ଶ୍ରୀକ୍ଷେତ୍ରରେ ବୃଦ୍ଧିପାଉଛି ବ୍ୟାପକ ଭିଡ଼; ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସାଧାରଣ ଦିନ ଅପେକ୍ଷା ବଡଦିନଠାରୁ ଏବେ ତିନି ଗୁଣା ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହେବାକୁ ପଡୁଛି ।

ଶ୍ରୀକ୍ଷେତ୍ରରେ ବୃଦ୍ଧିପାଉଛି ବ୍ୟାପକ ଭିଡ଼; ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଶ୍ରୀକ୍ଷେତ୍ରରେ ବୃଦ୍ଧିପାଉଛି ବ୍ୟାପକ ଭିଡ଼; ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିରରେ ଦିନକୁ ଦିନ ବୃଦ୍ଧି ପାଉଛି ଭକ୍ତଙ୍କ ଭିଡ । ସାଧାରଣ ଦିନ ଅପେକ୍ଷା ବଡଦିନଠାରୁ ଏବେ ତିନି ଗୁଣା ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।  ଧନୁ ସଂକ୍ରାନ୍ତିଠାରୁ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲେ ସୁଦ୍ଧା ନୀତି ବିଳମ୍ବ ଯୋଗୁଁ ପହିଲି ଭୋଗ ଦିନ ୧୦ଟାରେ ବାହାରୁଛି । ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହେବାକୁ ପଡୁଛି । ଶ୍ରୀମନ୍ଦିରଠାରୁ ଏହି ଲମ୍ବା ଲାଇନ କେତେବେଳେ ମରଚି କୋଟ ଛକ ତ କେତେବେଳେ ଟାଉନଥାନା ପର୍ଯ୍ୟନ୍ତ ଲମ୍ୱି ଯାଉଛି । ତେଣୁ ଏବେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା ବେଳେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଛି ।



ସେପଟେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ବିଳମ୍ବ ଓ ଅନେକ ସମୟରେ ଅଘଟଣ ଯୋଗୁଁ ବଡମହାସ୍ନାନ , ପୁଣି ଭକ୍ତଙ୍କ ଅସଂଖ୍ୟ ଭିଡକୁ ନେଇ ନୀତି ବିଳମ୍ବ ହେବାରୁ ଦର୍ଶନାର୍ଥି ଦର୍ଶନ ପାଇଁ ସମସ୍ୟାରେ ପଡୁଛନ୍ତି । ଜିରୋ ନାଇଟ ଦିନ ଶୀଘ୍ର ପହୁଡ ଓ ଇଂରାଜି ନୂଆବର୍ଷ ଦିନ ରାତ୍ର ୧ଟାରେ ଦ୍ୱାର ଫିଟା ନୀତି । ଭୋର ୫ଟା ସୁଦ୍ଧା ପହିଲି ଭୋଗ ଶେଷ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ । ତେବେ ଭକ୍ତଙ୍କ ଭିଡକୁ ନେଇ ଟ୍ରାଫିକଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା କହିଛନ୍ତି ପୁରୀ ଏସପି ।

ସୋମବାର ଦିନ ଶ୍ରୀମନ୍ଦିରରେ ସ୍କୁଲ ପିଲାଙ୍କ ଦର୍ଶନ ବେଳେ ଅଘଟଣ ନେଇ ନିଆଯାଇଛି ପଦକ୍ଷେପ । ତେବେ ଗତ ବଡଦିନଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ, ଭିତରକାଠ ନିକଟରେ ବାନ୍ତି, ରକ୍ତ ଛିଟା ଏବଂ ଝାଡା ପଡିବା ନେଇ ବଡମହାସ୍ନାନ ନୀତି ହେବାରୁ ଦୈନିନ୍ଦନ ନୀତିରେ ବିଳମ୍ବ ହେଉଛି । ତାହାକୁ ନେଇ ପ୍ରତିଦିନ ନୀତିରେ ବିଲମ୍ବ ହେବାରୁ ପହିଲି ଭୋଗ ଭୋରରୁ ବାହାରିପାରୁନାହିଁ । ତେଣୁ ନୂଆବର୍ଷ ଓ ଜିରୋ ନାଇଟ ଦିନ ଭକ୍ତଙ୍କ ଅସଂଖ୍ୟ ଭିଡକୁ ନେଇ ସଅଳ ନୀତି କରିବାକୁ ନୀତି ସ୍ଥିର କରାଯାଇଛି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜଗମୋହନରେ ସ୍ୱତନ୍ତ୍ର କାଠର ଅସ୍ଥାୟୀ ଚକଲଗା କାଠର ସେଡ କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ । ତେବେ ପୁରୀରେ ନୂଆବର୍ଷ ଓ ଜିରୋ ନାଇଟକୁ ନେଇ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକକୁ ତିନୋଟି ପର୍ଯ୍ୟାୟରେ ଵିଭକ୍ତ କରାଯାଇଛି ।ଏବେ ଶ୍ରୀମନ୍ଦିର ନିକଟରେ ୧୫ ପ୍ଲାଟୁନ ଫୋର୍ସ , ଟ୍ରାଫିକରେ ୬ ପ୍ଲାଟୁନ ଓ ବେଳାଭୂମିରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ଜିରୋ ନାଇଟ ଓ ନୂଆବର୍ଷକୁ ନେଇ ଏହି ବ୍ୟବସ୍ଥା ଦୁଇଗୁଣ କରାଯିବ । ପୁଣି ନୂଆବର୍ଷରୁ ଶ୍ରୀମନ୍ଦିରରେ ସେବାୟତ ଓ ପ୍ରଶାସନିକ ଅଧିକାରୀ ମୋବାଇଲ ନେବା ଉପରେ କଟକଣା ରହିଛି । ଏଥିପାଇଁ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ କରାଯାଇଛି ଦୁଇଟି କାଉଣ୍ଟର। ଭକ୍ତମାନେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନିୟମ ପାଳନ କରି ଆସିବେ । ବରିଷ୍ଠ ନାଗରିକ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପୋଲିସ ପକ୍ଷରୁ ଦର୍ଶନ ପାଇଁ ସହାୟତା କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି କଂବର ବିଶାଳ ସିଂହ ।
Published by:Soubhagya Mishra
First published: