News18 Odia Digital
ଭୁବନେଶ୍ବର: ଆସୁଛି ନୂଆ ସିନେମା। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବା ବେଳେ ଗୁରୁବାର ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି। ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସିନେମାର ନାଁ ରହିଛି 'ଲିଙ୍ଗରାଜ ମନ୍ଦିର'।
ଅନେକ ବର୍ଷ ତଳର ଐତିହ୍ୟ କାହାଣୀ ଏଥିରେ ଉପସ୍ଥାପନ କରାଯାଉଛି। ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ନିକଟରେ ଖୋଳିବା ସମୟରେ ଏକ ପଥର ମୂର୍ତ୍ତୀ ମିଳୁଛି। ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତୀର ପ୍ରାଚୀନ ଇତିହାସ ଜଣାପଡୁଛି।
ମୂର୍ତ୍ତୀଟି କାହାର ଓ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ। ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି।
ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ରବି ରୟାଲ।
ଏ ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ସହ ପ୍ରଯୋଜକ ଥିବା ବେଳେ ୟାଇ ରେଡ୍ଡୀ କ୍ୟାମେରା, ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରଡକ୍ସନ ଡିଜାଇନର ଓ ପ୍ରଣୟ ଜେଠି କ୍ରିଏଟିଭ ହେଡ ଭାବେ ଦାୟିତ୍ଵ ତୁଲାଉଛନ୍ତି।
ଏହି ସିନେମା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚହଳ ସୃଷ୍ଟି କରିବା ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ଆଶାବାଦୀ ଅଛନ୍ତି ସମସ୍ତେ। ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବା ବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି।
ଯାହାକି ସିନେମାର ଗୁରୁତ୍ବ ଆହୁରି ବଢ଼ାଇ ଦେବା ସହ ମୌଳିକ ଓଡ଼ିଆ କାହାଣୀ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି। ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ। ଭୁବନେଶ୍ୱର, ଗଡ ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସିନେମାର ସୁଟିଂ ହେବ ବୋଲି ଜଣାପଡ଼ିଛି।
ଓଡ଼ିଶାରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଅତି ଶୀଘ୍ର ବଲିଉଡ ଓ ଓଲିଉଡ କଳାକାର ଚୟନ କରାଯିବ ବୋଲି କ୍ରିଏଡିଭ ହେଡ୍ ଜେଠୀ ସୂଚନା ପ୍ରଦାନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।