ITI ଛାତ୍ରଛାତ୍ରୀଙ୍କ ନୂଆ ଉଦ୍ଭାବନା; ଲାଇନମ୍ୟାନଙ୍କୁ ସୁରକ୍ଷା ଯୋଗାଇବ ହର୍ଣ୍ଣ ଗ୍ୟାପ ଫ୍ୟୁଜ୍‌ ଯନ୍ତ୍ର

ହର୍ଣ୍ଣ ଗ୍ୟାପ୍‌ ଫ୍ୟୁଜ ନିର୍ମାଣ କରିବା ପରେ ଟାଟା ପାୱାରର ସହାୟତାରେ ଏହାକୁ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣରେ ସଫଲ ହୋଇଛି ଏହି ଯନ୍ତ୍ର।

ITI ଛାତ୍ରଛାତ୍ରୀଙ୍କ ନୂଆ ଉଦ୍ଭାବନା

ITI ଛାତ୍ରଛାତ୍ରୀଙ୍କ ନୂଆ ଉଦ୍ଭାବନା

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏକ ନୂଆ ଉଦ୍ଭାବନା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହଯୋଗରେ ନିର୍ମିତ ହୋଇଛି ଏଭଳି ଏକ ଯନ୍ତ୍ର। ଯାହା ଲାଇନମ୍ୟାନଙ୍କୁ ଜୀବନ ବଞ୍ଚାଇବାରେ ସହଯୋଗ କରିବା ସହିତ ବିଦ୍ୟୁତ ସରବରାହ ନେଇ ରହିଥିବା ବିଭିନ୍ନ ସମସ୍ୟାର ମଧ୍ୟ ସମାଧାନ କରିପାରିବ।

ଏହି ଯନ୍ତ୍ରଟି ହେଉଛି ହର୍ଣ୍ଣ ଗ୍ୟାପ୍‌ ଫ୍ୟୁଜ୍‌। ହର୍ଣ୍ଣ ଗ୍ୟାପ୍‌ ଫ୍ୟୁଜ ନିର୍ମାଣ କରିବା ପରେ ଟାଟା ପାୱାରର ସହାୟତାରେ ଏହାକୁ ପରୀକ୍ଷଣ କରାଯାଇଥିଲା। ପରୀକ୍ଷାରେ ସଫଳ ହେବା ପରେ ଟାଟା ପାୱାରର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମତି ଆଣି ଏଭଳି ହର୍ଣ୍ଣ ଗ୍ୟାପ ଫ୍ୟୁଜ ଅଧିରୁ ଅଧିକ ନିର୍ମାଣ କରିବା ନିମନ୍ତେ ଆଇଟିଆଇକୁ ପରାମର୍ଶ ଦେବ। ଯାହାଫଳରେ ଆଇଟିଆଇର ଛାତ୍ରଛାତ୍ରୀମାନେ ଏହାକୁ ନିର୍ମାଣ କରିବା ଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ଇଲେକ୍ଟ୍ରିସିଆନମାନଙ୍କୁ ବିଦ୍ୟୁତ ସରବରାହ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ।

ଅଦରକାରୀ ସାମଗ୍ରୀରେ ବିଭିନ୍ନ କଳାକୃତି ନିର୍ମାଣ କରି ସବୁ ସମୟରେ ଚର୍ଚ୍ଚାରେ ରହୁଛି ବ୍ରହ୍ମପୁର ଆଇଟିଆଇ। ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଇଟିଆଇ। ଆଇଟିଆଇର ଇଲେକ୍ଟ୍ରିସିନ ବିଭାଗର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ବାରା ଏକ ଯନ୍ତ୍ର ତିଆରି କରାଯାଇଛି। ଏହି ଯନ୍ତ୍ରର ନାମ ହେଉଛି ହର୍ଣ୍ଣ ଗ୍ୟାପ୍‌ ଫ୍ୟୁଜ୍‌।

‘‘ଦୁଇ ମାସ ଧରି ପରିଶ୍ରମ ପରେ ଏହି ଯନ୍ତ୍ର ନିର୍ମାଣ ହୋଇଛି। ଏହାଦ୍ବାରା ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ସହାୟକ ହେବା ସହିତ ବିଦ୍ୟୁତ ସରବରାହ ଜନିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମାନଙ୍କରେ ୧୧ କେଭି ବିଦ୍ୟୁତ ତାର ଯାଇଥାଏ। ଯଦି ଟ୍ରାନ୍ସଫରମରରେ ଫ୍ୟୁଜ୍‌ ଚାଲିଯାଏ ତେବେ ଲାଇନମ୍ୟାନ୍‌ ତଥା ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ନିଶୁଣି ପକାଇ ଟ୍ରାନ୍ସଫର୍ମର ଉପରେ ଚଢ଼ି ଫ୍ୟୁଜ୍‌ ପକାଇବା ସହିତ ଅନ୍ୟାନ୍ୟ କାମ କରିଥାନ୍ତି। କିନ୍ତୁ ଏହି ଯାନ୍ତ୍ର ଦ୍ବାରା ଲଇନମ୍ୟାନ କିମ୍ବା ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଟ୍ରାନ୍ସଫରମର ଉପରକୁ ନ ଚଢ଼ି ଏକ ଟୁଲ ସାହାର୍ଯ୍ୟରେ ତଳେ ରହି ଫ୍ୟୁଜ୍ ପକାଯାଇପାରିବ,’’ କହିଛନ୍ତି ଆଇଟିଆଇର ଛାତ୍ର ଗଣେଶ ସାବତ।

‘‘ପୂର୍ବରୁ କେବଳ ଆଇଟିଆଇ ପରିସରରେ ହିଁ ପ୍ରାକ୍ଟିକାଲ କରାଯାଉଥିବା ବେଳେ ବର୍ତ୍ତମାନ ବାହାରକୁ ଯାଇ ପ୍ରାକ୍ଟିକାଲ କରାଯାଇପାରୁଛି। ଯାହାଫଳରେ ଅନେକ ଜ୍ଞାନ ଆହରଣ ହେବା ସହିତ ଏହାଦ୍ବାରା ଲାଇନମ୍ୟାନଙ୍କ ଜୀବନରକ୍ଷା ମଧ୍ୟ ସମ୍ଭବପର ହୋଇପାରିବ। ଏଭଳି ଯନ୍ତ୍ର ନିର୍ମାଣ କରି ବେଶ ଖୁସୀ ଲାଗୁଛି,’’ କହିଛନ୍ତି ଆଇଟିଆଇର ଛାତ୍ର ଗଣେଶ ବେହେରା।

‘‘ଏହି ଯନ୍ତ୍ରକୁ ନିର୍ମାଣ କରାଯିବା ପରେ ଟାଟା ପାୱାରର ଏକ ଟ୍ରାନ୍ସଫରମର ନିକଟରେ ଏହାକୁ ଟ୍ରାଏଲ କରାଯାଇଛି। ଟ୍ରାଏଲ କରାଯିବା ସମୟରେ ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନିର୍ମାଣ ହୋଇଥିବା ଏହି ଯନ୍ତ୍ରଙ୍କୁ ପ୍ରଶଂସା କରିଥିଲେ। ଏହା ସଫଳ ହୋଇଥିବା ଯୋଗୁଁ ଏହି ଯନ୍ତ୍ରଙ୍କୁ ନେଇ ଟାଟା ପାୱାରର ବରିଷ୍ଠ ଅଧିକାରୀଙ୍କୁ ଏନେଇ ଜଣାଇ ଦିଆଯିବ। ଅନୁମିତି ମିଳବା ପରେ ଏଭଳି ଆହୁରି ଅନେକ ହର୍ଣ୍ଣ ଗ୍ୟାପ ଫ୍ୟୁଜ ନିର୍ମାଣ କରିବେ ଆଇଟିଆଇ ଛାତ୍ର। ଯାହାଫଳରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦକ୍ଷତା ପୂର୍ବ ଅପେକ୍ଷା ଆହୁରି ବୃଦ୍ଧି ହେବ,’’ କହିଛନ୍ତି ଆଇଟିଆଇର ଶିକ୍ଷକ ହୃଷିକେଶ କୋଠିଆ।

‘‘ହର୍ଣ୍ଣ ଗ୍ୟାପ ଫ୍ୟୁଜ ନିର୍ମାଣ କରି ଛାତ୍ରଛାତ୍ରୀ ଅନେକ ଜ୍ଞାନ ଆହରଣ କରିଛନ୍ତି। ବର୍ତ୍ତମାନ ଟାଟା ପାୱାରର ସହଯୋଗ ମିଳିଥିବା ବେଳେ ଛାତ୍ରଛାତ୍ରୀ କେବଳ ହର୍ଣ୍ଣ ଗ୍ୟାପ ଫ୍ୟୁଜ ନିର୍ମାଣ କରିଛନ୍ତି। ଆଗାମୀ ଦିନରେ ଏଭଳି ସହଯୋଗ ମିଳିଲେ ଛାତ୍ରଛାତ୍ରୀମାନେ ଏଭଳି ଆହୁରି ଅନେକ ଯନ୍ତ୍ର ନିର୍ମାଣ କରିପାରିବେ। ବର୍ତ୍ତମାନ ଏହି ଯନ୍ତ୍ର ଟ୍ରାଏଲ ହେବା ପରେ ସଫଳ ହୋଇଥିବା ଯୋଗୁଁ ଏହାକୁ ଟ୍ରେଡ଼ ମାର୍କ ପାଇଁ ପଠାଯିବ। ପରବର୍ତ୍ତୀ ସମୟରେ ଟାଟା ପାୱାରରୁ ଅନୁମିତି ମିଳିବା ପରେ ଏଭଳି ଅନେକ ହର୍ଣ୍ଣ ଗ୍ୟାପ୍‌ ଫ୍ୟୁଜ୍‌ ନିର୍ମାଣ କରି ଯୋଗାଇ ଦିଆଯିବ,’’ କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ଡ଼ଃ.ରଜତ କୁମାର ପାଣିଗ୍ରାହୀ।

ଏହି ହର୍ଣ୍ଣ ଗ୍ୟାପ ଫ୍ୟୁଜ ନିର୍ମାଣ କରି ଅନେକ ଜ୍ଞାନ ଆହରଣ କରିଥିବା ବେଳେ ଆଗାମୀ ଦିନରେ ଟାଟା ପାୱାରର ସହାୟତାରେ ଏଭଳି ଅନେକ ଇଲେକ୍‌ଟ୍ରନିକ୍ସ ଯନ୍ତ୍ର ନିର୍ମାଣ କରିବା ନିମନ୍ତେ ଆଶା ରଖିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀମାନେ ।
Published by:Lipina Das
First published: