ସଡ଼କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ବିଭାଗର ଅଭିନବ ପ୍ରୟାସ; ଆୟୋଜନ କରିବ କ୍ଷୁଦ୍ର ସିନେମା ମହୋତ୍ସବ

ସଡକ ଦୁର୍ଘଟଣା ସଂଖ୍ୟା କମ କରିବା ଲକ୍ଷ୍ୟରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ।

ସଡ଼କ ସୁରକ୍ଷା ସଚେତନ ପାଇଁ କ୍ଷୁଦ୍ର ସିନେମା ମହୋତ୍ସବ ଆୟୋଜନ ହେବ (ପ୍ରତୀକାତ୍ମକ ଛବି)

ସଡ଼କ ସୁରକ୍ଷା ସଚେତନ ପାଇଁ କ୍ଷୁଦ୍ର ସିନେମା ମହୋତ୍ସବ ଆୟୋଜନ ହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଲୋକଙ୍କ ଭିତରେ ସଡ଼କ ସୁରକ୍ଷା ଭାବନାକୁ ବ୍ୟାପକ କରିବା ସହିତ ସଡକ ଦୁର୍ଘଟଣା ସଂଖ୍ୟା କମ କରିବା ଲକ୍ଷ୍ୟରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ୨୦୨୨ । ଉଭୟ ଓଡ଼ିଆ ଓ ଅଣଓଡ଼ିଆ ଭାଷାରେ କେଵଳ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ଥିମରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଏହି ମହୋତ୍ସବରେ ଭାଗ ନେଇପାରିବେ ।

ଆସନ୍ତା ୧୮ ଓ ୧୯ ତାରିଖରେ ରାଉରକେଲାରେ ଓ ୨୪ ଓ ୨୫ ତାରିଖ ପୁରୀରେ ଅନୁଷ୍ଠିତ ହେବ ଏହି କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଯାହା ସାରା  ଦେଶରେ ପ୍ରଥମ ଉଦ୍ୟମ ବୋଲି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଷ୍ଟେଟ୍ ଟ୍ରାନ୍ସପୋର୍ଟ କମିଶନର ଅରୁଣ ବୋଥ୍ରା।

ଟ୍ରାନ୍ସପୋର୍ଟ କମିଶନରଙ୍କ ସୂଚନା ଅନୁସାରେ, ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ସଡ଼କ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରୋକିବା ପାଇଁ ଲୋକଙ୍କ ଭିତରେ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ପ୍ରଚାର କରିବା । ସିନେମା ବା ଚଳଚିତ୍ର ଅନ୍ୟତମ ବଳିଷ୍ଠ ପ୍ରଚାର ମାଧ୍ୟମ ହୋଇଥିବା କାରଣରୁ ଏଭଳି ମହୋତ୍ସବ ଉପରେ ଗୁରୁତ୍ୱ ଦିଆଯାଇଛି।

ସେ କହିଛନ୍ତି ଯେ, ଏହି ମହୋତ୍ସବରେ ଶ୍ରେଷ୍ଠ ବିବେଚିତ ଚଳଚ୍ଚିତ୍ରକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ଏହି ପୁରସ୍କାର ରାଶିର ପରିମାଣ ୫୦ ହଜାର ଟଙ୍କା ଭିତରେ ସୀମିତ ଥିଲା । ସେହିଭଳି ପ୍ରତିଯୋଗିତାର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଚଳଚ୍ଚିତ୍ରକୁ ୮୦ ହଜାର ଟଙ୍କା ଓ ତୃତୀୟ ସ୍ଥାନ ହାସଲ କରିବା ଚଳଚ୍ଚିତ୍ରକୁ ୬୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଅନ୍ୟ ବିଭିନ୍ନ କାଟାଗୋରୀରେ ମଧ୍ୟ ପୁରସ୍କାର ଅର୍ଥରାଶି ବ୍ୟବସ୍ଥା କରାଯାଇଥିବା ଟ୍ରାନ୍ସପୋର୍ଟ କମିଶନର ସ୍ପଷ୍ଟ କରିଛନ୍ତି।

ଏହି ମହୋତ୍ସବ ରାଜ୍ୟରେ ସଡ଼କ ସୁରକ୍ଷା ସଚେତନତାକୁ ଅଧିକ ବ୍ୟାପକ କରି ପାରିବ ବୋଲି ଟ୍ରାନ୍ସପୋର୍ଟ କମିଶନର ପ୍ରକାଶ କରିଛନ୍ତି । ସେ କହିଛନ୍ତି," ସଡ଼କ ସୁରକ୍ଷା ନେଇ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଏହାର ପ୍ରଭାବରେ କିଛି ସଫଳତା ମଧ୍ୟ ମିଳିଛି। ଉଦାହରଣ ସ୍ୱରୂପ ଏହି ନିୟମିତ ସଚେତନତା କାର୍ଯ୍ୟକ୍ରମ  ପ୍ରଭାବରେ ୨୦୨୨ ମସିହାର ପ୍ରଥମ ୩ ମାସରେ ୧୦.୭% ସଡ଼କ ଦୁର୍ଘଟଣା କମ ହୋଇଥିଲା ବେଳେ ଏଥିରେ ମୃତକଙ୍କ  ସଂଖ୍ୟା  ମଧ୍ୟ ୭.୫୫%କୁ ଖସିଛି ଯାହା ଆମ ସମସ୍ତଙ୍କ ପାଇଁ ଉତ୍ସାହ ଜନକ। ନିଶ୍ଚିତ ଭାବେ ଏହି ସଚେତନତା ଧର୍ମୀ ଚଳଚ୍ଚିତ୍ର ମହୋତ୍ସବ ଆଗକୁ  ଭଲ ସଫଳତା ଆଣିଦେବ"।

ଶନିବାର ସନ୍ଧ୍ୟାରେ ପୋଲିସ ଭବନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦିଆଯାଇଥିବା ସୂଚନା ଅନୁସାରେ,"ଉଭୟ ଓଡ଼ିଆ ଓ ଅଣ ଓଡ଼ିଆ ଭାଷାରେ ଦୁଇଟି କାଟାଗୋରିର ଏହି ସିନେମା ମହୋତ୍ସବରେ  ଯେ କେହି ଭାଗ ନେଇପାରିବେ । ସିନେମାର ମୋଟ ଅବଧି ୧୨୦ ସେକେଣ୍ଡ ବା ୨ ମିନିଟ୍‌ର ରହିବ । ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ପ୍ରାମାଣିକ ଚିତ୍ର, ବର୍ଣ୍ଣନାତ୍ମକ ଚିତ୍ର,କାହାଣୀ ବା ଆନିମେସନ ଆକାରରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ଭାଗ ନେଇପାରିବେ। ଜଣେ ନିର୍ମାତା ବା ନିର୍ଦ୍ଦେଶକ ଏକାଧିକ କାଟାଗୋରିର ମଧ୍ୟ ଭାଗ ନେଇପାରିବେ। ସବୁ ଆବେଦନ ପରିବହନ ବିଭାଗର ୱେବସାଇଟ roadsafety-od@gov.in ରେ କରିହେବ।

ଏହି ମହୋତ୍ସବରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଜୁରୀ କମିଟି ତର୍ଜମା କରିବେ । ସେମାନଙ୍କ ଚୟନ ଆକାରରେ ଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସିନେମା ଚୂଡ଼ାନ୍ତ ନିର୍ଣ୍ଣୟ କରାଯିବ । ଭାଗ ନେବାକୁ ଆବେଦନ ହୋଇଥିବା ଚଳଚ୍ଚିତ୍ରର ଫୁଲ ଏଚଡ଼ି (୧୯୨୦ x ୧୦୮୦ ) ଫର୍ମାଟରେ ରହିବା ଆବଶ୍ୟକ । ମନୋରଞ୍ଜନ ମାଧ୍ୟମ କୁହାଯାଉଥିବା କ୍ଷୁଦ୍ର ସିନେମା ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମ ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।
Published by:Soumya Das
First published: