ଉଦାହରଣ ସାଜିଲା କ୍ଲାସ ; ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ାଯାଉଛି । ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ଉଦାହରଣ ସାଜିଲା କ୍ଲାସ ; ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଉଦାହରଣ ସାଜିଲା କ୍ଲାସ ; ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

  • Share this:
News 18 Odia Digital

ସୁନ୍ଦରଗଡ଼; ଶିକ୍ଷା ବ୍ୟବସ୍ଥାର ନିଆର ପ୍ରୟାସକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା । ଜଣେ ଶିକ୍ଷକ ଶ୍ରେଣୀ ଗୃହରେ ରହି ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି । କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନଲାଇନ କ୍ଲାସ ମାଧ୍ୟମରେ ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଉଛି । ଶିକ୍ଷକ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା ‘ଭର୍ଚୁଆଲ କ୍ଲାସ’ ଏହାର ଏକ ଉଦାହରଣ ।



ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମର ପରିଚାଳନା ପାଇଁ ସୁନ୍ଦରଗଡ଼ଠାରେ ଏକ ସ୍ୱତନ୍ତ୍ର ଷ୍ଟୁଡିଓ ସ୍ଥାପନ କରାଯାଇଛି । ଭି-ସାଟ୍ ଲିଙ୍କ୍ ଜରିଆରେ ଏହି ଷ୍ଟୁଡିଓକୁ ସିଧାସଳଖ ଜିଲ୍ଲାର ବିଭିନ୍ନ ସ୍କୁଲର ସ୍ମାର୍ଟ କ୍ଲାସରୁମ ସହିତ ଯୋଡ଼ି ଦିଆଯାଇଛି । ଫଳରେ ଜିଲ୍ଲାର ତାଲିମପ୍ରାପ୍ତ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭର୍ଚୁଆଲ ଷ୍ଟୁଡିଓରେ ଉପସ୍ଥିତ ରହି ଲାଇଭ୍ କ୍ଲାସ୍ ମାଧ୍ୟମରେ ଏକ ସମୟରେ ଶତାଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇପାରୁଛନ୍ତି । ୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାରେ ପ୍ରଥମେ ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା ।  ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି । ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି ।ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଷ୍ଟୁଡିଓରେ ଥାଇ ଆମକୁ ଭଲଭାବେ ପାଠ ବୁଝାଉଛନ୍ତି । ସେମାନେ ବିଭିନ୍ନ ଚିତ୍ର ଏବଂ ଭିଡିଓ ଦେଖାଇ ପାଠ ପଢ଼ାଉଥିବାରୁ ଅଧିକ ଆଗ୍ରହ ଲାଗୁଛି । ପାଠକୁ ନେଇ ଆମ ମନରେ ଯାହା ପ୍ରଶ୍ନ ରହୁଛି ଆମେ ସେଠି ସିଧାସଳଖ ତାଙ୍କୁ ପଚାରି ତା’ର ଉତ୍ତର ପାଇପାରୁଛୁ ବୋଲି ଛାତ୍ରଛାତ୍ରୀ ମତ ଦେଇଛନ୍ତି ।



ଭର୍ଚୁଆଲ ଷ୍ଟୁଡିଓରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପିପିଟି ତଥା ଭିଡିଓ ଏବଂ ଆନିମେସନ ବ୍ୟବହାର କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ ଶ୍ରେଣୀଗୃହରେ ବସି ସେଠାରେ ଥିବା ସ୍ମାର୍ଟ ବୋର୍ଡ ମାଧ୍ୟମରେ ଭର୍ଚୁଆଲ ଷ୍ଟୁଡିଓରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେଉଛନ୍ତି । ଏହି ବ୍ୟବସ୍ଥାରେ ଉଭୟ ପଟୁ କଥାବାର୍ତ୍ତା କରିବା ଲାଗି ସୁବିଧା କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରି ତା’ର ଉତ୍ତର ପାଇପାରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ା ଯାଉଛି । ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମ ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ ଧାରା ଯୋଡ଼ିପାରିଛି । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଏଠାରେ ଶିକ୍ଷାଦାନ ପ୍ରକ୍ରିୟାକୁ ଯେଭଳି ବ୍ୟାପକ କରାଯାଇପାରିଛି ତାହା ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିଛି । ଏହି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ।

ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସହିତ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଯୋଡ଼ା ଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଭର୍ଚୁଆଲ୍ ଷ୍ଟୁଡିଓକୁ ଡାକି ଲାଇଭ୍ କ୍ଲାସ କରାଯାଉଛି । ସେମାନେ ଜିଲ୍ଲାର ବିଭିନ୍ନ ସ୍କୁଲରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ଇତିହାସ ଓ ଭୂଗୋଳ ଆଦି ବିଷୟ ପଢ଼ାଉଛନ୍ତି । ସୁଯୋଗ ପାଇଲେ ଜଣେ ବ୍ୟକ୍ତିର ଜ୍ଞାନର ପରିସୀମା ସଂପ୍ରସାରିତ ହେବା ସହ ତାହା ଅନ୍ୟମାନଙ୍କୁ ସୁଫଳ ପ୍ରଦାନ କରିଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସେହି କଥାକୁ ବାସ୍ତବରେ ପରିଣତ କରିପାରିଛି ।
Published by:Soubhagya Mishra
First published: