News18 Odia Digital
ଭୁବନେଶ୍ୱର : ନିୟମିତ ଭାବେ ସାଇକେଲ ଚଳାଇଲେ କେବଳ ଶରୀର ଯେ ସୁସ୍ଥ ରହେ ତା ନୁହେଁ ଏହାଦ୍ବାରା ମାନସିକ ଶାନ୍ତି ମଧ୍ୟ ମିଳେ। ମନରେ ଭରିଯାଏ ଅପୂର୍ବ ଉତ୍ସାହ। ଆଗକୁ ବଢ଼ିବାରେ ଏହା ସହାୟକ ହୋଇଥାଏ । ତେଣୁ ନିୟମିତ ଭାବରେ ସମସ୍ତେ ସାଇକେଲ ଚଳାଇବା ଦରକାର। ଭୁବନେଶ୍ୱର ସାଇକେଲିଂ ଓ ଆଡ଼ଭେଞ୍ଚରସ କ୍ଲବ ପକ୍ଷରୁ ହିମାଳୟରେ ଏକାଧିକ କଷ୍ଟକର ପାହାଡ଼ିଆ ଅଞ୍ଚଳରେ ସଫଳତାର ସହିତ ଓ ଦୁଃସାହସିକ ଭାବେ ସାଇକେଲିଂ ଯାତ୍ରା କରିଛନ୍ତି ।

ଦୁଃସାହସିକ ସାଇକେଲିଂ ଯାତ୍ରା କରି ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଟିମର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ସଞ୍ଜୀବ ପଣ୍ଡା କହିଛନ୍ତି ଯେ," ହିମାଳୟର ବିପଦ ଶଙ୍କୁଳ ରାସ୍ତା ମୋନାଲି-ଲେହ-ଖାରଦୁଙ୍ଗଲାକୁ ଏହି ସାଇକେଲିଂ ଓ ଆଡ଼ଭେଞ୍ଚରସ କ୍ଲବର ପ୍ରାୟ ୨୦ ଜଣ ସଦସ୍ୟ ଦୁଃସାହସିକ ଯାତ୍ରା କରିଥିଲେ। ଏହି ଅଞ୍ଚଳଟି ସମୁଦ୍ର ପତାନରୁ ପ୍ରାୟ ୧୭ ହଜାର ୯୮୨ ଫୁଟ ଉଚ୍ଚରେ ଅବସ୍ଥିତ। ଏହା ଅତି ଉଚ୍ଚତମ ଶୃଙ୍ଗ ହୋଇଥିବା ଯୋଗୁଁ ଏଠାରେ ସାଧାରଣ ଭାବେ ନିଶ୍ଵାସ ନେବା ମଧ୍ୟ କଷ୍ଟକର ହୋଇଥିଲା। ତଥାପି ଆମେ ଏହାକୁ ସଫଳତାର ସହିତ ସମ୍ପାଦନା କରିଛୁ। ଗତ ଅଗଷ୍ଟ ମାସ ୮ତାରିଖରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା ଯାହା ଅଗଷ୍ଟ ୧୭ରେ ଶେଷ ହୋଇଥିଲା"।
ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ବହୁ ଚର୍ଚ୍ଚିତ ଏହି ବିପଦ ସଂକୁଳ ରାସ୍ତାକୁ ସଫଳତାର ସହିତ ଅତିକ୍ରମ କରିବାରେ ବିସିଏସସି ତୃତୀୟ ଥର ପାଇଁ ଏଭଳି ସଫଳତା ହାସଲ କରିଛି। ଯାତ୍ରାର ଶେଷ ଦିନ ହିଁ ଥିଲା ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜିଙ୍ଗ। କାରଣ ସେହି ଦିନ ହିଁ ଆମକୁ ସଫଳତା ହାସଲ କରିବାର ଲକ୍ଷ୍ୟ ଥିଲା । ଆମେ ତାକୁ ସଫଳତାର ସହିତ ଶେଷ କଲୁ। ଖାରଦୁଙ୍ଗଲାରେ ଆମେ ଦେଶର ଗର୍ବ ଜାତୀୟ ପତାକା ଉତ୍ତୋଳନ କଲୁ । ମୋଟ ୫୫୦ କିଲୋମିଟରର ଏହି ଯାତ୍ରା ଭିତରେ ହିମାଳୟ ପର୍ବତର ପ୍ରାୟ ୬ଟି ଉଚ୍ଚତମ ଶୃଙ୍ଗ ଆମେ ଅତିକ୍ରମ କରିଛୁ । ସେ ଭିତରେ ଅଛି ୧୩ ହଜାର ୫୦ ଫୁଟ ଉଚ୍ଚତା ବିଶିଷ୍ଟ ରୋହତଙ୍ଗ ଶୃଙ୍ଗ,୧୬ ହଜାର ୧୫୦ଫୁଟ ଉଚ୍ଚତା ବିଶିଷ୍ଟ ବାର୍ଳାଚାରଲା ପର୍ବତ ଶୃଙ୍ଗ, ୧୫ ହଜାର ୫୪୭ ଫୁଟ ଉଚ୍ଚ ନାକୀଲା ଶ୍ରୁଙ୍ଗ, ୧୬ ହଜାର ୬୧୬ ଫୁଟ ଉଚ୍ଚତା ବିଶିଷ୍ଟ ଲାଚୁଙ୍ଗଲା ପର୍ବତ ଶୃଙ୍ଗ, ୧୭ ହଜାର ୫୮୨ ଫୁଟ ଉଚ୍ଚତା ବିଶିଷ୍ଟ ଟାଙ୍ଗଲାଙ୍ଗଲା ଶୃଙ୍ଗ ଓ ୧୭ ହଜାର ୯୮୨ ଫୁଟ ଉଚ୍ଚତା ବିଶିଷ୍ଟ ଖାରଦୁଙ୍ଗଲା ପର୍ବତ ଶୃଙ୍ଗ।
ସବୁଠାରୁ ବଡ଼ କଥା ହେଲା ଏହି ବିପଦ ସଂକୁଳ ରାସ୍ତାରେ ଯିବା ସମୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଯାତ୍ରା ସମୟରେ କିଛି ସ୍ଥାନରେ କାନ୍ଧରେ ସାଇକେଲ ଉଠେଇ ଆଗକୁ ବଢ଼ିବାକୁ ପଡିଥିଲା। କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଏସବୁ ସମସ୍ୟା ହାର ମାନିଥିଲା ବୋଲି କହିଛନ୍ତି ଦଳର ସଦସ୍ୟମାନେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।