟରେ ଅଭୟକାନ୍ତ ପାଠକ କହିଥିଲେ, ‘‘ମୁଁ ଦୋଷୀ ନୁହେଁ । ମୋତେ ଷଡ଼ଯନ୍ତ୍ର କରି ଜେଲ୍ ପଠାଯାଇଛି । ମୋ’ ବିରୋଧରେ ଆସିଥିବା ଅଭିଯୋଗରେ ବାସ୍ତବତା ନାହିଁ । ଆକାଶ ମଧ୍ୟ ଦୋଷୀ ନୁହନ୍ତି । ସେ କାହାରିକୁ ଠକି ନାହାନ୍ତି । ଆମେ ଏହାର ସଠିକ ପ୍ରମାଣ ଦେବା ପାଇଁ ରାଜି ଅଛୁଁ । ଏଥି ପାଇଁ ଆମକୁ ସୁଯୋଗ ଦିଆଯିବା ଦରକାର ।’’
ହେଲେ ଭିଜିଲାନ୍ସ ବିଭାଗର କହିବା କଥା ହେଉଛି ପାଠକ ବାପପୁଅଙ୍କ ପାଖରେ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବାର କୌଣସି ପ୍ରମାଣ ନାହିଁ କିମ୍ବା ସେମାନେ ମାନ୍ୟବର କୋର୍ଟଙ୍କ ଆଗରେ କୌଣସି ପ୍ରମାଣ ଉପସ୍ଥାପିତ କରିପାରି ନାହାନ୍ତି ।
ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ‘ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି ୧.୫ କୋଟି ଟଙ୍କା
‘‘ପାଠକ ବାପପୁଅଙ୍କୁ ଆଉ ରିମାଣ୍ଡରେ ନେବାର ଅବଶ୍ୟକତା ନାହିଁ । ଯାହା ପାଇବା କଥା ଯଥେଷ୍ଟ ପ୍ରମାଣ ପାଇଛୁ । ଉଭୟଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ପ୍ରମାଣିତ ହୋଇଛି । ଯଦି ସେମାନେ କିଛି ଡକ୍ୟୁମେଣ୍ଟ ରଖିଛନ୍ତି ତା’ର ପ୍ରମାଣ ଦିଅନ୍ତୁ । ସେମାନଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ନାହିଁ । ତେଣୁ ସେମାନଙ୍କ ଅଭିଯୋଗ ଅମୂଳକ। ଏବେ ବି ବିହାର ପାଟନାରେ ଖୋଳତାଡ଼ ଜାରି ରହିଛି,’’ କହିଛନ୍ତି ଭିଜିଲାନ୍ସର ବରିଷ୍ଠ ତଦନ୍ତକାରୀ ଅଧିକାରୀ ହରିଶଙ୍କର ପତି ।
ସେ ଆହୁରି କହିଛନ୍ତି ଯେ ଆକାଶ ପାଠକ ଟାଟା ମୋଟର୍ସରେ ଚାକିରୀ କରିବା କଥା ପୂରା ମିଛ । ‘‘ଭିଜିଲାନ୍ସ ପାଖକୁ ଆସିଥିବା ଅଭିଯୋଗ ଭିତ୍ତିରେ ପୁଣେରେ ଥିବା ଆକାଶଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଜେରା କରାଯାଇଥିଲା,’’ ସେ କହିଛନ୍ତି।
ସେହି ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଜେରା କରିବା ସହିତ କିଛି ଗୁମର ଫିଟାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଆବଶ୍ୟକ ପଡ଼ିଲେ ପାଠକ ବାପପୁଅ ଓ ପାଣିଗ୍ରାହୀଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି ଜଣେ ବରିଷ୍ଠ ଭିଜିଲାନ୍ସ ଅଧିକାରୀ କହିଛନ୍ତି ।