କାଠ ଶିଳ୍ପୀ ଦିଲ୍ଲୀପଙ୍କ ଆଉ ଏକ କଳାକୃତି; ନିର୍ମାଣ କଲେ ୪ ଇଞ୍ଚର ମା ତାରାତାରିଣୀଙ୍କ ମନ୍ଦିର

ବ୍ରହ୍ମପୁର ସହରର କ୍ଷୁଦ୍ର କାଠ ଶିଳ୍ପୀ ଦିଲୀପ ମହାରଣା ପୁଣି ଚର୍ଚ୍ଚାରେ । ସେ ନିଜ ହାତରେ ନିଖୁଣ ଭାବେ ଗଞ୍ଜାମ ଜିଲ୍ଲାର ଆଦିଶକ୍ତିପୀଠ ମା ତାରାତାରିଣୀଙ୍କର ଏକ ଚାରି ଇଞ୍ଚର ମନ୍ଦିର ନିର୍ମାଣ କରିଛନ୍ତି ।

୪ ଇଞ୍ଚର ମା ତାରାତାରିଣୀଙ୍କ ମନ୍ଦିର ନିର୍ମାଣ କଲେ କାଠ ଶିଳ୍ପୀ ଦିଲ୍ଲୀପ (ପ୍ରତୀକାତ୍ମକ ଛବି)

୪ ଇଞ୍ଚର ମା ତାରାତାରିଣୀଙ୍କ ମନ୍ଦିର ନିର୍ମାଣ କଲେ କାଠ ଶିଳ୍ପୀ ଦିଲ୍ଲୀପ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ସହରର କ୍ଷୁଦ୍ର କାଠ ଶିଳ୍ପୀ ଦିଲୀପ ମହାରଣା ପୁଣି ଚର୍ଚ୍ଚାରେ । ନିଜର ହାତରେ ନିଖୁଣ ଭାବେ ଗଞ୍ଜାମ ଜିଲ୍ଲାର ଆଦିଶକ୍ତିପୀଠ ମା ତାରାତାରିଣୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରକୁ ସେ କାଠାରେ ଅତି ସୁନ୍ଦର ଭାବେ ନିର୍ମାଣ କରିଛନ୍ତି । ମନ୍ଦିରର ଉଚ୍ଚତା ରହିଛି ମାତ୍ର ୪ ଇଞ୍ଚ। ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ସହ ଅନେକ କାଠରେ କଳାକୃତି କରି ବିଭିନ୍ନ ରେକର୍ଡ଼ ହାସଲ କରିଥିଲେ । ବର୍ତ୍ତମାନ ସେ ନିର୍ମାଣ କରିଥିବା ମା ତାରାତାରିଣୀଙ୍କ ମନ୍ଦିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ସ୍ବରୂପ ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ଲୀପ ।

ଆଖି ଲାଖିଲା ପରି କାରୁକାର୍ଯ୍ୟ । ଯେଉଁ କାରୁକାର୍ଯ୍ୟକୁ ଦେଖିଲେ ପ୍ରଶଂସା ନ କରି ରହି ହେବ ନାହିଁ । ଏଭଳି ଏକ କାରୁକାର୍ଯ୍ୟ କରିଛନ୍ତି ବ୍ରହ୍ମପୁରର କାଠ ଶିଳ୍ପୀ ଦିଲ୍ଲୀପ ମହାରଣା । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଜିଲ୍ଲାର ଆଦିଶକ୍ତିପୀଠ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁ ରହିଥିବା ଯୋଗୁଁ ସେ ନିର୍ମାଣ କରିଛନ୍ତି ମାଙ୍କ ମନ୍ଦିର । ମନ୍ଦିରର ଉଚ୍ଚତା ରହିଛି ମାତ୍ର ୪ ଇଞ୍ଚ । ମନ୍ଦିରର ଓସାର ୧୦ ଇଞ୍ଚ ରହିଥିବା ବେଳେ ଲମ୍ବ ରହିଛି ୧୨ ଇଞ୍ଚ । ମାତ୍ର ୬ ଦିନ ମଧ୍ୟରେ ମାଙ୍କ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଦିଲ୍ଲୀପ ।

‘‘ଏହି ମନ୍ଦିର ମଧ୍ୟରେ ମା ତାରା ତାରୀଣିଙ୍କ ମୂଖ୍ୟ ମନ୍ଦିର ସମେତ ଜଗମୋହନ ନାଟ ମଣ୍ଡପ ତା ସହ ପଞ୍ଚୁ ଦେବା ଦେବୀଙ୍କର ମନ୍ଦିର ଯଜ୍ଞ ବେଦିକା, ମହା ସ୍ନାନ ମଣ୍ଡପ, ସୁନ୍ଦର ପାଚେରୀ, ମୁଖ୍ୟ ହସ୍ତୀ-ବେହରଣ ଦ୍ୱାର, ଚାମୁଣ୍ଡା ମୁଖ୍ୟ ମନ୍ଦିର ଉପରେ ଅଁଳା ବେଢ଼ା, ଦଧି ନଉତି କଳସ ସହ ମାଙ୍କର ମନ୍ଦିରର ଚାରି ଦ୍ଵାରକୁ ଅତି ନିଖୁଣ ଭାବେ ଖୋଦିତ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାରା ତାରିଣୀ ମନ୍ଦିରର ସେବକ ସଂଘ ବହୁ ପୂଜକ ସହାୟତା କରିଥିଲେ । ମା ତାରାତାରିଣୀଙ୍କ ମନ୍ଦିର ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ଦୃଷ୍ଟି ଯୋଗୁଁ ମନ୍ଦିରର ଅନେକ ବିକାଶ ହୋଇଛି । ତେଣୁ କାଠରେ ନିର୍ମାଣ ହୋଇଥିବା ଏହି ମନ୍ଦିର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ନିମନ୍ତେ ଇଚ୍ଛା ରହିଛି," କହିଛନ୍ତି କାଠ ଶିଳ୍ପୀ ଦିଲ୍ଲୀପ ମହାରଣା ।

‘‘ଗତ ବର୍ଷ ରଥଯାତ୍ରା ସମୟରେ ଦିଲ୍ଲୀପ ସୁନ୍ଦର ଭାବେ ପୁରୀ ଜଗନ୍ନାଥଙ୍କ ମନ୍ଦିରର ଅବିକଳ ମନ୍ଦିର କାଠରେ ନିର୍ମାଣ କରିଥିଲେ । ଏହା ସହ ରାମ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । କାଠରେ ତିଆରି ହୋଇଥିବା ଏହି ଦୁଇଟି ମନ୍ଦିରକୁ ନେଇ ସଫଳତା ପାଇବା ପରେ ଦିଲ୍ଲୀପ ମା ତାରାତାରିଣୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ପୂର୍ବରୁ ତାଙ୍କର ଅନେକ କଳାକୃତି ବିଭିନ୍ନ ରେକର୍ଡ଼ରେ ମଧ୍ୟ ସାମିଲ ହୋଇଥିଲା । ମାଙ୍କ ଏହି ମନ୍ଦିର ମଧ୍ୟ ବିଭିନ୍ନ ରେକର୍ଡ଼ରେ ସାମିଲ ହେବ," କହିଛନ୍ତି ଦିଲ୍ଲୀପଙ୍କ ସମ୍ପର୍କୀୟ ସନ୍ୟାସୀ ମହାରଣା ।

‘‘ଦିଲ୍ଲୀପଙ୍କ ଏଭଳି କଳାକୃତି କରିବା ଲାଗି ପରିବାର ଲୋକେ ସବୁବେଳେ ପ୍ରୋତ୍ସାହନ ଦେଇଆସୁଛନ୍ତି । ଦିନକୁ ଦିନ ଦିଲ୍ଲୀପ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରୁଥିବାରେ ସକ୍ଷମ ମଧ୍ୟ ହେଉଛନ୍ତି । ଆଗାମୀ ଦିନରେ ସେ ଏଭଳି ଆହୁରି ସଫଳତା ପାଉ,"କହିଛନ୍ତି ଦିଲ୍ଲୀପଙ୍କ ବାପା ଭଗବାନ ମହାରଣା ।

କାଠରେ ନିର୍ମିତ ହୋଇଥିବା ମନ୍ଦିର ବିଭିନ୍ନ ରେକର୍ଡ଼ରେ ସାମିଲ ହେବା ସହିତ ମନ୍ଦିରର ପ୍ରଚାର ଓ ପ୍ରସାର ଦିଗରେ ମଧ୍ୟ କାମ କରିପାରିବ ବୋଲି ଆଶାବାଦୀ ଅଛନ୍ତି ଦିଲ୍ଲୀପ ।
Published by:Soumya Das
First published: