News 18 Odia Digital
କଟକ; ବାଙ୍କି ବିଜ୍ଞାପିତ ଅଞ୍ଚଳର ୧୫ ନମ୍ବର ୱାର୍ଡରେ ବନ୍ୟା ଜଳ ପଶିବା ପରେ ଦେଖିବାକୁ ମିଳିଛି ଏକ କୌତୁହଳପ୍ରଦ ଘଟଣା । ଏକ ବଡ଼ ନାଗ ସାପ ଆଉ ଏକ ସାପକୁ ଗିଳୁଥିବାର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲେ ଗାଁ ଲୋକେ ।

ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସେଠାରେ ପହଞ୍ଚିବା ବେଳକୁ ନାଗ ସାପଟି ଚନ୍ଦନ ବୋଡ଼ା ସାପକୁ ଗିଳି ସାରିଥିଲା । ଲଳିତ ପ୍ରାୟ ୬ ଫୁଟର ନାଗ ସାପଟିର ଲାଞ୍ଜକୁ ଧରି ଉଦ୍ଧାର କରିବା ସମୟରେ ସାପଟି ଏକ ୨ ଫୁଟର ଚନ୍ଦନ ବୋଡାକୁ ବାନ୍ତି କରିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ନାଗ ପେଟରୁ ବାହାରିବା ପରେ ମଧ୍ୟ ଚନ୍ଦନ ବୋଡ଼ା ସାପଟି ବଞ୍ଚିଥିଲା ଏବଂ ଲାଙ୍ଗୁଡ ହଲାଇବା ସହିତ ପାଟିକୁ ମଧ୍ୟ ଖୋଲୁଥିଲା । ସାପ ଦୁଇଟିକୁ ଉଦ୍ଧାର କରିବା ପରେ ଗାଁ ଠାରୁ ଦୂରରେ ଥିବା ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ଚନ୍ଦନ ବୋଡ଼ାଟିକୁ ଯେତେବେଳେ ନାଗ ସାପଟି ଗିଳି ଦେଇଥିଲା ସେତେବେଳେ ସ୍ଥାନୀୟ ଲୋକେ ଭାବିଥିଲେ ଚନ୍ଦନ ବୋଡ଼ାଟି ଆଉ ବଞ୍ଚିନଥିବ । ଅନ୍ୟପଟେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅନୁମାନ କରିଥିଲେ, ନାଗ ସାପ ପେଟରୁ ଚନ୍ଦନ ବୋଡ଼ା ବାହାରିବା ପରେ ନାଗ ସାପକୁ ନେଇ ଜଙ୍ଗଲରେ ଛାଡି ଦିଆଯିବ । ହେଲେ ବୋଡ଼ା ସାପ ମରିବା ଏତେ ସହଜ ନୁହେଁ । ନାଗ ସାପ ପେଟ ଭିତରେ ରହି ମଧ୍ୟ ସେ ବଞ୍ଚି ରହିଥିଲା । ନାଗ ପେଟରୁ ବାହାରିବା ପରେ ବୋଡ଼ା ସାପର ସ୍ୱଭାବ ଦେଖି ସ୍ଥାନିୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ।

ସ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇଟି କାରଣରୁ ସାପ ଆଉ ଗୋଟିଏ ସାପକୁ ଗିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଭୋକ ଓ ଅନ୍ୟଟି ଭୟ । ପ୍ରବଳ ଭୋକ କାରଣରୁ ଗୋଟିଏ ସାପ ଅନ୍ୟ ସାପକୁ ନିଜର ଆହାର କରିନିଏ ଖାଦ୍ୟ ଭାବରେ । ଏବଂ ନିଜେ ସୁରକ୍ଷିତ ରହିବା ପାଇଁ ମଧ୍ୟ ସାପଟି ଅନ୍ୟ ଏକ ସାପକୁ ଗିଳିଥାଏ । ଯାହା ଏଠାରେ ଦେଖିବାକୁ ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।