ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ; ଓବିସିଙ୍କୁ ଅଧିକାର ମିଳିବା ନେଇ ହେବ ଯାଞ୍ଚ
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ କୌଶେଳନ୍ଦ୍ର ସିଂ ପଟେଲ। ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ । ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ ।
ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 6:40 PM IST
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ କୌଶେଳନ୍ଦ୍ର ସିଂ ପଟେଲ। ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ । ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ ।
ଆଜି ପଛୁଆ ବର୍ଗର ବିଭିନ୍ନ ସଙ୍ଗଠନ ସେମାନଙ୍କ ସମସ୍ୟା ବିଷୟରେ ବୈଠକରେ ଜଣାଇଛନ୍ତି । କମିଶନ ସଦସ୍ୟ ସମସ୍ତ ପ୍ରସଙ୍ଗ ଶୁଣିଛନ୍ତି । ସବୁ ଅଭିଯୋଗର ଶୁଣାଣୀ ପରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି । ଓଡିଶାରେ ଓବିସିମାନଙ୍କ ଅଧିକାର ଓ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ । ବିଭିନ୍ନ ବ୍ୟାଙ୍କରୁ ଓବିସିମାନଙ୍କୁ କେତେ ୠଣ ମିଳିଛି ସେ ନେଇ ବିଭିନ୍ନ ବ୍ୟାଙ୍କର୍ସମାନଙ୍କ ସହିତ ବି ଆଲୋଚନା କରିଛନ୍ତି କମିଶନ ସଦସ୍ୟ।
ରାଜ୍ୟ ଓବିସି କମିଶନ ଅଧକ୍ଷ ଅବସର ପ୍ରାପ୍ତ ଜଷ୍ଟିସ ରଘୁନାଥ ବିଶ୍ବାଳ ଙ୍କ ସହ କମିଶନ ସଦସ୍ୟଙ୍କ ଆଲୋଚନା ହୋଇଛି । ରାଜ୍ୟ ଓବିସି କମିଶନ ଅଧ୍ଯକ୍ଷ କହିଛନ୍ତି "ସବୁ ଶିକ୍ଷାନୁଷ୍ଠାନରେ SEBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବା ଦରକାର। ହେଲେ ସେମାନଙ୍କ ମଧ୍ୟରୁ ବହୁ ଜାତି ସାମାଜିକ ଓ ଶିକ୍ଷାଗତ ସ୍ତରରେ ଆଗେଇ ଗଲେଣି। ସେମାନଙ୍କୁ ବାଦ ଦେବା କଥା। ଖଣ୍ଡାୟତ ଜାତି ରାଜ୍ୟର SEBC ତାଲିକାରେ ଅଛନ୍ତି। କିନ୍ତୁ କେନ୍ଦ୍ରର OBC ତାଲିକାରେ ନାହାଁନ୍ତି। ସେମାନେ କେନ୍ଦ୍ର ତାଲିକାରେ ସାମିଲ ହେବା କଥା। ସେ ଦିଗରେ ଜାତୀୟ OBC କମିଶନ ସଦସ୍ୟଙ୍କ ସହ ଆଲୋଚନା ହୋଇଛି। ଜାତିଭିତ୍ତିକ ଜନଗଣନା ନେଇ ଆଲୋଚନା ହୋଇନି। କୋଡ଼ିଏ ଜାତି SEBC ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ଏହାର ସତ୍ୟପାଠ ନିଆଯିବ। ଯଦି ସେମାନେ ଯୋଗ୍ୟ ଥିବେ, SEBC ତାଲିକାରେ ସାମିଲ ହେବେ"।
ସେହିପରି ବିଭିନ୍ନ ରାଜନୈତିକ ଦଳ ସହ ଓବିସି ସଙ୍ଗଠନର କର୍ମକର୍ତ୍ତାଙ୍କ ସହ କମିଶନ ସଦସ୍ୟଙ୍କ ଆଲୋଚନା ହୋଇଛି ।
ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କହିଛନ୍ତି, “ମଣ୍ଡଳ କମିଶନ ସୁପାରିଶ ଉପରେ ପଛୁଆ ବର୍ଗଙ୍କୁ ସୁବିଧା ମିଳୁନାହିଁ । ବିଜେଡ଼ି ଓବିସି ମାନଙ୍କୁ ଭୁଆଁ ବୁଲାଉଛି । ସରକାର ପଛୁଆ ବର୍ଗଙ୍କୁ ସେମାନଙ୍କ ଦାବି ମିଳିବା ପାଇଁ ଚେଷ୍ଟା କରୁନାହାନ୍ତି । ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ମଧ୍ୟ ଦେଉନାହାନ୍ତି, ଓବିସି ଫାଇନାନ୍ସ କମିଶନ ଦ୍ୱାରା ମଧ୍ୟ ଆର୍ଥିକ ସହାୟତା ପଛୁଆ ବର୍ଗଙ୍କୁ ମିଳୁନାହିଁ” ।
ସମ୍ବିଧାନରେ ଥିବା ଅଧିକାର ଓବିସି ମାନଙ୍କୁ ଦେଉନାହାନ୍ତି ରାଜ୍ୟ ସରକାର । ସେହିପରି ସମାଜବାଦି ପାର୍ଟି, ଖଡୁରା ସମାଜ କଲ୍ୟାଣ ପରିଷଦ ଏବଂ ଖଣ୍ଡାୟତ ବର୍ଗର ସଦସ୍ୟ ମାନେ କମିଶନଙ୍କୁ ଦାବି ପତ୍ର ଦେଇଛନ୍ତି ।
ଓବିସିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୨୭ପ୍ରତିଶତ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛି। ଜାତି ଭିତ୍ତିକ ଜନଗଣନା ପାଇଁ ବି ବିଜେଡ଼ି ଦାବି କରିଆସୁଛି।






