News18 Odia Digital
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ (Cyclone) ନେଇ ଆସିଲା ବଡ଼ ଖବର। ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ (Storm)। ଏ ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ।
ଦକ୍ଷିଣ ପୂର୍ବ ବଙ୍ଗେପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଆଉ ୭ ତାରିଖରେ ଲଘୁଚାପର ରୂପ ନେବ। ସେହିପରି ୮ ତାରିଖରେ ଅବପାତରେ ପରିଣତ ହେବ। ଉତ୍ତର ଆଡ଼କୁ ଗତି କରି ଅଧିକ ସକ୍ରିୟ ହେବ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଗତିପଥ ଜଣାପଡ଼ିବ। ଗତିବିଧି ଉପରେ ଲଗାତର ନଜର ରଖିଛି IMD।
ତେବେ ଏ ସମ୍ପର୍କରେ ସୋଆର ସିଇସି ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି, ‘‘ଆସନ୍ତା ୭ କିମ୍ବା ୮ତାରିଖ ମଧ୍ୟରେ ଏ ସମ୍ପର୍କରେ ଅଧିକ ଚିତ୍ର ସ୍ପଷ୍ଟ ହେବ। ୭ କିମ୍ବା ୮ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବା ପରେ ଅବପାତରେ ପରିଣତ ହେବ। ପରେ ବାତ୍ୟାର ରୂପ ନେବ। ସମ୍ଭବତ ୧୩ କିମ୍ବା ୧୪ରେ ବାତ୍ୟା ଉଗ୍ରରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି।’’
ଅପରପକ୍ଷେ ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ଆମେରିକାନ୍ ଜିଏଫ୍ଏସ୍ ମଡେଲ ଆକଳନ କରିଛି। ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ୱିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ। ଯଦି ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା। ଯାହାର ନାମକରଣ କରିଛି ୟେମେନ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ନିର୍ଦ୍ଦେଶ ଦେଇଥିଲେ ଯେ ଗ୍ରୀଷ୍ମ ଋତୁର ଗତି ଜଟିଳ ହୋଇଥିବାରୁ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଛନ୍ତି। ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ‘‘ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶି ହୋଇଥାଏ। ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ। ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ। ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।’’
ପଢ଼ନ୍ତୁ ଏହି ଖବର: Cyclone Alert: ୬ରେ ଘୂର୍ଣ୍ଣିବଳୟ; ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ସରକାରସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଲେ ଯେ ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି NDRF ଓ ୨୦ଟି ODRAF ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।