ହାତୀ ଘଉଡ଼ାଇବା ପାଇଁ ନୂଆ ଯନ୍ତ୍ର ନିର୍ମାଣ କରିଛନ୍ତି ଅନୁଗୋଳର ଜଣେ ଇଞ୍ଜିନିୟର ଯୁବକ

କଲେଇପଡା ଗାଁର ରସାନନ୍ଦ ସାହୁ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଛନ୍ତି। ଏହି ଯନ୍ତ୍ରକୁ ଲାଇଟିଙ୍ଗ ଗନ ଅର୍ଥାତ ହାତୀ ଘଉଡା ଯନ୍ତ୍ର ବୋଲି ନାମିତ କରାଯାଇଛି।

ହାତୀ ଘଉଡ଼ାଇବା ପାଇଁ ନୂଆ ଯନ୍ତ୍ର ନିର୍ମାଣ କରିଛନ୍ତି ଅନୁଗୋଳର ଜଣେ ଇଞ୍ଜିନିୟର ଯୁବକ

ହାତୀ ଘଉଡ଼ାଇବା ପାଇଁ ନୂଆ ଯନ୍ତ୍ର ନିର୍ମାଣ କରିଛନ୍ତି ଅନୁଗୋଳର ଜଣେ ଇଞ୍ଜିନିୟର ଯୁବକ

  • Share this:
News18 Odia Digital

ଅନୁଗୋଳ: କିଛି ବର୍ଷ ହେଲା ଅନୁଗୋଳ ଜିଲ୍ଲାରେ ବଣୁଆ ହାତୀ ଉପଦ୍ରଵ ବୃଦ୍ଧି ପାଉଛି। ହାତୀପଲ ଜନବସତି ମୁହାଁ ହେଉଛନ୍ତି। ଅନେକ ସମୟରେ ଧନ ଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀପଲକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେବାକୁ ପଡୁଛି। ନିଆଁ ହୁଳା ଓ ବାଣକୁ ହାତୀ ଆଉ ମାନୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ଅନୁଗୁଳ ବ୍ଲକ କଲେଇପଡା ଗାଁର ରସାନନ୍ଦ ସାହୁ ନାମକ ଜଣେ ଯୁବକ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଲାଇଟିଙ୍ଗ ଗନ। ଯେଉଁଥିରୁ ପ୍ରଚଣ୍ଡ ଶବ୍ଦ ନିର୍ଗତ ହେଉଛି। ଗାଁ ମୁହାଁ ହାତୀପଲକୁ ଘଉଡ଼ାଇବାରେ ସୁଫଳ ମିଳୁଛି। ଅନୁଗୋଳ ଜିଲ୍ଲାରେ ବଣୁଆ ହାତୀ ଉପଦ୍ରବ ଏବେ ନିତିଦିନିଆ ଘଟଣା ହୋଇ ଗଲାଣି।

ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି। ଶହ ଶହ ଏକର ଜମିରେ ଫସଲ ନଷ୍ଟ ହେଉଛି। ବନ ବିଭାଗ ହାତୀ ପଲକୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ସଫଳ ହୋଇ ପାରୁ ନାହିଁ। ସେହି ଚିରା ଚରିତ ବାଣ କିମ୍ବା ନିଆଁ ହୁଳା ଦେଖାଇ ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରୁଛି ବନ ବିଭାଗ। ହାତୀ ମଣିଷ ବିବାଦ ଏବେ ବଡ଼ ପ୍ରସଙ୍ଗ ସାଜିଛି। ତେବେ ଏହାକୁ ଦୃଷ୍ଟିରେ ରଖି କଲେଇପଡା ଗାଁର ରସାନନ୍ଦ ସାହୁ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଛନ୍ତି। ଏହି ଯନ୍ତ୍ରକୁ ଲାଇଟିଙ୍ଗ ଗନ ଅର୍ଥାତ ହାତୀ ଘଉଡା ଯନ୍ତ୍ର ବୋଲି ନାମିତ କରାଯାଇଛି।

ଏହି ଯନ୍ତ୍ରରୁ ନିଆଁ ଧୂଆଁ କିଛି ବାହାରେ ନାହିଁ। ଏଥିରେ କୌଣସି ପ୍ରକାର ବାରୁଦ ବ୍ୟବହାର କରାଯାଏ ନାହିଁ। ତେଣୁ ଏହା ବ୍ୟବହାର କଲେ କିଛି ବିପଦ ନାହିଁ। ବାରୁଦ କିମ୍ବା ନିଆଁ ହୁଳା ଦ୍ୱାରା ହାତୀ ଘଉଡ଼ାଇଲେ ମଣିଷ ଓ ଜଙ୍ଗଲ ପ୍ରତି ବିପଦ ରହିଛି। ଅନେକ ସମୟରେ ବାଣ ଫୁଟି ବନ କର୍ମଚାରୀ ଆହତ ହେବାର ନଜିର ରହିଛି। ନିଆଁ ଲାଗି ଜଙ୍ଗଲ ପୋଡ଼ି ହେବାର ମଧ୍ୟ ଉଦାହରଣ ରହିଛି। କିନ୍ତୁ ଏହି ଯନ୍ତ୍ରରୁ ନିଆଁ ଧୂଆଁ କିଛି ବାହାରେ ନାହିଁ। କେବଳ ପ୍ରଚଣ୍ଡ ଶବ୍ଦ ହୁଏ। ସେହି ଶବ୍ଦରେ ହାତୀ ଭୟରେ ଦୂରକୁ ପଳାଇ ଯାଆନ୍ତି। ଏହି ଯନ୍ତ୍ର କେବଳ କିଛି ପ୍ଲାଷ୍ଟିକ ପାଇପ, ଗୋଟେ ଗ୍ୟାସ ଲାଇଟର ଓ ଅଠା ବ୍ୟବହାର କରି ତିଆରି କରାଯାଇଛି। ଏଥିରେ କିଛି କାର୍ବାଇଟ ଓ ପାଣି ବ୍ୟବହାର କରାଯାଏ। ଲାଇଟର ମାରିବା ମାତ୍ରେ ରାସାୟନିକ ପ୍ରତିକ୍ରିୟା ହୋଇ ପ୍ରଚଣ୍ଡ ଶବ୍ଦ ହୁଏ। ମାତ୍ର ୧୦୦ ଗ୍ରାମ କାର୍ବାଇଟ ୨୫ଟି ଗନରେ ବ୍ୟବହାର ହୋଇ ପାରୁଛି। ତେଣୁ କମ୍ ଖର୍ଚ୍ଚରେ ଏଭଳି ଯନ୍ତ୍ର ବ୍ୟବହାର କରି ହାତୀ ଘଉଡ଼ା ଯାଇ ପାରୁଛି। ରସାନନ୍ଦ ପେସାରେ ଜଣେ ଇଲେକ୍ଟ୍ରିସିଆନ। ସେ ବନ ବିଭାଗ କର୍ମଚାରୀଙ୍କ ସହ ରାତ୍ରିକାଳୀନ ପାଟ୍ରୋଲିଂରେ ଯାଆନ୍ତି। ସେତେବେଳେ ହାତୀ ଘଉଡ଼ାଇବା ଦେଖନ୍ତି।

କଲେଇପଡା ଗାଁର ରସାନନ୍ଦ ସାହୁ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଛନ୍ତି


ଏହା ଦେଖି ସେ ଏମିତି ଏକ ଉପାୟ ଚିନ୍ତା କରନ୍ତି। ପରିଶେଷରେ ସଫଳ ମଧ୍ୟ ହୋଇପାରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ବନ ବିଭାଗ ଠାରୁ ପରିବେଶବିତ୍ ସମତେ ବେଶ୍ ପ୍ରସଂଶା କରିଛନ୍ତି। ରସାନନ୍ଦ ଏହି ଯନ୍ତ୍ର ତିଆରି କରି ପ୍ରଥମେ ନିଜ ଆଡୁ ବନ୍ତଳା ବନାଞ୍ଚଳ ଅଧିକାରୀଙ୍କୁ ବୁଝାଇ ଥିଲେ। ପରୀକ୍ଷା ମୂଳକ ଭାବେ ହାତୀ ଘଉଡ଼ାଇବାକୁ ଅନୁରୋଧ କରିଥିଲେ। ଫଳରେ ବନ୍ତଳା ବନାଞ୍ଚଳ ଅଧିକାରୀ ସେହି ଯନ୍ତ୍ରକୁ ନେଇ ବ୍ୟବହାର କରିଥିଲେ। ଓ ହାତୀ ଘଉଡ଼ାଇବାରେ ସଫଳ ହୋଇଥିଲେ।

ଏହା ପରେ ଅଧିକରୁ ଅଧିକ ଯନ୍ତ୍ର ତିଆରି କରିବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୫ଟି ଯନ୍ତ୍ର ନେଇ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରା ଯାଉଛି। ଆଗକୁ ଆହୁରି ଅଧିକ ଯନ୍ତ୍ର ଦେବାକୁ ବନ ବିଭାଗ ପକ୍ଷରୁ କୁହା ଯାଇଛି। ତେଣୁ ରସାନନ୍ଦ କାମରେ ଲାଗି ପଡ଼ିଛନ୍ତି। ଆଗକୁ କେମିତି ଏଭଳି ଅଧିକ ଯନ୍ତ୍ର ତିଆରି କରି ପାରିବେ ସେଥିପାଇଁ ଦିନରାତି କାମ କରୁଛନ୍ତି।

ପରିବେଶ ଉପରେ ଏହାର କୌଣସି କୁପ୍ରଭାଵ ପଡ଼ିବ ନାହିଁ। ଛୋଟ ପିଲା ମଧ୍ୟ ଏହାକୁ ବ୍ୟବହାର କରି ହାତୀ ଘଉଡ଼ାଇ ପାରିବ। କୌଣସି ବିପଦ ନାହିଁ। ତେଣୁ ଆଗକୁ ଏହି ଲାଇଟିଙ୍ଗ ଗନର ବହୁଳ ବ୍ୟବହାର କରାଯାଇ ପାରିବ ବୋଲି ଆଶା କରା ଯାଉଛି। କେବଳ ବନ୍ତଳା ବନାଞ୍ଚଳ କାହିଁକି ସାରା ରାଜ୍ୟରେ ବିଭିନ୍ନ ବନାଞ୍ଚଳରେ ହାତୀ ଘଉଡ଼ାଇବାକୁ ଏଭଳି ଏକ ସୁରକ୍ଷିତ ଯନ୍ତ୍ର ବ୍ୟବହାର ହୋଇ ପାରିବ। ତେବେ ସେଥିପାଇଁ ବନ ବିଭାଗ ତରଫରୁ ରସନନ୍ଦଙ୍କୁ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ପଡୁଛି।

ରସାନନ୍ଦ ସାହୁ କହିଛନ୍ତି, “ବନ ବିଭାଗ ସହ ରାତ୍ରିକାଳୀନ ପାଟ୍ରୋଲିଂରେ ହାତୀ ଘଉଡ଼ାଇବାକୁ ଯାଏ। ବାଣ ଫୁଟାଇ ଓ ନିଆଁ ହୁଳା ଦେଖାଇ ହାତୀ ଘଉଡ଼ାଇବା ଦେଖେ। ହେଲେ ଏହା ଦ୍ୱାରା ଉଭୟ ମଣିଷ ଓ ଜଙ୍ଗଲ ପାଇଁ ବିପଦ ରହିଛି। ତେଣୁ ଚିନ୍ତା କଲି କ'ଣ କଲେ ହାତୀ ଚାଲିଯିବେ। କିନ୍ତୁ କୌଣସି ବିପଦ ରହିବ ନାହିଁ। ଶେଷରେ ଏଭଳି ଏକ ଯନ୍ତ୍ର ତିଆରି କଲି। ଯାହାକି ଖୁବ୍ ସଫଳତାର ସହ ବ୍ୟବହାର ହୋଇ ପାରୁଛି।’’

ଜଣେ ଗ୍ରାମବାସୀ ସୁବାସ ମୁଖୀ କହିଛନ୍ତି, “ରସାନନ୍ଦ ତିଆରି କରିଥିବା ଯନ୍ତ୍ର ହାତୀ ଘଉଡ଼ାଇବାରେ ବେଶ୍ ସହାୟକ ହୋଇ ପାରୁଛି। ପ୍ରଚଣ୍ଡ ଶବଦ ଯୋଗୁ ଗାଁ ଭିତରକୁ ପଶି ଆସୁଥିବା ହାତୀପଲ ଫେରି ଯାଉଛନ୍ତି। ଏହି ଯନ୍ତ୍ର ବ୍ୟବହାର କଲେ କୌଣସି ବିପଦ ନଥିବାରୁ ଅଧିକରୁ ଅଧିକ ବ୍ୟବହାର କରାଗଲେ ବହୁତ ଭଲ ହେବ ।’’

ଆମେ ଖବର ପାଇ ରସନନ୍ଦଙ୍କ ଠାରୁ କିଛି ଲାଇଟିଙ୍ଗ ଗନ ଆଣିଛୁ। ପରୀକ୍ଷାମୂଳକ ଭାବେ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରୁଛୁ। ଏଥିରେ ହାତୀ ଚାଲି ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ବାଣ ଓ ନିଆଁ ବ୍ୟବହାର କଲେ ଯେଉଁ ବିପଦ ରହିଛି ଏଥିରେ ତାହା ନାହିଁ। ତେଣୁ ଅଧିକ ଯନ୍ତ୍ର ଦେବାକୁ ଆମେ ରସନନ୍ଦଙ୍କୁ କହିଛୁ ବୋଲି କହିଛନ୍ତି ବନ୍ତଳା ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାଏକ।
Published by:Lipina Das
First published: