News18 Odia Digital
କଟକ: ଜନଗହଳୀପୂର୍ଣ୍ଣ ବରମୁଣ୍ଡା ବସଷ୍ଟାଣ୍ଡରୁ ବସ ଚୋରି କରି ନେଇଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କମିଶନରେଟ୍ ପୋଲିସ ଧରିବାରେ ସକ୍ଷମ ହୋଇଛି । ପୋଲିସ ଏହି ବ୍ୟକ୍ତିଙ୍କୁ ଗିରଫ କରିବା ପରେ ସେ ଜଣେ ଦିବ୍ୟାଙ୍ଗ ବୋଲି ଜଣ ପଡ଼ିଛି । ଗିରଫ ଦିବ୍ୟାଙ୍ଗ ଜଣକ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜ୍ଞାନରଞ୍ଜନ ସାହୁ । ପୋଲିସ ତାକୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଥ୍ୟ ପାଇଁ ଟେକ୍ନିକାଲ ଟିମର ସହାୟତା ଲୋଡ଼ିଛି ।
ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ବରମୁଣ୍ଡା ବସଷ୍ଟାଣ୍ଡରେ ‘ଆରୟନ୍’ ନାମକ ଏକ ବସଟି ରହିଥିଲା । ପ୍ରାୟ ରାତି ୯ଟା ସମୟରେ ଉକ୍ତ ବସର ଡ୍ରାଇଭର ଓ ହେଲପର ଖାଇବାକୁ ଯିବା ସମୟରେ ଅଭିଯୁକ୍ତ ଦିବ୍ୟାଙ୍ଗ ଜ୍ଞାନରଞ୍ଜନ ସାହୁ ନକଲି ଚାବିରେ ବସଟିକୁ ଚୋରି କରିନେଇଥିଲା । ବସଷ୍ଟାଣ୍ଡରେ ଜନଗହଳୀପୁର୍ଣ୍ଣ ଥିଲେ ମଧ୍ୟ ଏହା କାହାକୁ ବି ଜଣ ପଡ଼ିନଥିଲା । କିଛି ସମୟରେ ପରେ ବସର ହେଲପର ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବସ ନଥିବା ଦେଖି ତୁରନ୍ତ ପୋଲିସକୁ ଅବଗତ କରିଥିଲେ । ଏହି ଖବର ପାଇ ପରେ ତତ୍ପରତା ପ୍ରକାଶ କରିଥିଲା କମିଶନରେଟ୍ ପୋଲିସ ।

ଅଭିଯୁକ୍ତ ଦିବ୍ୟାଙ୍ଗ ଜ୍ଞାନରଞ୍ଜନ ସାହୁ
ଏହାପରେ କମିଶନରେଟ୍ ପୋଲିସର ପିସିଆର ଭ୍ୟାନ ବସକୁ ଠାବ କରିବାକୁ ଖୋଜାଖୋଜି କରିଥିଲା । ହେଲେ ବସ କେଉଁ ଦିଗକୁ ଗଲା, ତାହା ଜାଣିପାରିନଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ବସଟିକୁ ନେଇ କଟକରେ ପହଞ୍ଚି ଯାଇଥିଲା । ପରେ ବସଟି କଟକ ଅଭିମୁଖେ ଯାଇଥିବା ପୁଲିସ ଜାଣିବା ପରେ କଟକ ପୁଲିସକୁ ଅବଗତ କରାଯାଇଥିଲା । ବସକୁ ଅଟକାଇବା ଲାଗି ପୁଲିସ ଓମ୍ପି ଛକରେ ଏକ ଟ୍ରକ ଠିଆ କରି ରାସ୍ତା ଅବରୋଧ କରିଥିଲା । ରାସ୍ତା ଜାମ ଯୋଗୁଁ ଅଭିଯୁକ୍ତ ବସ ନେଇ ନପାରି ଭାରସାମ୍ୟ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା । ପରେ ପୁଲିସ ଅଭିଯୁକ୍ତକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ପଚରାଉଚରା କରିବା ବେଳେ ସେ ଦିବ୍ୟାଙ୍ଗ ବୋଲି ଜଣାପଡିଥିଲା ।
ଗିରଫ ହୋଇଥିବା ବସ ଚୋର ଜଣକ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପୂର୍ବରୁ ସେ ଏକାଧିକ ବସ ଚୋରି କରିଥିବା ଜଣାପଡିଛି । ଏହି ଆରୟନ୍ ବସକୁ ଭୁବନେଶ୍ୱର ବରମୁଣ୍ଡାରୁ ପଶ୍ଚିମବଙ୍ଗ ନେଇଯିବା ପାଇଁ ତାର ଯୋଜନା କରିଥିଲା । ଅଭିଯୁକ୍ତ ଜଣକ ବାଲେଶ୍ୱର, ବରମୁଣ୍ଡା ଓ ବାଦାମବାଡିରେ ମୋଟ ୪ଟି ବସ ଚୋରିରେ ସଂପୃକ୍ତ ଥିବା କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।