News18 Odia Digital
ବ୍ରହ୍ମପୁର: ଲଗାଣ ବର୍ଷାକୁ ଆଖି ଆଗରେ ରଖି ବ୍ରହ୍ମପୁରରେ ଆରମ୍ଭ ହୋଇଛି ସାମୁହିକ ସଫେଇ ଅଭିଯାନ। ସହରର କର୍ପୋରେସନ ରୋଡ଼ ଠାରୁ ଏହି ସାମୁହିକ ସଫେଇ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ସଫେଇ ଅଭିଯାନରେ ୧୦୦ ଜଣ ସଫେଇ କର୍ମଚାରୀ ଏକା ସାଙ୍ଗରେ ସଫେଇ କାମ ଆରମ୍ଭ କରିଥିବା ବେଳେ ଜେସିବି, ଟ୍ରାକ୍ଟର ଭଳି ବିଭିନ୍ନ ମେସିନ୍ ମଧ୍ୟ ସାହାର୍ଯ୍ୟ ନେଇ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟ । ଏହି ଅଭିଯାନକୁ ବ୍ରହ୍ମପୁର ସାଂସଦ, ମେୟର, କମିଶନର ଓ ବିଭାଗୀୟ ଅଧିକାରୀ ମାନେ ତଦାରଖ କରୁଛନ୍ତି।
ବିଏମସିର ୧୦୦ ଜଣ ସଫେଇ କର୍ମଚାରୀ କର୍ପୋରେସନ ରୋଡ଼ରେ ଏକତ୍ରିତ ହେବା ପରେ ଆରମ୍ଭ ହୋଇଥିଲା ସଫେଇ କାର୍ଯ୍ୟ । କର୍ପୋରେସନର ମୁଖ୍ୟ ରାସ୍ତାରେ ରହିଥିବା ନାଳକୁ ସଫେଇ କରିଥିଲେ କର୍ମଚାରୀମାନେ । ସଫେଇ କର୍ମଚାରୀ ମାନେ ବିଭିନ୍ନ ସରଞ୍ଜାମ ଧରି ସଫେଇ କରୁଥିବା ବେଳେ ଜେସିବି ଦ୍ବାରା ମଧ୍ୟ କିଛି ନାଳକୁ ଖନନ କରି ସେଠାରୁ ମାଟି କଡ଼ା ଯାଇଥିଲା ।
‘‘ଆଗକୁ ବର୍ଷା ଦିନ ରହିଥିବା ଯୋଗୁଁ ବିଏମସି ପକ୍ଷରୁ ଏଭଳି ସାମୁହିକ ଭାବେ ସଫେଇ ଅଭିଯାନର ଆବଶ୍ୟକତା ରହିଥିଲା । ସହରରେ ଆଗକୁ ଜଳବନ୍ଦୀ ସମସ୍ୟା ଉପୁଜିବା ସ୍ଥିତି କମ ହୋଇପାରେ,‘‘ କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।
‘‘ବ୍ରହ୍ମପୁର ସହରରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏଭଳି ସାମୁହିକ ସଫେଇ ଅଭିଯାନ ଆରମ୍ଭ ହୋଇଛି । କମ ସମୟ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଶେଷ ହେବା ସହିତ ଅଭିଯାନ ସଫଳ ହେବ ,‘‘ କହିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ।
ବିଏସସିର ଏଭଳି ସାମୁହିକ ସଫେଇ ଅଭିଯାନକୁ ସହରବାସୀ ସ୍ବାଗତ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ସଫେଇ କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ଯୋଗୁଁ ଦୀର୍ଘ ବର୍ଷର ନର୍ଦ୍ଦମା ସମସ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିପାରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
‘‘ଏହି ଅଭିଯାନରେ କେବଳ ଯେ ନାଳ ଗୁଡ଼ିକ ସଫେଇ କରାଯିବ ତାହା ନୁହେଁ । ପରବର୍ତ୍ତୀ ସମୟରେ ସହରବାସୀ ଅଳିଆ ଆବର୍ଜନାକୁ ନାଳ ନର୍ଦ୍ଦମାକୁ ପକାଉଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ଏଭଳି ନ କରିବା ନେଇ ସଚେତନ କରାଯିବ। ଯେଉଁଠି ସଫେଇ କାର୍ଯ୍ୟ ହେଉନି ସେଠାରେ ଅଧିକ ମାତ୍ରାରେ ସଫେଇକୁ ଗୁରୁତ୍ବ ଦିଆଯିବ । ଯେଉଁମାନେ ଡ଼୍ରେନ ଉପରେ ଘର କରିଛନ୍ତି ସେହି ସ୍ଥାନରେ କିଭଳି ନର୍ଦ୍ଦମା ପାଣି ନିଷ୍କାଷନ ହେବ ସେ ନେଇ କାର୍ଯ୍ୟ କରାଯିବ,‘‘କହିଛନ୍ତି ବିଏମସି କମିଶନର ଜେ.ସୋନାଲ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।