ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ପୂରିଲା ଏକ ମାସ; ଖୋଲା ଆକାଶ ତଳେ ଏବେ ବି ରହୁଛନ୍ତି ୧୦୬ ପରିବାର

ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ପୂରିଲା ଏକ ମାସ। ଭଙ୍ଗା ଇଟା ଉପରେ ଚିରା ପାଲ ଟାଣି କୁଡ଼ିଆ କରି ଦୁର୍ବିସହ ଜୀବନ ବିତାଉଛନ୍ତି ୧୦୬ ପରିବାର। ବସ୍ତିରେ ମରିବୁ ପଛେ ବସ୍ତିରୁ ହଟିବୁ ନାହିଁ କହିଲେ ବସ୍ତିବାସିନ୍ଦା।

ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ପୂରିଲା ଏକ ମାସ

ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ପୂରିଲା ଏକ ମାସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ବସ୍ତି ଉଚ୍ଛେଦକୁ ପୂରିଗଲା ଏକ ମାସ। ତଥାପି ମଧ୍ୟ ବସ୍ତିରୁ ଇଞ୍ଚେଟିଏ ମଧ୍ୟ ଘୁଞ୍ଚିଲେନି ବସ୍ତିବାସିନ୍ଦା। ସେଭଳି ଶୀତ କାକରରେ ଖୋଲା ଆକାଶତଳେ ବସ୍ତିରେ ହିଁ ସେମାନେ ରହିଛନ୍ତି। ଘର ଭାଙ୍ଗି ଯାଇଥିବା ବେଳେ ଭଙ୍ଗା ଘରରୁ ସଂଗୃହିତ ହୋଇଥିବା ଭଙ୍ଗା ଇଟା ଓ କିଛି ଛିଣ୍ଡା ଲୁଗା ଓ ପାଲକୁ ଏକାଠି କରି କୁଡ଼ିଆ କରି ବଡ଼ ଦୁର୍ବିସହ ଜୀବନ ବିତାଉଛନ୍ତି ବସ୍ତିର ୧୦୬ ପରିବାର।

ବସ୍ତିକୁ ଉଚ୍ଛେଦ କରିବା ପୂର୍ବରୁ ତାଙ୍କୁ କୌଣସି ସମସସୀମା ନ ଦେଇ ହଠାତ ବସ୍ତି ଉଚ୍ଛେଦ କରିଥିବା ଯୋଗୁଁ ସେମାନଙ୍କର ଅନେକ ଅସବାବପତ୍ର ନଷ୍ଟ ହୋଇଯାଇଛି। ତଥାପି ମଧ୍ୟ ନିଜ ଭାଗ୍ୟକୁ ଆଦରି ସେଭଳି ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ବସ୍ତିବାସିନ୍ଦା।

ଖୋଲା ଆକାଶ ତଳେ ୧୦୬ ପରିବାର। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ଏକ ମାସ ହେଲା ଏଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ବସ୍ତିବାସିନ୍ଦା। ଏମାନଙ୍କୁ କେବଳ ସାହା ହୋଇଛି ଭଙ୍ଗା ଇଟା ଓ ଛିଣ୍ଡା ପାଲ। ଏଭଳି ଚିତ୍ର ଆସିଛି ବ୍ରହ୍ମପୁର ଗୌଡ଼ବନ୍ଧ ବସ୍ତିରୁ।

ଲାଞ୍ଜିପଲ୍ଲୀ ବସ୍ତି ଉଚ୍ଛେଦକୁ ପୂରିଗଲା ଏକ ମାସ


ଗତ ଅକ୍ଟୋବର ମାସ ୧୨ ତାରିଖରେ ଏନଜିଟିର ନିର୍ଦ୍ଦେଶକ୍ରମେ ବିଏମସି ପକ୍ଷରୁ ଲାଞ୍ଜିପଲ୍ଲୀରେ ଥିବା ଗୌଡ଼ବନ୍ଧ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ କରିବା ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ସମୟସୀମା ଦିଆଯାଇନଥିବା ଯୋଗୁଁ ଉଚ୍ଛେଦରେ ବସ୍ତିରେ ରହିଥିବା ଲୋକଙ୍କ ଅନେକ ଅସବାବପତ୍ର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଯାହାଫଳରେ ଭଙ୍ଗା ଦଦରା ଘରୁ ଭଙ୍ଗା ଇଟାକୁ ସଂଗ୍ରହ କରି ପୁଣି ଥରେ କୁଡ଼ିଆ କରି ରହୁଛନ୍ତି ବସ୍ତିବାସିନ୍ଦା। ଭଙ୍ଗା ଇଟା ସାଙ୍ଗକୁ ଚିରା ଲୁଗା ଓ ପାଲଟାଣି ବସ୍ତିରେ ଜୀବନ ବିତାଉଛନ୍ତି ୧୦୬ ପରିବାର।

‘‘ଭଙ୍ଗା ଇଟାରେ ତିଆରି ହୋଇଥିବା କୁଡ଼ିଆ କେତେବେଳେ ଯେ ଧସେଇ ଯିବ ତାହା କେହି କହିପାରିବ ନାହିଁ। ତଥାପି ମଧ୍ୟ ଜୀବନକୁ ସେଭଳି ବାଜିରେ ଲଗାଇ ବସ୍ତିରେ ରହୁଛନ୍ତି ବସ୍ତିବାସିନ୍ଦା। ରାତି ସାରା ଭୟରେ ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟ ଅନିଦ୍ରା ରହିଥାନ୍ତି। କାଳେ କୌଣସି ଅପ୍ରତିକିର ପରିସ୍ଥିତି ଉପୁଜିବ ବୋଲି। ପୁଣି ସକାଳେ ଖୋଲା ଆକାଶ ତଳେ ଖୁଦ ମଳୁଖ ରାନ୍ଧି ସେଭଳି ଖୋଲା ଆକାଶ ତଳେ ହିଁ ଖାଇଥାନ୍ତି। ବହୁ ଦୁଃଖ କଷ୍ଟରେ ବସ୍ତିରେ ଜୀବନ ବିତାଉଛୁ,’’ କହିଛନ୍ତି ଗୌଡ଼ବନ୍ଧ ବସ୍ତିବାସିନ୍ଦା ସୁରେଖା।

ଖୋଲା ଆକାଶ ତଳେ ୧୦୬ ପରିବାର


ଗୌଡ଼ବନ୍ଧ ବସ୍ତିବାସିନ୍ଦା ସାବିତ୍ରୀ ଦାସ କହିଛନ୍ତି, ‘‘ବସ୍ତି ଉଚ୍ଛେଦକୁ ଏକ ମାସ ବିତିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ପାଦ ପଡ଼ିନାହିଁ। ଏହାଛଡ଼ା ନା ପ୍ରଶାସନ ନା ସ୍ଥାନୀୟ ଜନପ୍ରତିନିଧି କେହି ମଧ୍ୟ ବସ୍ତିବାସିନ୍ଦାଙ୍କ ଦୁଃଖକୁ ବୁଝୁନାହାଁନ୍ତି। ଦୁଃଖ ବୁଝିବା ତ ଦୂରର କଥା କିଭଳି ଖୋଲା ଆକାଶ ତଳେ ବସ୍ତିବାସିନ୍ଦା ଜୀବନ ବିତାଉଛନ୍ତି ତାହା କେହି ଦେଖିବାକୁ ମଧ୍ୟ ଆସୁନାହାଁନ୍ତି। ଯେତେ ଦୁଃଖ ଆସୁ ସବୁ ସହ୍ୟ କରିବୁ କିନ୍ତୁ ବସ୍ତି ଛାଡ଼ି ଯିବୁ ନାହିଁ।’’

ଏକ ବର୍ଷ ପୂର୍ବରୁ ବିଏମସି ପକ୍ଷରୁ ବସ୍ତି ଉଚ୍ଛେଦ ନେଇ ନୋଟିସ ଜାରି ହୋଇଥିଲା। ଏହାପରେ ବିଏମସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରେ ଉତ୍ତେଜନା ମୂଳକ ସ୍ଥିତି ଉପୁଜିବା ସହିତ ବିଏମସି, ପୋଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଅନେକ ଆହତ ହୋଇଥିଲେ। ଯାହାଫଳରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇଥିଲା।

ଚଳିତ ଥର ବ୍ୟାପକ ପୋଲିସ ଫୋର୍ସ ଜରିଆରେ ବସ୍ତି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ କରାଯିବା ପୂର୍ବରୁ ସହରର ନେହୁରୁ ନଗରରେ ରହିଥିବା ରାଜୀବ ଆବାସ ଯୋଜନାରେ ଯୋଗାଇ ଦିଆଯାଇଥିବା ଗୃହରେ ରହିବା ପାଇଁ ବସ୍ତିବାସିନ୍ଦାଙ୍କୁ କୁହାଯାଇଥିଲା। କିନ୍ତୁ ସମ୍ପୃକ୍ତ ଗୃହ ଗୁଡ଼ିକ ଛୋଟ ହୋଇଥିବା ଯୋଗୁଁ ବସ୍ତିବାସିନ୍ଦାମାନେ ସେଠାରେ ରହିବା ସମ୍ଭବପର ନୁହେଁ ବୋଲି ମାନ କରିଦେଇଥିଲେ। ବିଏମସି ବସ୍ତିକୁ ଉଚ୍ଛେଦ କରିଦେଇଥିଲେ ସୁଦ୍ଧା ବସ୍ତିରେ ଯେକୌଣସି ପରିସ୍ଥିତିରେ ରହିବୁ ପଛେ ରାଜୀବ ଆବାସ ଗୃହକୁ ଯିବୁ ନାହିଁ ବୋଲି କହିଛନ୍ତି ଗୌଡ଼ବନ୍ଧ ବସ୍ତିବାସିନ୍ଦା ମାମି ଦାସ।

ଦୀର୍ଘ ବର୍ଷ ହେଲା ବସ୍ତିବାସିନ୍ଦାମାନଙ୍କ ପାଇଁ କୌଣସି ପ୍ରକାରର ମୌଳିକ ସୁବିଧା ନଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ବିଏମସି ପକ୍ଷରୁ ସେମାନଙ୍କୁ ପାଣି, ବିଜୁଳି, ରାସ୍ତା ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଦିଆଯାଇଥିଲା। କିନ୍ତୁ ଗତ ୧୨ ତାରିଖ ଦିନ ବସ୍ତିକୁ ଉଚ୍ଛେଦ କରିବା ପରେ ବିଏମସିର କୌଣସି ଅଧିକାରୀଙ୍କ ଆଉ ବସ୍ତିରେ ଦେଖିବାକୁ ମିଳିନାହିଁ। ବସ୍ତିରେ ରହୁଥିବା ବସ୍ତିବାସିନ୍ଦାଙ୍କୁ କିଭଳି ବୁଝାଇସୁଝାଇ ରାଜୀବ ଆବାସ ଗୃହକୁ ନେବା କିମ୍ବା ଅନ୍ୟ କୌଣସି ସହାୟତା ଦେବା ନିମନ୍ତେ ମଧ୍ୟ ବିଏମସି ପଦକ୍ଷେପ ନେଇନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୌଡ଼ବନ୍ଧ ବସ୍ତିବାସିନ୍ଦା ଘନ ଦାସ ।

ଏକ ମାସ ହେଲା ଏଭଳି ଖୋଲା ଆକାଶ ତଳେ ବହୁ ଦୟନୀୟ ସ୍ଥିତିରେ ବସ୍ତିବାସିନ୍ଦାମାନେ ଜୀବନ ବିତାଉଥିବା ବେଳେ କେବେ ସେମାନଙ୍କ ଦୁଃଖ ସରକାର ବୁଝୁଛନ୍ତି ଏବେ ତାହାକୁ ହିଁ ଅପେକ୍ଷାର ବିଷୟ ପାଲଟିଛି।
Published by:Lipina Das
First published: