News18 Odia Digital
ଗଞ୍ଜାମ: ଅଁଳା ଗଛ ଭାରତରେ ପ୍ରାୟ ସବୁଆଡେ ଦେଖିବାକୁ ମିଳେ । ପୂର୍ବ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଅଁଳା ଉତ୍ପନ ହୁଏ। ଅଁଳା ଫଳକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ଫଳରୁ ପ୍ରଚୁର ପରିମାଣର ଭିଟାମିନ ‘ସି’ ମିଳିଥାଏ ବୋଲି କୁହାଯାଉଥିବା ବେଳେ ଏହି ଅଁଳା ଚାଷ କରି ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଜଣେ ମହିଳା। ଯାହାକି ଅନ୍ୟମାନଙ୍କ ପାଇଁ ଏବେ ସେ ପାଲଟିଛନ୍ତି ଉଦାହରଣ।
ବୁଗୁଡା ବ୍ଳକର ତାଳସାକର ଗ୍ରାମ। ଯେଉଁ ଗ୍ରାମର ଶେଷମୁଣ୍ଡରେ ରହିଛି ଅଁଳା ଫାର୍ମ। ଯେଉଁ ଫାର୍ମରେ ଶହ ଶହ ଅଁଳା ଗଛ ଲାଗିଥିବା ବେଳେ ଏହି ଚାଷକୁ ଅ।ଜି ସଫଳତାରେ ପହଁଞ୍ଚାଇ ପାରିଛନ୍ତି ସୁଜତା ପ୍ରଧାନ।
ଦିନ ଥିଲା ଜଣେ ଅର୍ଜିଲେ ପଣେ ଖାଉଥିଲେ। ହେଲେ ନିଜ ଜମିରେ ସେ ଅଁଳା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଯେଉଁ ଅଁଳା ଗଛ ବା ଚାଷ ଭାରତରେ ପ୍ରାୟ ସ୍ତାନରେ ଦେଖିବାକୁ ମିଳୁଥିବା ବେଳେ ଜିଲ୍ଲାରେ ସେ ପ୍ରଥମ ଥର ପାଇଁ ଏହି ଚାଷ କରି ଆଜି ବେଶ ସଫଳ ହୋଇପାରିଛନ୍ତି। ଏହି ଚାଷ କରିବା ଦ୍ଵାରା ଭଲ ରୋଜଗାର ସାଙ୍ଗକୁ ଏହା ଔଷଧ ରୂପେ ବ୍ୟବହାର ହେଉଥିବା ହେତୁ ଏହା ବେଶ ସହଜରେ ବିକ୍ରିବଟା ହୋଇପାରୁଛି। ବିଶେଷ କରି ଏହି ଫଳରୁ ପ୍ରଚୁର ପରିମାଣର ଭିଟାମିନ ସି ମିଳୁଥିବା କୁହାଯାଉଥିବା ବେଳେ ଏଥିରେ ଆଚାର ଓ ସ୍କ୍ୱାସ, ପ୍ରଭୃତି ତିଆରି କରାଯାଇଥାଏ। ଏଣୁ ଏହା ବିଶେଷ ଲାଭଦାୟକ ହେତୁ ସେ ଏହି ଚାଷ କରି ସାରା ଜିଲ୍ଲାରେ ସଫଳ ମହିଳା ଚାଷୀ ରୂପରେ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି।

ଅଁଳା ଚାଷ
ତେବେ ଏହିଭଳି ସମସ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯାହାରି ଫଳରେ ସମାଜରରେ ଏକ ସ୍ଵତର୍ନ୍ତ୍ର ପରିଚୟ ସୃଷ୍ଟି କରିବା ସାଙ୍ଗକୁ ଅନ୍ୟମାନଙ୍କୁ ରୋଜଗାର ସାହାରା ଯୋଗାଇ ପାରିବ ବୋଲି କୁହନ୍ତି ଅଁଳା ଚାଷୀ ସୁଜତା ପ୍ରଧାନ।
ଖାଲି ସେତିକି ନୁହେଁ ବରଂ ଗଲା କିଛି ବର୍ଷର ପରିଶ୍ରମରେ ଶତାଧିକ ଗଛରେ ଏବେ ପେନ୍ଥା ପେନ୍ଥା ଅଁଳା ଫଳି ଥିବା ବେଳେ ଏଠାରୁ ଆଦାୟ ହେଉଥିବା ଅଁଳାକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ପଠାଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ଆର୍ୟୁବେଦିକ ମହା ବିଦ୍ୟାଳୟକୁ ମଧ୍ୟ ଏଠାରୁ ପଠାଯାଉଛି। ଏହି ଚାଷ ଗଞ୍ଜାମ ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ଏଠାରେ କାର୍ଯ୍ୟ କରି ପ୍ରାୟ ଦଶଟି ପରିବାର ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି। ଯାହାକି ଏହି ଚାଷ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ଏବେ ଏହି ଅଁଳା ଫାର୍ମରେ କାମ କରିବା ସହ ନିଜ ଗାଁରେ ରହି ଦୁଇ ପଇସା ରୋଜଗାର କରିବାରେ ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି ନିକଟସ୍ଥ ଗ୍ରାମର ସବି ପ୍ରଧାନ।
ଏହି ଅଁଳା ଚାଷ ଓ ସୁଜାତା ପ୍ରଧାନଙ୍କ ଉଦ୍ୟମ ସମସ୍ତ ଚାଷୀମାନଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଭୁଲ ହେବନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।