News18 Odia Digital
କଟକ: ଶିଶୁ ଦିବସ ଅବସରରେ କଟକ ରେଭେନ୍ସା ମହାବିଦ୍ୟାଳୟ ଶିକ୍ଷାର୍ଥୀମାନେ ଗ୍ରହଣ କରିଛନ୍ତି ନ୍ୟାୟ, ନିତି, ନୈତିକତା ସହ ସମାନତାର ଜ୍ଞାନ । ଓ ଛାତ୍ରଛାତ୍ରୀଙ୍କୁ ଏହି ଜ୍ଞାନ ପ୍ରଦାନ କରିଛନ୍ତି ଖୋଦ ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ଏସ.ମୁରଲୀଧର । ଶିଶୁ ଦିବସ ଅବସରରେ ହାଇ କୋର୍ଟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମାର୍ଗ ଦର୍ଶନ ମଧ୍ୟ କରିଥିଲେ।
ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଚାର ବ୍ୟବସ୍ଥା, ଭାରତର ସମ୍ବିଧାନ ସହିତ ସମାଜ ଗଠନ ଦିଗରେ ଜଣେ ନାଗରିକର କର୍ତ୍ତବ୍ୟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପିଲାମାନେ ବୁଝି ପାରିବା ଶୈଳିରେ ଅତି ସରଳ ଭାବେ ସେମାନଙ୍କୁ ବୁଝାଇଥିଲେ ମଧ୍ୟ । ତେବେ ଯିଏ ଯେଉଁ କ୍ଷେତ୍ରରେ ନିଜ କ୍ୟାରିୟର କରନ୍ତୁ ନାଁ କାହିଁକି କିନ୍ତୁ ସାମ୍ବିଧାନିକ ମୂଲ୍ୟବୋଧକୁ ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ବିଚାରପତି।
ହାଇ କୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ଏସ.ମୁରଲୀଧର କହିଥିଲେ, "କେବଳ ଓକିଲ କିମ୍ବା ବିଚାରପତିମାନେ ବିଶ୍ବାସ କରିବା ଦ୍ବାରା ବିଚାର ବ୍ୟବସ୍ଥା କାର୍ଯ୍ୟ କରିନଥାଏ ବରଂ ଏହା ସେତେବେଳେ କାର୍ଯ୍ୟ କରିଥାଏ ଯେବେଳେ ଲୋକେ ବିଚାର ବ୍ୟବସ୍ଥା ଉପରେ ବିଶ୍ବାସ କରନ୍ତି । ତୁମେମାନେ ଯେଉଁ କ୍ଷେତ୍ରରେ ନିଜର କ୍ୟାରିୟର ଗଠନ କରିବାକୁ ଚାହୁଁଚ କର । ହେଲେ ସାମ୍ବିଧାନିକ ମୂଲ୍ୟବୋଧକୁ ଯଦି ତୁମେମାନେ ଧାରଣ କରିବ ତେବେ ନିଜ ସହ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ଆନନ୍ଦଦାୟକ ଓ ସମସ୍ୟା ମୁକ୍ତ କରିପାରିବ ।"

ହାଇ କୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ଏସ.ମୁରଲୀଧର
ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରଥମ ଥର ଲାଗି ଏହି ଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଶିଶୁ ଦିବସ ଅବସରରେ ପିଲାମାନଙ୍କୁ ଆଇନ ସେବା ସହିତ ବିଚାରାଳୟ ଇତ୍ୟାଦି ସମ୍ବନ୍ଧରେ ଜ୍ଞାନ ଦେବା ପାଇଁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ରେଭେନ୍ସା ମହାବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରଥମେ ସେମାନଙ୍କୁ ହାଇ କୋର୍ଟ ପରିଦର୍ଶନ କରାଯାଇଥିଲା । ଏହା ପରେ ଜୁଡିସିଆଲ ଏକାଡେମି ଠାରେ ସେମାନଙ୍କ ପାଇଁ ଏହି ସ୍ବତନ୍ତ୍ର ଆଲୋଚନା ଚକ୍ରର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଓ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ଶିଶୁ ଦିବସ ଅବସରରେ କଟକ ରେଭେନ୍ସା ମହାବିଦ୍ୟାଳୟ ଶିକ୍ଷାର୍ଥୀମାନେ ଗ୍ରହଣ କରିଛନ୍ତି ନ୍ୟାୟ, ନିତି, ନୈତିକତା ସହ ସମାନତାର ଜ୍ଞାନ
‘‘ଆଜିର ଦିନକୁ ମୁଁ କେବେ ବି ଭୁଲି ପାରିବି ନାହିଁ । ଏହି ଦିନ ମୋ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ଯେତିକି ଉତ୍ସାହ ଜନକ ଥିଲା ତାଙ୍କର ପରାମର୍ଶ ମଧ୍ୟ ସେତିକି ମୁଲ୍ୟବାନ ଥିଲା,’’ କହିଥିଲେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ର ଆୟୁଷମାନ ମିଶ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।