News 18 Odia Digital
ବ୍ରହ୍ମପୁର: ଶିକ୍ଷାଦାନ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାରେ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟରେ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ଦେଶ ଓ ବିଦେଶରେ ନିଜର ନାମ କମାଇପାରିଛନ୍ତି। କିନ୍ତୁ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ଅଧ୍ୟାପକମାନେ ଅଶ୍ଳୀଳ ଇଙ୍ଗିତ ସହ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ତିନୋଟି ବିଭାଗର ଛାତ୍ରୀ ନିଜର ଅଧ୍ୟାପକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସେପଟେ ଛାତ୍ରୀଙ୍କ ଅଭିଯୋଗର ପତ୍ର ଭାଇରଲ ହେଉଥିବା ବେଳେ ଛାତ୍ରୀମାନେ ଓ ଅଧ୍ୟାପକଙ୍କ ମଧ୍ୟରେ ହୋଇଥିବା ଅଶ୍ଳୀଳ ଇଙ୍ଗିତ ତଥା ଅସଦାଚରଣ ନେଇ ଏକ ଅଡ଼ିଓ ରେକର୍ଡ଼ିଂ ମଧ୍ୟ ଭାଇରଲ ହେବାରେ ଲାଗିଛି। ଏଭଳି ଲଗାତାର ଭାବେ ବିଭିନ୍ନ ବିଭାଗ ପକ୍ଷରୁ ଅଭିଯୋଗ ଆସିବା ପରେ ବିଶ୍ବବିଦ୍ୟାଳୟରେ ଏବେ ସୁରକ୍ଷିତ ମନେ କରୁନାହାଁନ୍ତି ଛାତ୍ରଛାତ୍ରୀ ।
ପ୍ରଥମେ ଗତ ଜୁନ ମାସ ୩୦ ତାରିଖରେ ଓଡ଼ିଆ ବିଭାଗର ଅଧ୍ୟାପକ ସଦାନନ୍ଦ ନାୟକ ଓଡ଼ିଆ ବିଭାଗର ଜଣେ ଛାତ୍ରୀଙ୍କୁ ନିଜ କ୍ବାଟରକୁ ଡ଼ାକି ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଧ୍ୟାପକ ସଦାନନ୍ଦ ନାୟକଙ୍କୁ ଗିରଫ କରିଥିଲା।
ବର୍ତ୍ତମାନ ଇତିହାସ ବିଭାଗର ଜଣେ ଛାତ୍ରୀ ସମ୍ପୃକ୍ତ ବିଭାଗର ଅଧ୍ୟାପକ ଡ଼.ଶଙ୍କରର୍ଷଣ ମଲ୍ଲିକ ଛାତ୍ରୀମାନଙ୍କୁ ନିଜର ବ୍ୟକ୍ତିଗତ କାମ କରିବା ନିମନ୍ତେ ବାଧ୍ୟ କରୁଛନ୍ତି । ନଚେତ ପରୀକ୍ଷା ମାର୍କ କମ କରିଦେବା ନିମନ୍ତେ କହୁଥିବା ନେଇ ଜଣେ ଛାତ୍ରୀ କୁଳପତିଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଉକ୍ତ ଚିଠି ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ସେହିପରି ଇଂରାଜୀ ବିଭାଗର ଅଧ୍ୟାପକ ସମ୍ପୃକ୍ତ ବିଭାଗର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସଦାଚରଣ ନେଇ ଏବେ ଅଡ଼ିଓ ରେକର୍ଡ଼ିଂ ଭାଇରଲ ହେବାରେ ଲାଗିଛି।
ତୁରନ୍ତ ଏହାର ତଦନ୍ତ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସେପଟେ କିଛି ଛାତ୍ରୀଙ୍କୁ ଅଧ୍ୟାପକମାନେ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆସିଛି ଓ ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ନିଶ୍ଚିତ ଭାବେ ତଦନ୍ତ ଶେଷ ହେବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।