News18 Odia Digital
ପୁରୀ: ଗୋଶାଣୀ ପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁର୍ଗାପୂଜା ଶାନ୍ତି ଓ ସଦଭାବନାର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ ଶୃଙ୍ଖଳାର ସହ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି।
ବୈଠକର ନିଷ୍ପତ୍ତି ଅନୁସାରେ ଦଶହରା ଅକ୍ଟୋବର ୫ ତାରିଖରେ ଓ ଭସାଣୀ ଉତ୍ସବ ୬ ତାରିଖରେ ଅନୁଷ୍ଠିତ ହେବ। ଅକ୍ଟୋବର ୧ ତାରିଖରେ ଷଷ୍ଠୀ,୨ ତାରିଖରେ ମହାସପ୍ତମୀ, ୩ ତାରିଖରେ ମହାଷ୍ଟମୀ, ୪ ତାରିଖରେ ନବମୀ ଅନୁଷ୍ଠିତ ହେବ।
ପୂଜା ସମୟରେ ପ୍ରତ୍ୟେକ ପୂଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ ନ କରିବା, ସ୍ୱଚ୍ଛତା ବ୍ୟବସ୍ଥା କରିବେ। ଭସାଣୀ ଦିନ ସିଂହଦ୍ୱାର ଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ। ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ମଙ୍ଗଳାହାଟ ସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ। ବିସର୍ଜନ ସ୍ଥଳରେ ମୁନିସିପାଲ୍ଟି ପକ୍ଷରୁ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା, ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ମାନେ କରିବାକୁ ଅନୁରୋଧ କରାଯାଇଛି।
ପୂଜା କମିଟି ମାନେ ଶୃଙ୍ଖଳାରକ୍ଷା ଓ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ନିୟୋଜନ କରିବା, ସିସି ଟିଭି ଲଗାଇବା, ପୂଜା କମିଟର ସ୍ୱେଚ୍ଛାସେବୀଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।