News18 Odia Digital
ସମ୍ବଲପୁର: ବ୍ୟବସାୟୀ ନରେଶ ଅଗ୍ରୱାଲ ଅପହୃତ ହେବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି, ହେଲେ ଏ ପର୍ଯ୍ୟନ୍ତ ଏହି କାଣ୍ଡ ଭିଆଇଥିବା ଅପରଧୀମାନଙ୍କ ଚିହ୍ନବର୍ଣ୍ଣ ମିଳିପାରି ନାହିଁ ପୋଲିସକୁ । ଏହି ଚାଞ୍ଚଲ୍ୟକର ଅପହରଣ ଘଟଣାକୁ ନେଇ ସହରରେ ଚାଲଛି ଭିନ୍ନ ଭିନ୍ନ ଚର୍ଚ୍ଚା ।
ଏହି ଅପହରଣ ଘଟଣାରେ କିଏ ସମ୍ପୃକ୍ତ ଅଛନ୍ତି, କାହିଁକି ଅପହରଣ କରାଯାଇଥିଲା ବ୍ୟବସାୟୀଙ୍କୁ ଓ କାହିଁକି ଏ ପର୍ଯ୍ୟନ୍ତ ଧରା ପଡ଼ୁନାହାନ୍ତି ଅପରାଧୀମାନେ ତାକୁ ନେଇ ପୋଲିସର କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ସାଧାରଣ ଲୋକେ । ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସୱେର ଶାସନ ଥାନା ନିକଟରୁ ଦିନ ଦ୍ୱିପହରେ ଅପହୃତ ହୋଇଥିଲେ ଅଇଁଠାପାଲି ଥାନା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲ । ତାଙ୍କୁ ଏହି ଘଟଣାର ୧୨ ଘଣ୍ଟା ମଧ୍ୟରେ ହୀରାକୁଦ ଥାନା ଅଞ୍ଚଳରୁ ଉଦ୍ଧାର କରିଥିଲା ପୋଲିସ ।
ନରେଶ ଅଗ୍ରୱାଲ ସୁରକ୍ଷିତ ଘରେ ପହଞ୍ଚି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅପହର୍ତ୍ତମାନଙ୍କ ସମ୍ପର୍କରେ କିମ୍ବା ଅପହରଣର କାରଣ ବିଷୟରେ କେହି କିଛି କହୁ ନାହାନ୍ତି । ତଦନ୍ତ ଚାଲିଥିବା ଦର୍ଶାଇ ପୋଲିସ କିଛି କହିବାକୁ ମନା କରିଦେଇଥିବା ବେଳେ ଅପହୃତ ହୋଇଥିବା ଅଗ୍ରୱାଲ ବି ବିଶେଷ କିଛି କହୁ ନାହାନ୍ତି କି ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ ଚାହୁ ନାହାନ୍ତି ।

ଅଗ୍ରୱାଲଙ୍କ ଗାଡ଼ିର ଟାୟାରଗୁଡ଼ିକୁ ଅପହରଣକାରୀମାନେ କାଟି ପଙ୍କଚର୍ କରିଦେଇଥିଲେ ।
ହେଲେ ଏକ ଭିଡିଓ ବାର୍ତ୍ତାରେ ସେ କିପରି ଅପହୃତ ହେଲେ ସେ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି ଅଗ୍ରୱାଲ । ତାଙ୍କ କହିବା ଅନୁସାରେ ଦିନ ପ୍ରାୟ ୧୨ଟା ସମୟରେ ସେ ନିଜର ଏକ କନଷ୍ଟ୍ରକସନ ସାଇଟକୁ ଯାଇ ସେଠାରେ ନିଜ କ୍ରେଟା କାରରେ ବସିଥିବା ବେଳେ ଏହି ଘଟଣା ହୋଇଥିଲା । ଏକ ଧଳା ରଙ୍ଗର କାର ସେଠାକୁ ଆସିବା ପରେ ସେଥିରେ ଆସିଥିବା ଲୋକ କିଛି କିଛି ସ୍ପ୍ରେ କରି ଦେଇଥିଲେ ଓ ରୁମାଲ୍ରେ କିଛି ତାଙ୍କୁ କିଛି ଶୁଙ୍ଘାଇ ଦେଇଥିଲେ ବୋଲି ସେ କହିଛନ୍ତି । ଏହା ପରେ ତାଙ୍କୁ ସେହି ଧଳା କାରରେ ପୂରାଇ ନେଇ ପଳାଇଥିଲେ ।
ଅପହରଣ ପରେ ଅଗ୍ରୱାଲ୍ ବେହୋସ ହୋଇ ଯାଇଥିଲେ ବୋଲି କହିଛନ୍ତି । ହୋସ ଆସିବା ପରେ ଅପହରଣକାରୀ ତାଙ୍କୁ ଖାଇବାକୁ ପଚାରିବା ସହ ରୁଟି ଓ ଡାଲି ଦେଇଥିଲେ। ସେତେବେଳକୁ ତାଙ୍କର ହାତ ଓ ଗୋଡ଼ ବନ୍ଧା ହୋଇଥିଲା ବୋଲି ସେ କହିଛନ୍ତି । ଏହା ପରେ ସେ ପୁଣି ବେହୋସ ହୋଇଯାଇଥିଲେ । ଆଖି ଖୋଲିବା ବେଳକୁ ସେ ହୀରାକୁଦ ଥାନାରେ ଥିଲେ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ଉଦ୍ଧାର ହୋଇଥିବା ବ୍ୟବସାୟୀ ନରେଶ ଅଗ୍ରୱାଲ । ପଇସା ପତ୍ର ଦାବି ନେଇ ଅପହରଣକାରୀ ତାଙ୍କୁ କିଛି କହିଥିଲେ କି ନାହିଁ ସେ ବିଷୟରେ ସେ କିଛି କହି ନାହାନ୍ତି ।
ଅଗ୍ରୱାଲଙ୍କ ପୁଅ ଦୀପକ ଅଗ୍ରୱାଲ କହିଛନ୍ତି, ‘‘ଅପହରଣକାରୀମାନେ ମୋ’ ବାପାଙ୍କ ଠାରୁ ସୁନା ଚେନ ଓ ମୁଦି ନେଇ ଯାଇଛନ୍ତି । ଟଙ୍କା ପାଇଁ ବାପାଙ୍କୁ ଅପହରଣ କରାଯାଇ ଥାଇପାରେ ବୋଲି ଆମେ ଭାବୁଛୁ । ହେଲେ ତାଙ୍କ ପାଖକୁ ଏଭଳି ତୌଣସି ଫୋନ କଲ ଆସି ନ ଥିଲା ।’’
ଏହା ବି ପଢ଼ନ୍ତୁ:
ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସଏହା ବି ପଢ଼ନ୍ତୁ:
ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛିସମ୍ବଲପୁର ସହରରେ ଏହି ଦୁର୍ଦ୍ଧାନ୍ତ ଅପହରଣ ଘଟଣାକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିବା ବେଳେ ପୋଲିସ ନିରବ ରହିଛି । ‘‘ଏକ ସ୍ବତନ୍ତ୍ର ଟିମ ଦ୍ବାରା ଘଟଣାର ତଦନ୍ତ କରାଯାଉଛି । ଏବେ ଏହା ବିଷୟରେ କିଛି କୁହାଯାଇ ପାରିବ ନାହିଁ । ଖୁବ୍ ଶୀଘ୍ର ଅପରାଧୀମାନଙ୍କୁ ଧରାଯିବ,’’ କହିଛନ୍ତି ସ୍ବତନ୍ତ୍ର ଟିମର ମୁଖ୍ୟ ଏସ.ଡି.ପି.ଓ. ତପନ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।