ଏପ୍ରିଲ ମାସରେ ସମୁଦାୟ ୪୨ଟି ଅପହରଣ ମାମଲା ରୁଜୁ; ଖଣ୍ଡଗିରିରୁ ସର୍ବାଧିକ

ଅପହରଣ ମାମଲାର ଅଭିଯୋଗକାରୀ ତଥା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପକ୍ଷରୁ ପ୍ରାରମ୍ଭ ହେଲ୍ଫ ଲାଇନ ନମ୍ବର ୦୬୭୪ ୨୫୪୫୪୪୫ ଜାରି କରାଯାଇଛି।

ଏପ୍ରିଲ ମାସରେ ସମୁଦାୟ ୪୨ଟି ଅପହରଣ ମାମଲା ରୁଜୁ

ଏପ୍ରିଲ ମାସରେ ସମୁଦାୟ ୪୨ଟି ଅପହରଣ ମାମଲା ରୁଜୁ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀର ସହରାଞ୍ଚଳ ପୋଲିସ ଜିଲ୍ଲା ଅଧୀନରେ ଥିବା ଥାନାମାନଙ୍କରେ ଗତ ଏପ୍ରିଲ ମାସରେ ସମୁଦାୟ ୪୨ଟି ଅପହରଣ ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ଖଣ୍ଡଗିରି ଥାନାରେ ସର୍ବାଧିକ ୭ ଗୋଟି ମାମଲା ରୁଜୁ ହୋଇଥିବାବେଳେ ଭରତପୁର ଓ ନୟାପଲ୍ଲି ଥାନାରେ ୫ଟି ଲେଖାଏଁ ମାମଲା ରୁଜୁ ହୋଇଥିଲା। ସେହିପରି ଭାବେ ଖାରବେଳନଗର, ଚନ୍ଦକା, ଇନଫୋସିଟି, ଲକ୍ଷ୍ମୀସାଗର ଓ ଶ୍ରୀଲିଙ୍ଗରାଜ ଥାନାରେ ୧ଟି ଲେଖାଏଁ ମାମଲା ରୁଜୁ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବ ବର୍ଷମାନଙ୍କର ବକେୟା ଅପହରଣ ମାମଲା ସହିତ ଚଳିତ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ସମସ୍ତ ଥାନା ଓ କିଡନାପିଙ୍ଗ ଓ ମ୍ୟାନ୍‌ ମିସିଂ ସେଲର ମିଳିତ ଉଦ୍ୟମରେ ସର୍ବମୋଟ ୫୬୧ଟି ମାମଲାର ତଦନ୍ତ ଶେଷ କରାଯାଇ ପାରିଛି। କେବଳ ଏପ୍ରିଲ ମାସରେ ୪୪ଟି ମାମଲାର ତଦନ୍ତ ଶେଷ ହୋଇଥିବାବେଳେ ସେହି ମାସରେ ଖଣ୍ଡଗିରି ଥାନା ସର୍ବାଧିକ ୯ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଶହୀଦନଗର ଥାନା, ଜଟଣୀ ଓ ବାଲିଅନ୍ତା ଥାନା ୪ଟି ଲେଖାଏଁ ଅପହରଣ ମାମଲାର ତଦନ୍ତ ଶେଷ କରିଛନ୍ତି।

ଫେବୃଆରୀ ମାସରେ ନିଖୋଜ ୪୨ ଜଣ ନାବାଳକ ଓ ନାବାଳିକାମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସେଲ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଏହି ମାସରେ ହିଁ ଠାବ କରାଯାଇ ପାରିଛି। ସେହିପରି ବକେୟା ମାମଲାରେ ନିଖୋଜ ୫୩ ଜଣ ନାବାଳକ ତଥା ନାବାଳିକାଙ୍କୁ ମିଶାଇ ସମୁଦାୟ ୬୫ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଖଣ୍ଡଗିରି ଥାନାରେ ସର୍ବାଧିକ ୯ ଜଣ ତଥା ବାଲିଅନ୍ତା ଓ ମଞ୍ଚେଶ୍ବର ଥାନାରେ ଯଥାକ୍ରମେ ୮ ଜଣ ଓ ୭ ଜଣ ନାବାଳକ ତଥା ନାବାଳିକାଙ୍କୁ ଏପ୍ରିଲ ମାସରେ ଉଦ୍ଧାର କରାଯାଇପାରିଛି।

ସୂଚନାଯୋଗ୍ୟ ଯେ, ଗତ ମେ ମାସରୁ ଡି.ସି.ପି. ଅଫିସ, ଭୁବନେଶ୍ବରରେ ଗଠିତ ହୋଇଥିବା କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ ୨୦୦୮ ମସିହାରୁ ରାଜଧାନୀର ବିଭିନ୍ନ ଥାନାମାନଙ୍କରେ ରୁଜୁ ହୋଇଥିବା ଅପହରଣ ମାମଲାଗ ତଦନ୍ତରେ ତଦନ୍ତକାରି ଅଫିସରମାନଙ୍କୁ ଉଚିତ୍ ସହାୟତା ଯୋଗାଇ ଆସୁଛି। ଗତ ବର୍ଷ ମେ ମାସରୁ ଏହି ବର୍ଷ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ ତଥା ଥାନାର ତଦନ୍ତକାରି ଅଫିସରମାନଙ୍କ ପ୍ରୟାସ କ୍ରମେ ୩୯୪ ଗୋଟି ମାମଲାରେ ନିଖୋଜ ଥିବା ୪୦୭ ଜଣ ନାବାଳକ ତଥା ନାବାଳିକାଙ୍କୁ ଉଦ୍ଧାର କରାଯାଇପାରିଛି। ୧୮ ବର୍ଷରୁ କମ୍ ବୟସର ନାବାଳକ ଓ ନାବାଳିକା ସୁଇଚ୍ଛାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନ ଗତ ଦୃଷ୍ଟିକୋଣରୁ ଅପହରଣ ମାମଲା ରୁଜୁ କରାଯିବାର ପ୍ରାବଧାନ ରହିଛି।

କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲର ପ୍ରଚେଷ୍ଟା କ୍ରମେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ବିଭିନ୍ନ ଥାନାମାନଙ୍କରେ ୨୦୦୮ ମସିହାରୁ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ଗତ ବର୍ଷ ମେ ମାସରୁ ଚଳିତ ବର୍ଷ ଏପ୍ରିଲ ୩୦ ମଧ୍ୟରେ ସମୁଦାୟ ୪୦୨୭ ଜଣ ଅଭିଯୋଗକାରୀ ତଥା ଅପହରଣ ମାମଲାରେ ଅନ୍ତର୍ଭୁକ୍ତ ଥିବା ନାବାଳକ ଓ ନାବାଳିକାମାନଙ୍କୁ ସେଲ ତରଫରୁ ସମ୍ପର୍କ କରାଯାଇ ସେମାନକୁ ଉଚିତ୍ ପରାମର୍ଶ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ବହୁତ ଜଣ ନାବାଳକ ଓ ନାବାଳିକା ନିଜ ଇଚ୍ଛାରେ ପ୍ରେମ ସମ୍ପର୍କ କିମ୍ବା ପାରିବାରିକ ଗଣ୍ଡଗୋଳରୁ ଉତକ୍ଷିପ୍ତ ହୋଇ ଘରୁ ପଳାୟନ କରିଥିଲେ। ତେଣୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ସ୍କୁଲ ଓ କଲେଜ ପିଲାମାନଙ୍କୁ ଏହି ବାବଦରେ ସଚେତନ କରିବା ପାଇଁ ଡି.ସି.ପି. ଅଫିସ ଭୁବନେଶ୍ବର ପକ୍ଷରୁ ''ପ୍ରାରମ୍ଭ' ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପହରଣ ମାମଲାର ଅଭିଯୋଗକାରୀ ତଥା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପକ୍ଷରୁ ପ୍ରାରମ୍ଭ ହେଲ୍ଫ ଲାଇନ ନମ୍ବର ୦୬୭୪ ୨୫୪୫୪୪୫ ଜାରି କରାଯାଇଛି।
Published by:Lipina Das
First published: