ପୌର ନିର୍ବାଚନରେ ନିୟୋଜିତ ହେବେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ

ପୌର ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ।

ପୌର ନିର୍ବାଚନ ପାଇଁ ୧୯୫ ପ୍ଲାଟୁନ ପୋଲିସ ନିୟୋଜିତ ହେବେ (ପ୍ରତୀକାତ୍ମକ ଛବି)

ପୌର ନିର୍ବାଚନ ପାଇଁ ୧୯୫ ପ୍ଲାଟୁନ ପୋଲିସ ନିୟୋଜିତ ହେବେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାପାଇଁ ରାଜ୍ୟ ୧୯୬ ପ୍ଲାଟୁନ ପୋଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଏତଦ୍‌ବ୍ୟତୀତ ମୋଟ ୩୦୦ ମୋବାଇଲ ପାର୍ଟି ରହିବେ । ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ୩ ମହାନଗର ନିଗମ ପାଇଁ କାର୍ଯ୍ୟ କରିବେ ।

ପ୍ରତ୍ୟେକ ବୁଥରେ ଜଣେ ଜଣେ କନେଷ୍ଟବଳ / ହାବିଲଦାର କିମ୍ବା ସଶସ୍ତ୍ର ପୋଲିସ ରହିବେ । ସମ୍ବେଦନଶୀଳ/ଅତି ସମ୍ବେଦନଶୀଳ ବୁଥରେ ଜଣେ ଜଣେ ହାବିଲଦାର କିମ୍ବା କନେଷ୍ଟବଳ ସହ ଆଉ ଜଣେ ସଶସ୍ତ୍ର ପୋଲିସ ରହିବେ । ଏହା ବ୍ୟତୀତ କ୍ଲଷ୍ଟର ବୁଥରେ ଜଣେ ଅଫିସର ସହ ଆବଶ୍ୟକୀୟ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରାଞ୍ଚଳର ପୋଲିସ ଷ୍ଟେସନରେ ଗୋଟିଏ କିମ୍ବା ଦୁଇଟି Striking Force ରହିବେ । ଏହା ବ୍ୟତୀତ ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଜରୁରୀ ପରିସ୍ଥିତି ପାଇଁ ନିୟୋଜିତ ହେବେ । ଏହା ବ୍ୟତୀତ ୫ ଟି ଜାଗାରେ ନକାବନ୍ଦୀ ବ୍ୟବସ୍ଥା ରହିବ। ଯାହା ଦାୟିତ୍ବରେ ଜଣେ ଇନ୍ସପେକ୍ଟର ଓ ୩ ଜଣ ଅଫିସର ଓ ନିୟୋଜିତ ରହିବେ ।

ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ଜଣ ପୋଲିଂ ଅଫିସର ରହିବେ । ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ୨୩ ତାରିଖ ଦିନ ସମସ୍ତ ପୋଲିଂ କର୍ମଚାରୀ ନିଜର ଭୋଟ ଗ୍ରହଣ କେନ୍ଦ୍ରରେ ଅପରାହ୍ନ ସୁଦ୍ଧା ପହଞ୍ଚିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ପୌରାଞ୍ଚଳରେ ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ ।

ଆସନ୍ତା ୨୪ ତାରିଖରେ ରାଜ୍ୟର ମୋଟ ୩ ଟି ମହାନଗର ନିଗମ, ୪୭ ଟି ପୌରାଞ୍ଚଳ ଓ ୫୯ ଟି ଏନଏସିରେ ନିର୍ବାଚନ ହେବ । ଏହି ନିର୍ବାଚନରେ ବିଭିନ୍ନ ମହାନଗର ନିଗମ/ପୌରାଞ୍ଚଳରେ ମେୟର/ପୌରାଧକ୍ଷ ପାଇଁ ୫୬୯, କର୍ପୋରେଟର/କାଉନସିଲର ପାଇଁ ମୋଟ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ନିର୍ବାଚନରେ ମ୍ୟୁନ୍ସିପାଲିଟି ଓ  ଏନଏସିର ୧୬୭୨ ୱାର୍ଡ଼ରେ ଓ ୩ ଟି ମହାନଗର ନିଗମର ୧୬୫ ୱାର୍ଡ଼ରେ ନିର୍ବାଚନ ଅନୁଷ୍ଠିତ ହେବ । ପୌର ପରିଷଦ / ଏନଏସିର ୨୯୮୯ ବୁଥରେ ଓ ୩ ଟି ମହାନଗର ନିଗମର ୧୩୮୪ ବୁଥରେ ୪୦,୫୫,୦୫୩ ଜଣ ଭୋଟ ଦାତା ମତ ସାବ୍ୟସ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ନାମାଙ୍କନ ପ୍ରକ୍ରିୟା ପରେ ବ୍ରହ୍ମପୁର ମହାନଗର ନିଗମର ୩ ଟି ଓ୍ବାର୍ଡ଼ ଓ ଅନ୍ୟ ପୌର ପରିଷଦ ଓ ଏନଏସିର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଏତଦ୍‌ବ୍ୟତୀତ ପଟ୍ଟାମୁଣ୍ଡାଇ ପୌର ପରିଷଦ, କାମାକ୍ଷାନଗର ଏନଏସି, ପୁରୁଷୋତ୍ତମପୁର ଏନଏସିର ଗୋଟିଏ ଗୋଟିଏ ୱାର୍ଡରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି । ଏହି ନିର୍ବାଚନରେ ପ୍ରତ୍ୟେକ ବୁଥରେ ୨ଟି ଇଭିଏମ ରହିବ ।

ଗୋଟିକରେ ମେୟର / ପୌରାଧକ୍ଷ ଏବଂ ଅନ୍ୟଟିରେ କର୍ପୋରେଟର/କାଉନସିଲର ପାଇଁ ଭୋଟ ଗ୍ରହଣ କରାଯିବ ।
Published by:Soumya Das
First published: