ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ
News18 Odia Digital
ଭୁବନେଶ୍ୱର: ଭୂମି ପୂଜନ ଅବସରରେ ଧୋତି ପିନ୍ଧିବା ସହ ଦେହରେ ଚାଦର ପକାଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ରାଜ୍ୟ କୃଷି ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଅରୁଣ ସାହୁ । ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଆରମ୍ଭ କରାଯାଇଥିଲା ପାରମ୍ପରିକ ପୂଜାର୍ଚ୍ଚନା । ନିଜେ ମନ୍ତ୍ରୀ ହଳ ଲଙ୍ଗଳ ଧରି ପାରମ୍ପରିକ ଓଡ଼ିଆ ଘରର ଏହି ପରମ୍ପରାକୁ ଉଜ୍ଜୀବିତ କରିଥିଲେ ।
କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଥିଲା ସେ ନିଜେ ଜଣେ ଓଡ଼ିଆ ଚାଷୀ ଘରର ପିଲା । ପିଲାବେଳୁ ଚାଷ କାର୍ଯ୍ୟରେ ତାଙ୍କର ସମ୍ପୃକ୍ତି ଥିଲା । କୃଷି ମନ୍ତ୍ରୀ ହିସାବରେ ଏହି କାମକୁ ସେ କେବଳ ମନେ ପକାଇବା ପାଇଁ ଉଦ୍ୟମ କରିଛନ୍ତି। ଗତ ବର୍ଷ ଧରି କୋଭିଡ଼ ମହାମାରୀ କାରଣରୁ ରାଜ୍ୟରେ ଏହି ପାରମ୍ପରିକ କୃଷି ଉତ୍ସବ ବନ୍ଦ ରହିଥିବା ବେଳେ କଟକଣା କୋହଳ ହେବା ପରେ ଏଥର ଏଭଳି ଆୟୋଜନ କରାଯାଇଛି । ରାଜ୍ୟରେ ଏବେ କୃଷି ପ୍ରତି ଆଗ୍ରହ ବଢ଼ିଛି । ବିଶେଷକରି ଯୁବପିଢ଼ିଙ୍କ ଭିତରେ ଏହି ଉତ୍ସାହ ଦ୍ୱିଗୁଣିତ ହୋଇଥିବା ସ୍ପଷ୍ଟ କରିଥିଲେ ମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ କହିଛନ୍ତି,"କୋଭିଡ଼ ମହାମାରୀ ସମୟରେ ଲୋକେ ଅନେକ ସମସ୍ୟା ଭିତରେ ରହିଥିଲେ ସତ। କିନ୍ତୁ ସେ ଭିତରେ ଗୋଟେ ବଡ଼ ସମ୍ଭାବନା ସୃଷ୍ଟି ହୋଇଥିଲା କୃଷି କ୍ଷେତ୍ରକୁ ନେଇ। ଅର୍ଥାତ୍ କୋଭିଡ଼ ସମୟରେ ରାଜ୍ୟରେ କୃଷି ଓ କୃଷକ ପ୍ରତି ଆଗ୍ରହ ବଢ଼ିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ରାଜ୍ୟ ବାହାରେ ଥିବା ଅନେକ କୁଶଳୀ ଯୁବପିଢ଼ି ବାହାର ରାଜ୍ୟରେ କାମ କରିବା ଅପେକ୍ଷା ନିଜ ଜନ୍ମ ମାଟିରେ କୃଷି କ୍ଷେତ୍ରରେ ଆଗ୍ରହର ସହ ସାମିଲ ହୋଇଥିଲେ । ମୋଟ ଉପରେ କୋଭିଡ଼ କାରଣରୁ ରାଜ୍ୟରେ କୃଷି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇ ପାରିଛି"।
ଅକ୍ଷି ମୁଠି ଅନୁକୂଳ ଉତ୍ସବ ସହ ଏହି ଅବସରରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ କୃଷକ ଦିବସ । ବରମୁଣ୍ଡାସ୍ଥିତ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ର ପରିସରରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ । ବିଶେଷକରି ସାରା ଦେଶରେ ପୃଥକ୍ ଭାବେ କେବଳ କୃଷି ବଜେଟ ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ସେ ସ୍ପଷ୍ଟ କରିବା ସହ କାଳିଆ ଯୋଜନା, ମିଲେଟ୍ମିଶନ, ଜ୍ୟାକଫ୍ରୁଟ ମିଶନ ବିଷୟରେ ଅବତାରଣା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀମାନେ ସାମିଲ ହୋଇଥିବା ବେଳେ ବାହାର ରାଜ୍ୟରେ ଖଟିବା ଅପେକ୍ଷା ପ୍ରୟୋଗାତ୍ମକ କୃଷି ପ୍ରତି ଆଗ୍ରହୀ ଯୁବ କୃଷକ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ଥିବା ବ୍ୟାପକ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଆଗାମୀ ସମୟରେ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ପ୍ରୋତ୍ସହନ ଦେବା ପାଇଁ ଅନେକ ଯୋଜନା ହାତକୁ ନେବାରେ ଲକ୍ଷ୍ୟ ରଖିଥିବା ସେ ସ୍ପଷ୍ଟ କରିଥିଲେ ।
Published by:Soumya Das
First published: