News 18 Odia Digital
ଭୁବନେଶ୍ୱର; ବିଜେପି ( BJP ) ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ଓ ରାଜନୈତିକ ପ୍ରସଙ୍ଗ ସମେତ ସଂଗଠନ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।
ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧୀକରଣ ରାଜନୀତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବେରୋଜଗାର ସମସ୍ୟା, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯାଇଛି ।
ରାଜ୍ୟର ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାରର ( Double Engine Govt ) ନିହାତି ଆବଶ୍ୟକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି । ରାଜ୍ୟର ଗରୀବ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ପକ୍କାଘର ଆବଣ୍ଟନ କରିଛନ୍ତି । ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ପ୍ରଦାନ, ମହିଳା ସଶକ୍ତୀକରଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା, ପିଏମ-କିଶାନ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ରେଳ–ସଡକ-ଆକାଶପଥ ସେବାରେ ଓଡ଼ିଶାକୁ ବିଶେଷ ପ୍ରାଧାନ୍ୟ ଦେବା, ୫-ଜି ସେବା, ମୋବାଇଲ ଟାୱାର ନିର୍ମାଣ ଆଦି କେନ୍ଦ୍ର ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଆଜିର ଏହି ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିମାନେ ଯୋଗ ଦେଇଥିଲେ । ଏହା ପରେ ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ-
http://ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକକୁ ନେଇ ୩ ଦଳ ମୁହାଁମୁହିଁନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।