ନ୍ୟାୟ ପାଇଁ ସମାଜସେବୀ ଶ୍ବଶୁର ଘର ଦାଣ୍ଡରେ ଅନଶନରେ ବସିଛନ୍ତି ଜଣେ ବୋହୂ

ଅଧିକ ଯୌତୁକ ଦାବିରେ ବିବାହର ମାତ୍ର କିଛି ମାସ ପରେ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଏପରିକି ବିବାହର ୧୫ ମାସ ପରେ ଅର୍ଥାତ୍ ୨୦୧୭ ଜୁଲାଇ ୩ ତାରିଖରେ ମନୀଷାଙ୍କୁ ଘରୁ ବାହାର କରିଦେଇଥିଲେ। ମନୀଷା ସେହିଦିନ ଠାରୁ ନିଜ ବାପଘରେ ରହିଆସୁଛନ୍ତି।

ନ୍ୟାୟ ପାଇଁ ସମାଜସେବୀ ଶ୍ବଶୁର ଘର ସମ୍ମୁଖରେ ଅନଶନରେ ବସିଛନ୍ତି ଜଣେ ବୋହୂ

ନ୍ୟାୟ ପାଇଁ ସମାଜସେବୀ ଶ୍ବଶୁର ଘର ସମ୍ମୁଖରେ ଅନଶନରେ ବସିଛନ୍ତି ଜଣେ ବୋହୂ

  • Share this:
News18 Odia Digital

ପାରଳାଖେମୁଣ୍ଡି: ନ୍ୟାୟ ପାଇଁ ଶ୍ବଶୁର ଦୁଆରେ ବସିଛି ଜଣେ ବୋହୁ। ଡହଡହ ଖରାରେ ଖୋଲା ଆକାଶ ତଳେ ବସିବାରେ ଅସୁବିଧା ହେଉଥିବାରୁ ପାଲ ଖଣ୍ଡିଏ ଭିଡିଥିଲେ। ହେଲେ ଯୁବତୀଙ୍କ ସ୍ବାମୀ ଓ ଶ୍ବଶୁର ଏହାକୁ ପ୍ରଥମେ ହଟାଇବା ପାଇଁ ପ୍ରୟାସ କରିଥିଲେ। ସେମାନେ ଏଥିରେ ସଫଳ ନହେବା ପରେ ସମାଜସେବୀ ବୋଲାଉଥିବା ପାୱାରଫୁଲ୍ ଶ୍ବଶୁରଙ୍କ ଚାପରେ ପୋଲିସ୍ ଆସି ପାଲକୁ ହଟାଇବା ସହ ବୋହୂକୁ ଉଠାଇବାକୁ ଉଦ୍ୟମ କରିଥିଲା। ହେଲେ ବୋହୂର ଏକା ଜିଦ୍ ନ୍ୟାୟ ନମିଳିବା ଯାଏଁ ସେ ଉଠିବେ ନାହିଁ।

ଗଜପତି ଜିଲ୍ଲାର ତଥାକଥିତ ସମାଜସେବୀ ଏ.ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟ ଗତ ୨୦୧୬ ମାର୍ଚ୍ଚ ୧୧ ତାରିଖରେ ରାଜସୀତାପୁର ଗ୍ରାମର ବିଶ୍ବନାଥ ରାଜୁଙ୍କ ଝିଅ ମନୀଷାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ହେଲେ ଅଧିକ ଯୌତୁକ ଦାବିରେ ବିବାହର ମାତ୍ର କିଛି ମାସ ପରେ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଏପରିକି ବିବାହର ୧୫ ମାସ ପରେ ଅର୍ଥାତ୍ ୨୦୧୭ ଜୁଲାଇ ୩ ତାରିଖରେ ମନୀଷାଙ୍କୁ ଘରୁ ବାହାର କରିଦେଇଥିଲେ। ମନୀଷା ସେହିଦିନ ଠାରୁ ନିଜ ବାପଘରେ ରହିଆସୁଛନ୍ତି।

ଶାଶୁଘରୁ ତଡା ଖାଇଥିବା ମନୀଷା ୨୦୧୮ ମସିହା ଅଗଷ୍ଟ ମାସରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଝିଅର ଏଭଳି ସମସ୍ୟାର ସମାଧାନ ପାଇଁ ବାପା ବିଶ୍ବନାଥ ବାରମ୍ବାର ପ୍ରୟାସ କରି ବିଫଳ ହେବା ପରେ ଶେଷରେ ୨୦୧୯ ଏପ୍ରିଲ ମାସରେ ଆଖି ବୁଜିଥିଲେ।

ନ୍ୟାୟ ପାଇଁ ସମାଜସେବୀ ଶ୍ବଶୁର ଘର ସମ୍ମୁଖରେ ଅନଶନରେ ବସିଛନ୍ତି ଜଣେ ବୋହୂ


ସେହିଦିନ ଠାରୁ ମନୀଷା ନିଜ ଭାଇ ଭାଉଜଙ୍କ ନିକଟରେ ରହିଆସୁଛନ୍ତି। ଆନ୍ଧ୍ରର ବିଜନଗରମ ଜିଲ୍ଲାର ସେଚ ବିଭାଗରେ କାମ କରୁଥିବା ଏମ.ରାମକୃଷ୍ଣ ରାଜୁ ନିଜ ଭଉଣୀ ମନୀଷାକୁ ପାଖରେ ରଖିଥିବାରୁ ତାକୁ ଟାର୍ଗେଟ କରି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରାଯାଇଥିଲା। ବର୍ତ୍ତମାନ ରାମକୃଷ୍ଣଙ୍କ ଚାକିରି ବି ବିପଦରେ। ନିଜ ହକ ପାଇଁ ବାରମ୍ବାର ପ୍ରୟାସ କରୁଥିବା ମନୀଷା ବିଫଳ ହେବା ପରେ ନିଜ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ସେ।

“ଗତ ଫେବୃୟାରୀ ୧୪ ତାରିଖରେ ମଧ୍ୟ ଏହିଭଳି ଧାରଣା ଦେଇଥିଲି। ହେଲେ ସହରର କିଛି ତଥାକଥିତ ବୁଦ୍ଧିଜୀବୀମାନେ ପହଞ୍ଚି ଏହାକୁ ଆପୋଷ ସମାଧାନ କରିବାକୁ କଥା ଦେଇଥିଲେ। ହେଲେ ଆଜି ଯାଏଁ କୌଣସି ସମାଧାନ ନହେବାକୁ ଆଜି ମୁଁ ପୁଣି ଥରେ ଶ୍ବଶୁର ଘର ସମ୍ମୁଖରେ ଧାରଣା ବସିଛି। ପୋଲିସ୍ ଆସି ପାଲ ଉଠାଇନେଇଗଲା । ମତେ ନ୍ୟାୟ ନମିଳିବା ଯାଏଁ ମୁଁ ଏ ଖରାରେ ସେମିତି ବସିଥିବି,” କହିଛନ୍ତି ମନୀଷା।

“ମୋର ବାପା ଭଉଣୀ ବାହାଘର ପାଇଁ ୩ ଏକର ଜମି ବିକିଥିଲେ। ବାହାଘର ବେଳେ ପୁଅ ଘରର ଦାବି ଅନୁସାରେ ଯୌତୁକ ମଧ୍ୟ ଦେଇଥିଲେ। ହେଲେ ବର୍ତ୍ତମାନ ସେମାନେ ବୋହୁକୁ ଘରେ ରଖିବା ବଦଳରେ ବାହାରକୁ କାଢ଼ି ଦେଇଛନ୍ତି। ଏହି ବିବାଦର ସମାଧାନ ପାଇଁ ବାରମ୍ବାର ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସଫଳ ମିଳୁନି। ତେଣୁ ନ୍ୟାୟ ପାଇଁ ଝିଅ ଶ୍ବଶୁର ଘର ସମ୍ମୁଖରେ ବସିଛି। ହେଲେ ପୋଲିସ୍ ନ୍ୟାୟ ଦେବା ବଦଳରେ ଆସି ପାଲ ବାହାର କରିଦେବା ନିଶ୍ଚିତ ଭାବେ ଦୁଃଖଦାୟକ,” କହିଛନ୍ତି ସଂପୃକ୍ତ ଯୁବତୀଙ୍କ ଭାଇ ରାମକୃଷ୍ଣ ରାଜୁ।

“ସେପଟେ ଆଗୁଆ କୌଣସି ସୂଚନା ନଦେଇ ବସିଥିବା ଯୋଗୁଁ ଏହାକୁ ହଟାଇବା ପାଇଁ ଉଦ୍ୟମ କରାଯାଇଛି। ଆସନ୍ତା ୬ ତାରିଖରେ ଆପୋଷ ସମାଧାନ ପାଇଁ କଥାବାର୍ତ୍ତା କରିବାକୁ ଦିନ ଧାର୍ଯ୍ୟ କରାଯାଇଛି,” କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ।

ତେବେ ଏଭଳି ସମାଧାନ କରିବା ଆଳରେ ସମୟ ଗଡାଇ ଚାଲିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତେଣୁ ନ୍ୟାୟ ନମିଳିବା ଯାଏଁ ସେ ଏଭଳି ବସିଥିବେ ବୋଲି ଯୁବତୀ ଜିଦ୍ ଧରି ବସିଛନ୍ତି। ହେଲେ ଏନେଇ ଶ୍ବଶୁର ଏ. ଜଗନ୍ନାଥ ରାଜୁଙ୍କ ପ୍ରତିକ୍ରୀୟା ଏଯାବତ ମିଳିପାରିନାହିଁ।
Published by:Lipina Das
First published: