News 18 Odia Digital
ପୁରୀ; ଶ୍ରୀ ମନ୍ଦିରରେ ପୁଣି ଏକ ଅଭାବନୀୟ ଘଟଣା । ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଉପରେ ଚଢ଼ିଛନ୍ତି ଜଣେ ଯୁବକ । ଘଣ୍ଟିଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଥିଲେ ଯୁବକ ଜଣକ । ଚୁନରା ସେବାୟତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର କରିଥିଲେ । ସେ ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି ।
ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ୩୨ ବର୍ଷୀୟ ଜିତୁ ଗୌଡ଼ । ସେ କାହିଁକି ଚଢିଥିଲେ ଶ୍ରୀମନ୍ଦିର ଉପରେ ସେ ନେଇ ତଦନ୍ତ କରୁଛି ସିଂହଦ୍ୱାର ଥାନା । ସେପଟେ ଶ୍ରୀମନ୍ଦିର ଉପରେ ଏଭଳି ଚଢିବା ଏହା ହେଉଛି ତୃତୀୟ ଘଟଣା ।
ଏହା ପୂର୍ବରୁ ଭଦ୍ରକର ଜଣେ ଯୁବକ ନୀଳଚକ୍ର ପର୍ଯ୍ୟନ୍ତ ଚଢି ପତିତପାବନ ବାନାକୁ ଉପାଡ଼ି ଦେଇ ଥିବା ଅଭିଯୋଗ ହୋଇଥିଲା । ପରେ ଜଣା ପଡିଥିଲା ଯେ ସେ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି । ପରେ ପଶ୍ଚିମବଙ୍ଗର ଜଣେ ଯୁବକ ରାଜେଶ ହାଜରା ମଧ୍ୟ ଚଢିଥିଲେ ।
ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଏମିତି ଘଟଣା ଘଟୁଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।