News 18 Odia Digital
ବାଲେଶ୍ଵର; ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ମହିଳା ରାଜସ୍ୱ ନିରୀକ୍ଷକ । ସଦର ବ୍ଲକ ବଇଁଚା ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ଉକ୍ତ ପଞ୍ଚାୟତର ନିଶ୍ଚିନ୍ତ ଗ୍ରାମର ପାଣିରେ ବୁଡି ମୃତ୍ୟ ହୋଇଥିବା ଘଟଣାରେ ମୃତ୍ୟୁ ସାର୍ଟିଫିକେଟ ଯାଞ୍ଚ ରିପୋର୍ଟ ଦେବାପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନା ମୁତବକ ଚଳିତ ବର୍ଷ ଏପ୍ରିଲ ୧୨ ତାରିଖରେ ବଇଁଚା ପଂଚାୟତ ଅନ୍ତର୍ଗତ ଦୀନବନ୍ଧୁ ବେହେରା ନାମକ ବ୍ୟକ୍ତିଙ୍କ ୪ ବର୍ଷର ଶିଶୁର ପୋଖରୀରେ ବୁଡି ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାକୁ ନେଇ ପରିବାର ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା । ଏହି ରିପୋର୍ଟ ଆଧାରରେ ମୃତ୍ୟୁ ପଞ୍ଜିକରଣ ହେବା ସହିତ ସହାୟତା ମିଳିଥାଏ । ଏନେଇ ବଇଁଚାର ରାଜସ୍ୱ ନିରୀକ୍ଷକ ଡଲି ସେଠି ଦିନବନ୍ଧୁଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ତେବେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଦୀନବନ୍ଧୁ ୧୦ ହଜାର ଟଙ୍କା ଦେବାର ଥିଲା ହେଲେ ଏନେଇ ଦୀନବନ୍ଧୁ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ପୂର୍ବ ସୂଚନା ପାଇ ଜାଲ ବିଛାଇଥିଲା । ଆଜି ମଧ୍ୟାହ୍ନ ସମୟରେ ଡଲି ଲାଞ୍ଚ ନେଉଥିବା ସମୟରେ ରେଡ ହେଣ୍ଡରେ ଡଲି ସେଠୀଙ୍କୁ ଧରିଥିଲା ଭିଜିଲାନ୍ସ । ସୂଚନା ଅନୁସାରେ ଏନେଇ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୨୧ / ୨୦୨୨ ରେ ମାମଲା ରୁଜୁ କରି ଅଣ୍ଡରସେକ୍ସନ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ ଅନୁଯାୟୀ ତଦନ୍ତ ଜାରି ରଖିଛି ।
ସେହିପରି ଡଲିଙ୍କ ଚାନ୍ଦିପୁର ଥାନା ଶ୍ରୀକଣା ସ୍ଥିତ ବାସ ଭବନ ସହିତ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଡଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରୁ ଯଦି କୌଣସି ଆୟ ବହିର୍ଭୁତ ସମ୍ପତ୍ତି ମିଳେ ତେବେ ତାଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ିବ ବୋଲି ଚର୍ଚ୍ଚା ହେଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।