News18 Odia Digital
କଟକ: ଗତ କିଛି ବର୍ଷ ହେଲା ସାଇବର ଅପରାଧ ଦୃତ ଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଯାହା ତଦନ୍ତ ପୋଲିସ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ରାଜ୍ୟର ଅନ୍ୟ ଜିଲ୍ଲା ଭଳି କଟକ କମିଶନରେଟ ପୋଲିସ ପାଇଁ ମଧ୍ୟ ଏହି ସାଇବର ଅପରାଧ ଏକ ଚାଲେଞ୍ଜ ଭଳି ହୋଇଛି । ତେବେ ଏହାର ମୁକାବିଲା ପାଇଁ କଟକ କମିଶେନରେଟ ପୋଲିସ ଅଧିନରେ ନିଜସ୍ବ ସାଇବର ଥାନା ଖୋଲିବାକୁ ଯାଉଛି ।
କଟକର କାଫଲା ଠାରେ କମିଶନରେଟ ପୋଲିସ ପ୍ରଥମ ସାଇବର ଥାନାଟିର ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବା ବେଳେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଥାନାଟି ଲୋକାର୍ପିତ ହେବ। ଏହି ଥାନାରେ ଜଣେ ଇନିସପେକ୍ଟରଙ୍କ ସହ ଦୁଇ ଜଣ ସବ ଇନିସପେକ୍ଟର, ଦୁଇ ଜଣ ଏଏସଆଇ, ଓ ୪ ଜଣ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯାଇଛି ।
ମୁଖ୍ୟ କଥା ହେଉଛି କି ଏହି ଥାନାରେ କେବଳ ସାଇବର ଅପରାଧ ସମ୍ପର୍କିତ ମାମଲା ଗୁଡ଼ିକର ତଦନ୍ତ କରାଯିବ ନାହିଁ ବରଂ ସାଇବର ଅପରାଧ ମାମଲାଗୁଡ଼ିକର ତଦନ୍ତ କିପରି କରାଯିବ ସେନେଇ ଅନ୍ୟ ପୋଲିସ କର୍ମୀମାନଙ୍କୁ ସେଠାରେ ତାଲିମ ମଧ୍ୟ ପ୍ରଦାନ କରାଯିବ। ପୂର୍ବରୁ ସାଇବର ଅପରାଧ ମାମଲାଗୁଡ଼ିକର ତଦନ୍ତ ଓ ସଫଳତାର ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସମର୍ଥ ହୋଇଥିବା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ଥିବା ପୋଲିସ କର୍ମଚାରୀମାନଙ୍କୁ ଏହି ଥାନାରେ ନିୟୋଜିତ କରାଯିବ।

କଟକରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନ
ଏହା ସହିତ ସାଇବର ଅପରାଧ ମାମଲାଗୁଡ଼ିକର ତଦନ୍ତ କରିବା କ୍ଷେତ୍ରରେ ପୋଲିସକୁ ସହଯୋଗ କରିବା ପାଇଁ ସାଇବର ଏକ୍ସପର୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। କେବଳ ସେତିକି ନୁହେଁ ସାଇବର ଅପରାଧ ସହ ଅର୍ଥନୈତିକ ଅପରାଧ ମାମଲାଗୁଡ଼ିକର ତଦନ୍ତ ମଧ୍ୟ ଏଣିକି ଏହି ଥାନାରେ କରାଯିବ।
"ସାଇବର ଅପରାଧ ଏବେ ଆମ ପାଇଁ ସବୁ ଠାରୁ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି । ଏହି ଅପରାଧ ଦମନ ପାଇଁ ଆମର ପୂର୍ବରୁ ବି ଉଦ୍ୟମ ଜାରି ରହିଛି କିନ୍ତୁ ଏହି ସାଇବର ଥାନା କାର୍ଯ୍ୟକ୍ଷମ ହେବା ପରେ ଏଥିରେ ଆମକୁ ଆହୁରି ସୁବିଧା ହେବ। ଏହି ଥାନାରେ ଜରିଆରେ ଉପଲବ୍ଧ ଥିବା ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରି ଆମେ ମାମଲାଗୁଡ଼ିକର ତଦନ୍ତ କରିପାରିବୁ,’’ କହିଛନ୍ତି କଟକ ଡିସିପି ପ୍ରତିକ ସିଂ।
ସାଇବର ଅପରାଧ ଏପରି ଏକ ଅପରାଧ ଯେଉଁଥିରେ କି ଅପରାଧୀ କୌଣସି ସ୍ଥାନରେ ରହି ନିଜ ଠାରୁ ଶହ ଶହ କିଲୋମିଟର ଦୂରରେ ସହଜରେ ଅପରାଧ ଘଟାଇବାରେ ସମର୍ଥ ହୋଇଥାଏ । ଆଉ ଅପରାଧର ଶୈଳି ଜଣା ଥିଲେ ମଧ୍ୟ ଅନେକ ସମୟରେ ଅପରାଧୀ ପାଖରେ ପହଁଞ୍ଚିବା ପୋଲିସ ପାଇଁ ସମ୍ଭବ ହୋଇ ନଥାଏ।
ବିଜ୍ଞାନ ଓ ପ୍ରଜ୍ୟୁକ୍ତି ବିଦ୍ୟାକୁ ଆଧାର କରି ହେଉଥିବା ଏହି ଅପରାଧ ତଦନ୍ତ ପାଇଁ ପାରମ୍ପରିକ ପୋଲିସି ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉନଥି ପରିଲକ୍ଷିତ ହୋଉଛି । ଏହି ଭଳି କ୍ଷେତ୍ରରେ ଏହି ଥାନା ସାଇବର ଅପରାଧକୁ ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି ଆଶାବ୍ୟକ୍ତ କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।