News18 Odia Digital
କେନ୍ଦୁଝର: କେନ୍ଦୁଝର ଖଣି ଅଞ୍ଚଳ ବଡ଼ବିଲରେ ଫୁଟିଛି ବିରଳ ୧ହଜାର ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ । ଏହି ସହସ୍ରଦଳ କମଳ ପୁଷ୍ପ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ବଡ଼ବିଲରେ ଫୁଟିଛି ବିରଳ ୧ହଜାର ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ତଥା ସହସ୍ରଦଳ କମଳ। ବଡ଼ବିଲ ସହର ପିଏଚଡ଼ି କଲୋନୀସ୍ଥିତ ଐକ୍ୟକ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ପ୍ରକୃତିପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ପଦ୍ମ ଫୁଟିପାରିଛି ।
ବିଦେଶରୁ ଆମଦାନୀ ହୋଇଥିବା ଏହି ପଦ୍ମର କନ୍ଦାକୁ ବିଜୟ ମହାନ୍ତି ବର୍ଷକ ତଳେ କୋଲକାତାରୁ ଆଣିଥିଲେ । ଗତବର୍ଷ ସେ ଏହି କନ୍ଦା ରୋପଣ କରିଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇଥିଲେ। ପାଖାପାଖି ବର୍ଷେପରେ ଏଥିରେ କଢ଼ ଆସିଥିଲା । କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ୧୫ ଦିନ ଲାଗିଗଲା । ଏବେ ଏହି ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲର ସୌନ୍ଦର୍ଯ୍ୟ ଦେଖଣାହାରୀଙ୍କ ମନ ମୋହିନେଉଛି । ଏହି ପଦ୍ମଫୁଲର ରଙ୍ଗ ଗୋଲାପୀ ଓ ଅନ୍ୟ ପଦ୍ମଫୁଲ ଭଳି ଏହାର ଆକାର ହୋଇଥିବା ବେଳେ, ଏହାର ପାଖୁଡ଼ା ସଂଖ୍ୟା ପାଖାପାଖି ୧ହଜାର ବୋଲି କୁହାଯାଉଛି ।
କେମିତି ଜାଣିବେ ଆପଣଙ୍କ ମୋବାଇଲ ୱାଟରପ୍ରୁଫ କି ନୁହେଁ?
ଏହି ବିରଳ ସହସ୍ରଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକ ଆସିଛନ୍ତି । ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଙ୍ଗର ହାଇବ୍ରିଡ୍ ପଦ୍ମ ଓ କଇଁଫୁଲର ସଂଗ୍ରହ ମଧ୍ୟ ରହିଛି । ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଶତାଧିକ ଫୁଲ, ବୃକ୍ଷ ଓ ଲତା ଏଠାରେ ଦେଖିବାକୁ ମିଳୁଛି ।
"ଭାରତରେ ଏହି ଫୁଲ ବିରଳ । ଚାରିଆଡ଼େ ଖୋଜିଲୁ ଏହି ଫୁଲ କେଉଁଠି ମିଳିବ । ସମ୍ବଲପୁର ସହରର ଜଣେ ସୁବ୍ରତ ବାଗଚୀଙ୍କ ନିକଟରେ ଏହି ଫୁଲ ଥିଲା । ତାଙ୍କର କହିବା ଅନୁଯାୟୀ, ଆମେ ଏହି ଫୁଲକୁ କୋଲକାତାରୁ ଏହାର କନ୍ଦା ଆଣିଲୁ। ବର୍ଷେ ତଳେ ମୁଁ ଏହାକୁ ଲଗାଇଥିଲି । ୧୫ ଦିନ ତଳେ ଏହି ଫୁଲରେ କଢ଼ ଆସିଥିଲା । ଆଜି ଏହା ଫୁଟିଛି । ବହୁତ ପର୍ଯ୍ୟଟନ ଆସି ଏହି ଫୁଲକୁ ଦେଖୁଛନ୍ତି। ଏହାକୁ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ପ୍ରବାଦ ଅଛି'' ବୋଲି କହିଛନ୍ତି ପ୍ରକୃତିପ୍ରେମୀ ବିଜୟ ମହାନ୍ତି । ଏଥିସହ ଏହି ଫୁଲର ବହୁତ ମହତ୍ୱ ଅଛି । ଏହି ଫୁଲ ଦର୍ଶନମାତ୍ରେ ବହୁ ପାପରୁ ମୁକ୍ତି ମିଳେ । ଆମେ ଏଭଳି ସୁନ୍ଦର ଫୁଲ କେବେ ଦେଖି ନଥିଲୁ । ଏହି ଫୁଲ ଦେଖିବାକୁ ଏଠାରେ ଭିଡ ଜମୁଥିବା କହିଛନ୍ତି ପର୍ଯ୍ୟଟକ ଗୁରୁ ଚରଣ ମହାନ୍ତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।